Latest Odisha News

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

ବୀର ହନୁମାନ ସେତେବେଳେ ମେଘନାଦ ସହ ପଶ୍ଚିମ ଦ୍ୱାରରେ ଯୁଦ୍ଧ କରୁଥାଆନ୍ତି। ପ୍ରାଚୀର ଦରଜା ଏତେ ମଜବୁତ ଥିଲା ଯେ ତାକୁ ଭାଙ୍ଗିବା କଷ୍ଟକର ହୋଇ ପଡୁଥିଲା। ଏପଟେ ବାନରସେନାଙ୍କର ଭୟାର୍ତ୍ତ ଚିତ୍କାର ଶୁଣି କ୍ରୋଧିତ ହନୁମାନ ହସ୍ତରେ ଏକ ବିରାଟ ପ୍ରସ୍ତରଖଣ୍ଡ ଧରି ଏକ ଲମ୍ଫରେ ଲଙ୍କା ମଧ୍ୟରେ ପ୍ରବେଶ କରିଗଲେ ଏବଂ ମେଘନାଦର ରଥ ଭାଙ୍ଗି , ସାରଥିକୁ ବଧ କଲେ ଓ ମେଘନାଦ ଛାତିକୁ ପଦଦ୍ୱାରା ଶକ୍ତ ପ୍ରହାର କଲେ ।

ମେଘନାଦକୁ ଏପରି ଅସହାୟ ଅବସ୍ଥାରେ ଦେଖି ଅନ୍ୟ ଏକ ସାରଥୀ ତାକୁ ପ୍ରାସାଦ ମଧ୍ୟକୁ ନେଇଗଲା। ହନୁମାନଙ୍କ ସହ ଅଙ୍ଗଦ ଆସି ରାବଣ ମହଲ ଉପରେ ଥିବା କଳସକୁ ଖୁବ ଜୋରରେ ହଲେଇବାକୁ ଲାଗିଲେ ଏବଂ ରାମଙ୍କର ଜୟଗାନ କରିବାକୁ ଲାଗିଲେ।

ପ୍ରାସାଦଟି ପ୍ରଚଣ୍ଡ ଭାବରେ ଦୋହଲୁଥିବା ଦେଖି ରାବଣ ଭୟଭୀତ ହୋଇପଡ଼ିଲେ ମଧ୍ୟ ନିଜର ଭାବନା ନିଜ ଭିତରେ ଲୁଚାଇ ରଖିବା ପାଇଁ ଚେଷ୍ଟା କରୁଥିଲା। ପୁରନାରୀଗଣ ଆତଙ୍କିତା ହୋଇ କହୁଥିଲେ, ଗୋଟିଏ ବାନର ତ ଲଙ୍କା ଦହନ କରି ଚାଲିଯାଇଥିଲା, ଏବେ ଦୁଇ ଦୁଇଟି ବାନର !! କ’ଣ ଯେ ହେବ ଆଗକୁ!!…

ଭଗବାନ ଶିବ, ପାର୍ବତୀଙ୍କୁ କହିଲେ, ” ରାମଙ୍କ ପ୍ରତି ରାକ୍ଷସମାନେ ବୈରଭାବ ରଖିଥିଲେ ମଧ୍ୟ ତାଙ୍କୁ ସ୍ମରଣ ତ କରୁଥିଲେ, ସେଥିପାଇଁ ପରମ କୃପାଳୁ ପ୍ରଭୁ ଶ୍ରୀରାମ ଯୁଦ୍ଧରେ ମୃତ୍ୟୁ ଲାଭ କରିଥିବା ରାକ୍ଷସମାନଙ୍କୁ ପରମଗତି ( ମୋକ୍ଷ ) ପ୍ରଦାନ କଲେ।

ହେ ଉମା ! ପ୍ରଭୁଙ୍କ ନାମ ସ୍ମରଣ ଓ କୀର୍ତ୍ତନ କରୁ ନ ଥିବା ପ୍ରାଣୀ ନିଶ୍ଚିତ ଭାବରେ ଭାଗ୍ୟହୀନ ଅଟନ୍ତି। ”

ରାବଣର ଶକ୍ତିଶାଳୀ ପୁତ୍ର ଅତିକାୟ ଓ ଅକମ୍ପନ ମାୟା ପ୍ରୟୋଗ କରି ଚତୁର୍ଦ୍ଦଗ ଘନ ଅନ୍ଧକାରରେ ଆଚ୍ଛାଦିତ କରି ଆକାଶ ମାର୍ଗରୁ ଶୋଣିତ, ଅସ୍ଥି ଓ ଭସ୍ମ ଇତ୍ୟାଦିର ବର୍ଷଣ କଲେ।

 

କ୍ରମଶଃ..

Leave A Reply

Your email address will not be published.