Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ରୋହାନ୍ ଯେତେବେଳେ ଜଣାଇଲା ଯେ “ବେଗଲ” ଖାଇବା ପାଇଁ ବୀରା ନିକଟସ୍ଥ ଏକ କ୍ୟାଫେକୁ ଯାଇଛି, ସେତେବେଳେ ସିଡ଼୍ ଆଶ୍ଚର୍ଯ୍ୟ ହୋଇଥିଲେ ବି ଖୁସି ହୋଇଯାଇଥିଲା ଯେ ବୀରା ଧୀରେ ଧୀରେ ସହଜ ହେଲାଣି ।

ଏଇ ନିକଟରେ ବିଶ୍ରାମ ନେଇଥିବା ମନଗୁଡ଼ିକୁ ସୁପ୍ରଭାତ ଜଣାଇ ଅନେକ ଦିନ ପରେ ସକାଳର ସୂର୍ଯ୍ୟ ଉଇଁଲା । ଆଦୌ ଶୋଇ ନ ପାରି ସାରାରାତି କଡ଼ ଏପଟସେପଟ କରି ସମୟ ବିତେଇଥିବା ରୋହାନ୍ ଜାଣିଥିଲା ଯେ ସିଡ଼୍‌ର ବି ସେଇ ଏକା ଅବସ୍ଥା । ହଜାର ଚିନ୍ତା ଉଙ୍କିମାରି ତା’ ମୁଣ୍ଡଟାକୁ ଗୋଳମାଳିଆ କରିଦେଇଥିଲେ । ରାତି ଅଧରେ ସିଡ଼୍‌କୁ ଉଠେଇ ସେ କ’ଣ ଚିନ୍ତାକରୁଛି ବୋଲି ପଚାରିବାକୁ ମଧ୍ୟ ରୋହାନ୍ ଭାବୁଥିଲା । କିନ୍ତୁ ସେ ନିଜେ ସେ ଦିନର ସେ ଦୁର୍ଭାଗ୍ୟପୂର୍ଣ୍ଣ ସନ୍ଧ୍ୟା ବିଷୟରେ ଭାବି ହେଉଛି ବୋଲି ସିଡ଼୍ ଜାଣିଯାଉ, ସେ ଇଚ୍ଛା କରୁ ନଥିଲା । ପ୍ରକୃତରେ ସେ ଦିନ ବିଷୟରେ ନ ଭାବି ରହିପାରିବାଟା ଏକଦମ୍ ଅସମ୍ଭବ ବ୍ୟାପାର । ବୁଡ଼ିଯାଇଥିବା ଜାହାଜଟିରୁ କେତେଜଣ ବା ଏମିତି ବର୍ତ୍ତି ଯାଇଥିବେ ଯେ ଆଜି ସାମ୍ନାରେ ଛିଡ଼ାହୋଇ ସେମାନେ ବଞ୍ଚି ଯାଇଛନ୍ତି ବୋଲି ଆଶ୍ୱସ୍ତ ହେଉଥିବେ । ନିଶ୍ଚିତ ଭାବରେ ବେଶୀଲୋକ ଏତେ ଭାଗ୍ୟଶାଳୀ ନଥିବେ ।

ସମୀରା ସେଦିନ ସମୁଦ୍ର ଭିତରେ ଖସିପଡ଼ୁଥିବାର ଦୃଶ୍ୟ ରୋହାନ୍ ଆଖି ସାମ୍ନାରେ ବାରମ୍ବାର ଖସିପଡ଼ୁଥିଲା । ତା’ ସହିତ ବୀରାର ହତବାକ, ଭୟାତୁର ଶେତା ମୁହଁ ମଧ୍ୟ ତା\’ ଆଖି ଆଗରୁ ହଟୁ ନଥିଲା । ବୀରାର ବାପାମା’ଙ୍କ ଚିନ୍ତା ମଧ୍ୟ ତାକୁ ବେଶ୍ ବିବ୍ରତ କରିଚାଲିଥିଲା । ସେମାନେ ଯେତେବେଳେ ଜାଣିବେ ଯେ ତାଙ୍କ ବଡ଼ଝିଅ ଆଉ ଏ ସଂସାରରେ ନାହିଁ ଏବଂ ସାନଝିଅର ଏମିତି ମାନସିକ ଅବସ୍ଥା, ସେମାନେ ମଧ୍ୟ ଖୁବ୍‌
ଭାଙ୍ଗି ପଡ଼ିବେ । ଶେଷରେ, ଏମିତି ଗୁଡ଼ାଏ ଏଣୁତେଣୁ ଭାବନା ପରେ, ରୋହାନ୍ କେତେବେଳେ ଯେ ଶୋଇପଡ଼ିଛି, ତାକୁ ଜଣାନାହିଁ । ହଠାତ୍‌, କବାଟରେ ଠକ୍‌ଠକ୍ ଶବ୍ଦ ଶୁଣି, ତା’ ନିଦ ଭାଙ୍ଗିଲା । ଆଖି ମଳିମଳି ସେ ତା’ ସେଲ୍ ଫୋନ୍‌କୁ ଚାହିଁଲା, ଦେଖିଲା ସମୟ ସକାଳ ୬.୨୮ ମିନିଟ୍ । ଅଳସ ପାଦରେ କବାଟ ଖୋଲିବାକୁ ଯାଉଯାଉ କିଏ ବା ଡାକୁଥାଇପାରେ ଭାବି ରୋହାନ୍ ଆଶ୍ଚର୍ଯ୍ୟ ହେଉଥାଏ । କବାଟ ଖୋଲି ଦେଖେ ତ ସେଠି କେହି ନାହିଁ ।

କ୍ରମଶଃ

Leave A Reply

Your email address will not be published.