Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ଏପଟେ ନିଜେ ଗଡପଡ଼ ହେବାପାଇଁ ବିଛଣାକୁ ଗଲା । ସେ ଥକି ପଡିଥିଲା ଜୀବନର ଜଉଘରେ । କେତେ କାହା କଥା ଭାବିବ ? କେଉଁଟା ଠିକ କେଉଁଟା ଭୁଲ । କିଏ ଭୁଲ କିଏ ଠିକ କାହାକୁ ବାଛିବ! କାହାକୁ ଅବିଶ୍ୱାସ କରିବ ଯାହାକୁ ଜୀବନ ଦେଇ କେବଳ ଭଲ ପାଇଥିଲା । ହୋମ ନିଆଁର ଯଜ୍ଞ କୁଣ୍ଡରେ ସାତ ଘେରା ବୁଲିଥିଲା ଦଶ ଦିଗ ପାଳଙ୍କୁ ସାକ୍ଷୀ ରଖି ସମର୍ପି ଦେଇଥିଲା ନିଜକୁ । ନିଜ ପାଇଁ ସୁରକ୍ଷା ବଳୟଟେ ତିଆରି କରିଥିଲା ଶଙ୍ଖା ସିନ୍ଦୁର ନାଇ ,ଆଜି ସେ । ଏବେ ପୁଣି ସାଗର। ସିଏ କିଏ ମୋତେ ସ୍ୱପ୍ନିଲଙ୍କ ବିରୁଦ୍ଧରେ କହିଲା ଆଉ ମୁଁ କେମିତି ତା କଥାକୁ ଆଖି ବୁଜି ବିଶ୍ୱାସ କଲି । ଆଉ ଏବେ ସୁରେଖା !ଆଜି ସେ ଗୋଟେ ବିରାଟ ଅନ୍ଧ ଖାଇ ଭିତରେ ପଶି ପଶି ଯାଉଛି । ଉଠିବାକୁ ରାହା ପାଉନି । ଆଖି ବନ୍ଦ କରି ପଡ଼ିଛି ତ ପଡ଼ିଛି । ବୋଧହୁଏ ଜୀବନର ଅନ୍ୟ ନାଁ ପ୍ରତିଟି ପାହାଚରେ ଠୋକର ଖାଇବା ଯାହା ଆରମ୍ଭ ହୋଇ ଯାଇଛି ।

ହଠାତ୍ ସାଗରର ମେସେଜ ୱାଟ୍ସ୍ଆପରେ ଟୁଙ୍ଗ୍ ଟାଙ୍ଗ୍ ହୋଇ ଧଡ଼ା ଧଡ଼ ଗୋଟେ ପରେ ଗୋଟେ ସ୍କ୍ରିନ ସଟ୍ । ଆସ୍ଥା ଆଶ୍ଚର୍ଯ୍ୟ ହୋଇ ଦେଖୁଛି । ଯାହାକୁ ନିଜଠାରୁ ଅଭିନ୍ନ ବୋଲି ଭାବିଥିଲା ତା’ ଠାରୁ ଏଭଳି କୁସ୍ଛିତ କଦାକାର କଥା । ସ୍ବପ୍ନରେ ବି ଭାବିନଥିଲା । ଯାହା କି ଆଗରୁ ସାଗର କହି ସାରିଥିଲା ସ୍ୱପ୍ନିଲଙ୍କ ବିଷୟରେ । ଝିଅମାନଙ୍କୁ ନେଇ ତାଙ୍କର ଏଭଳି କୁସ୍ଛିତ ମାନସିକତା ! ଓଃ କି ଅସହ୍ୟ ଆଉ ଘୃଣ୍ୟ ; ଭାବିଲା ବେଳକୁ ମୁଣ୍ଡ ଭିତରଟା ଫାଟିଯିବ ଯେମିତି ! ମେସେଜ ଉପରେ ବାରମ୍ବାର ନଜର ପକାଇ ଅତୀତକୁ ଫେରିଯିବା ବେଳେ ସାଗରର ଫୋନ କଲରେ ଫେରି ଆସିଲା ବର୍ତ୍ତମାନକୁ ।

କ୍ରମଶଃ

Leave A Reply

Your email address will not be published.