ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ହଁ, ମୁଁ ଠିକ୍ ସେଇୟା ହିଁ ଭାବୁଛି,” ଜର୍ଜ ନିଜକୁ ନିଜେ କହିଲା ଭଳି ଅନୁଚ୍ଚ ସ୍ୱରରେ ପ୍ରକାଶ କଲା । କିନ୍ତୁ ବିନା କିଛି ଉଚାରରେ ମ୍ୟାଥ୍ୟୁ ଅଲଗା ଆଡ଼କୁ ଚାହିଁ ରହିଲେ । ଏହି ସୁଯୋଗରେ କ୍ୟାପ୍ଟେନ୍ ନିଜ ସପକ୍ଷରେ ପୁଣିଥରେ ସଫେଇ ଦେବାକୁ ଚେଷ୍ଟା କଲେ । କିନ୍ତୁ ସେ କିଛି କହିବା ପୂର୍ବରୁ ଲୁକାସ୍ ତାଙ୍କୁ ସୂଚେଇ ଦେଇ କହିଲା, “ମୁଁ ଭାବୁଛି, ସମୟ ଗଡ଼ିଯାଉଛି । ଆମ ନିୟନ୍ତ୍ରଣ ଭିତରେ ନଥିବା ଘଟଣାକୁ ନେଇ ଆମେ ଯଦି ଏମିତି କେବଳ ଯୁକ୍ତି ତର୍କ କରି ଚାଲିଥିବା, ଆମେ ସମସ୍ତଙ୍କୁ ଖୁବ୍ ଭୟଙ୍କର ପରିସ୍ଥିତି ଭିତରକୁ ଠେଲି ଦେଉଛେ ବୋଲି ବୁଝିବାକୁ ପଡ଼ିବ ।”
ଏଥର ମ୍ୟାଥ୍ୟୁ ଏକ ଗଭୀର ପ୍ରଶ୍ୱାସ ନେଇ ଶାନ୍ତ ସ୍ୱରରେ କହିଲେ, “ମୁଁ ଭାବୁଛି ଲୁକାସ୍ ଠିକ୍ କଥାଟିଏ କହିଛି । ଏଇ ମୁହୂର୍ଚାରେ ହିଁ ସମସ୍ତେ ଏଠୁ ନିଜ ନିଜ କାମରେ ଯାଆନ୍ତୁ । ରିଆନ୍, ତମେ ଯାଇ ଜରୁରୀକାଳୀନ ବେଲ୍ ବଜେଇ ଦିଅ, ଯେଉଁଥିରେ ଯାତ୍ରୀମାନେ ଡେକ୍ରେ ଆସି ଏକାଠି ହେବେ । ପ୍ରସ୍ଥାନ ଦ୍ୱାର ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ବ୍ୟତୀତ, ଅନ୍ୟ ସମସ୍ତେ ଯାତ୍ରୀମାନଙ୍କ କଥା ବୁଝିବାରେ ସାହାଯ୍ୟ କରିବେ ।”
ସମସ୍ତେ ନିଜ ନିଜ କାମରେ ଲାଗିପଡ଼ିଲେ । ଲୁକାସ୍, ହେଲେନା, ଲୁନା ଓ ଜେକ୍ଙ୍କୁ ସାଙ୍ଗରେ ନେଇ ନିଜ ନିର୍ଦ୍ଧାରିତ ଦାୟିତ୍ୱ ତୁଲେଇବା ପାଇଁ ଜଗ୍ ଗଲାବେଳେ, ଜାହାଜର ବର୍ତ୍ତମାନ ସ୍ଥିତିକୁ ନେଇ ସମସ୍ତେ ଖୁବ୍ ଭାବପ୍ରବଣ ହୋଇଉଠୁଥିଲେ । ଲୁହ ଛଳଛଳ ଆଖିରେ ଯେତେବେଳେ ହେଲେନା କହିଲା, “ଆମେ ଜାଣିନେ ଯେ ଅଳ୍ପ କେତେଜଣ ହତଭାଗ୍ୟଙ୍କ ଭିତରେ ଆମେ ଅଛେ କି ନା?”, ପରିସ୍ଥିତିକୁ ହାଲ୍କା କରିବାକୁ ଯାଇ ଲୁକାସ୍ କହିଲା, “ଛାଡ଼ ସେସବୁ । ଆସ ସମସ୍ତେ ପରସ୍ପରକୁ ଏକାଠି ଆଲିଙ୍ଗନ କରିନେବା ।” ବାହୁରେ ବାହୁଛନ୍ଦି ଠିଆ ହୋଇଥିବା ବେଳେ ହିଁ ଜଗ୍ ବୁଝିପାରୁଥିଲା ଯେ ଜୀବନଟା ତାଙ୍କ ପାଇଁ କେତେ ମୂଲ୍ୟବାନ । ସେ ବୋଧେ ଏପର୍ଯ୍ୟନ୍ତ ସବୁକିଛିକୁ ଅତି ସାଧାରଣ ଭାବରେ ଗ୍ରହଣ କରିନେଇଥିଲା, କୌଣସି କଥାର ମୂଲ୍ୟ ବୁଝିପାରିନଥିଲା । ପ୍ରକୃତରେ ହରେଇ ଦେଲା ପରେ ହିଁ, ଗୋଟେ ଜିନିଷର ମୂଲ୍ୟ ମଣିଷ ବୁଝିପାରେ । ଏ କଥା ଭାବି ଜଗ୍ ଆଖିରେ କେଇ ବୁନ୍ଦା ଲୁହ ଜକେଇ ଆସିଲା ।
କ୍ରମଶଃ
Comments are closed.