Latest Odisha News

BREAKING NEWS

ବାଲେଶ୍ୱର: ଢାବାରୁ ଉଦ୍ଧାର ହେଲା ବାଳକର ଝୁଲନ୍ତା ଶବ, ପୋଲିସକୁ ପିଟିଲେ ସ୍ଥାନୀୟ ଲୋକେ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ବାଲିଆପାଳ ନିକଟ ଏକ ଢାବାରୁ ଆଜି ସକାଳେ
ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକର ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି ।

ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ବାସିନ୍ଦା ବାଲିଆପାଳର ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଶୁକ୍ରବାର ଦିନ ବାଲିଆପାଳ-ବସ୍ତା ରୋଡସ୍ଥିତ ଇଡକୋ ଛକ ନିକଟରେ ଥିବା ଏକ ଢାବାରେ ଜଣେ ନାବାଳକର ରହସ୍ୟଜନକ ଭାବେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ।

ମୃତକଙ୍କ ନାମ ବିଜୟ ଦଳାଇ ଓ ତାଙ୍କ ଘର ଉଲୁଡା ଗ୍ରାମରେ ବୋଲି ଜଣାପଡିଛି ।

ଏହି ଖବର ପ୍ରଚାରିତ ହେବା ପରେ ମୃତକଙ୍କ ପରିବାର ବର୍ଗ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଢାବାରେ ଭଙ୍ଗାରୁଜା କରିବା ସହ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ।

ପରେ ସୂଚନା ପାଇ ଆଇଆଇସି ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜିତ ସ୍ଥାନୀୟ ଲୋକେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଲାଗି ଦାବି କରିଥିଲେ । ପରବର୍ତ୍ତୀ ସମୟରେ କୌଣସି କାରଣବଶତଃ ସେମାନେ ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ଗୋଡାଇ ଗୋଡାଇ ପିଟିଥିବା ଜଣାପଡିଛି ।

ଅନ୍ୟପକ୍ଷରେ କୌଣସି ପ୍ରକାର ଅପ୍ରିତିକର ସ୍ଥିତିକୁ ଏଡାଇବାକୁ ଯାଇ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ତେବେ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.