Latest Odisha News

BREAKING NEWS

ଅନୁବାଦ କବିତା : ପୋଦିନା

ଏପ୍ରିଲ୍ ୧୩,୧୯୩୯ ରେ ଉତ୍ତର ଆୟରଲ୍ୟାଣ୍ଡର ଏକ ଚାଷୀ ପରିବାରରେ ଜନ୍ମିତ ସେମୁସ୍ ହିନି ୧୯୬୦ ମଧ୍ୟଭାଗରୁ କବିତା ଲେଖା ଆରମ୍ଭ କରିଥିଲେ।୧୯୯୫ ମସିହାରେ ସେ ସାହିତ୍ୟ ରେ ନୋବେଲ୍ ପୁରସ୍କାର ପାଇଥିଲେ।ନିଜ ଅଞ୍ଚଳର ଗ୍ରାମ୍ୟ ଜୀବନର ଘଟଣା ପ୍ରବାହ ଠାରୁ ଆରମ୍ଭକରି ପରବର୍ତ୍ତୀ କାଳରେ ଅତୀ କ୍ରୀୟ, ରହସ୍ୟମୟ ଓ କଳ୍ପିତ ଉପକଥା ମାଧ୍ୟମରେ ତାଙ୍କ କବିତା ଶୀର୍ଷ ଛୁଇଁଥିଲା । ଅଗଷ୍ଟ ୩୦,୨୦୧୩ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା।

ମୂଳ ରଚନା : ସେମୁସ୍ ହିନି

ଘରକୁ ଲାଗିଥିବା ତିନିକୋଣିଆ
ଜାଗାଟିରେ, ଯେଉଁଠି ଆମେ
ଯାବତୀୟ ଅଳିଆ ଓ ଖାଲି ବୋତଲ
ଜମା କରୁଥିଲୁ,
ମେଞ୍ଚାଏ ଅରମା ଘାସ ଭଳି
ଛୋଟ ଛୋଟ ଧୂଳି ଧୂସରିତ
ବିଛୁଆତି ଚାରାଗୁଡ଼ିକ
ଆମ ନଜର ଏଡାଇ
ଅସବୁଜ ଆବର୍ଜନା ପରି
ଅତି ବିରକ୍ତିକର ଭାବରେ ମୁଣ୍ଡ ଟେକିଥିଲେ।

କିନ୍ତୁ ମାନିବାକୁ ପଡ଼ିବ
ସେଥିରେ ପ୍ରତିଶ୍ରୁତିର ଯାଦୁ ବି ଥିଲା
ଏବଂ ଆମ ଜୀବନର ପଛ ଅଗଣାରେ
ନୂତନ ସ୍ୱାଦର ଆଶ୍ୱାସ ଭରି
ସତେ ଯେମିତି କିଛି ଅପରିପକ୍ବ
ଅଥଚ ଦୃଢ଼ ପ୍ରତିଜ୍ଞ ଗୁଳ୍ମ
ସେଇ ସବୁଜ ଗଳିକୁ ମାଡ଼ି ଯାଇ
ବେଶ ଚକା ଚକା ହୋଇ ବଢ଼ି ଉଠିଥିଲା।

  • ରବିବାର ସକାଳର ଖରାରେ
    କଇଁଚି ମୁନର ସେଇ ଖଚଖଚ ଶବ୍ଦ
    ପୋଦିନା କଟା ହେବାର ସୁବାସ
    ଖୁବ୍ ଭଲ ଲାଗୁଥିଲା।
    ମୋର ଶେଷ ସଞ୍ଚିତ ପୁଞ୍ଜିତକ
    ଯଦିଓ ମୋ କବଳରୁ ଖସି ଯାଉଥିଲା
    ତଥାପି ଯାହାବି ଅତିରିକ୍ତ ଏବେ ବି ବଞ୍ଚି
    ରହିଛି ଆଜି ମୁକ୍ତ ହୋଇଯାଉ।

ସେ ଘାସର ବାସ୍ନା
ହୋଇଯାଉ ମତ୍ତ, ଅସହାୟ
ସେଇ ଅଗଣାର ପଡୋଶୀମାନେ
ମୁକ୍ତ ହେଲାପରି, ଯାହାଙ୍କୁ ଆମେ
ଅବଜ୍ଞାରେ ଠେଲିଦେଇଥିଲେ,
କାରଣ ଆମେ ଆମର ଅବହେଳା
ଯୋଗୁଁ ତାଙ୍କ ପ୍ରତି ଅନ୍ୟାୟ କରି
ତାଙ୍କୁ ନିରାଶ କରିଥିଲେ।

ଅନୁବାଦ : ମନୋରଞ୍ଜନ ହୋତା

Leave A Reply

Your email address will not be published.