Latest Odisha News

BREAKING NEWS

ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ ନୟାଗଡ଼ ଚିନି କଳ ଓ ବୃତଙ୍ଗ ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ କହିଛନ୍ତି । ଆଜି ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ଗହଣରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି । ରାଜ୍ୟର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀଙ୍କୁ ୫,୧୬୩ କୋଟି ର ଉର୍ଦ୍ଧ୍ବ ଟଙ୍କା ପ୍ରଦାନ କରାଯାଇଛି । ଏଥିରେ ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ହିତାଧିକାରୀ ଅନ୍ତର୍ଭୁକ୍ତ ଅଛନ୍ତି ।

ଉପସ୍ଥିତ ସୁଭଦ୍ରା ମା ଓ ଭଉଣୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ସୁଭଦ୍ରା ଯୋଜନା କେବଳ ଟଙ୍କା ଆବଣ୍ଟନର ଅବସର ନୁହେଁ, ଏହା ହେଉଛି ନାରୀ ସଶକ୍ତିକରଣର ପ୍ରତୀକ ଏବଂ ରାଜ୍ୟର ଅଧା ଜନସଂଖ୍ୟା ପ୍ରତି ଆମ ସରକାରଙ୍କ ପ୍ରତିବଦ୍ଧତା ।

ନାରୀ ସଶକ୍ତିକରଣର ପ୍ରକୃତ ଅର୍ଥ ବ୍ୟାଖ୍ୟା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳାମାନଙ୍କୁ ସାମାଜିକ, ରାଜନୈତିକ ତଥା ଆର୍ଥିକ ସ୍ତରରେ ଆତ୍ମନିର୍ଭର କରି ନିଜ ପାଇଁ ନିଜେ ନିଷ୍ପତ୍ତି ନେବାର ଅଧିକାର ଦେବା ହିଁ ଅସଲ ସଶକ୍ତିକରଣ।

IIM ସମ୍ବଲପୁର ଓ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସର୍ଭେ ରିପୋର୍ଟକୁ ଉଦ୍ଧୃତ କରି ସେ ପ୍ରକାଶ କରିଛନ୍ତି ଯେ ପ୍ରାୟ ୮୦ ପ୍ରତିଶତ ମହିଳା ସୁଭଦ୍ରା ସହାୟତାକୁ କେବଳ ଦୈନନ୍ଦିନ ଆବଶ୍ୟକତା ପାଇଁ ଖର୍ଚ୍ଚ ନକରି, ଦୀର୍ଘମିଆଦୀ ଆର୍ଥିକ ସୁରକ୍ଷା, ବ୍ୟବସାୟ ଓ ବିକାଶ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ୮୭.୧୯ ପ୍ରତିଶତ ହିତାଧିକାରୀ ସୁଭଦ୍ରାକୁ ଅତ୍ୟନ୍ତ ଉପଯୋଗୀ ବୋଲି ମତ ଦେଇଛନ୍ତି । ମହିଳାଙ୍କ ଆକାଉଣ୍ଟ ବାଲାନ୍ସ ଓ ମାସିକ ଖର୍ଚ୍ଚରେ ବୃଦ୍ଧି ଘଟିଛି ।

ଧାର୍ଯ୍ୟ ଲକ୍ଷ୍ୟ ପୂର୍ବରୁ ୨୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରି ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ।

ଏହାସହ ମୁଖ୍ୟମନ୍ତ୍ରୀ କନ୍ୟାବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଏବଂ ରାଜ୍ୟ ବଜେଟ୍‌ରେ ମହିଳାଙ୍କ ପାଇଁ ୧ ଲକ୍ଷ ୨୨ ହଜାର ୭୬୪ କୋଟି ଟଙ୍କାର ଐତିହାସିକ ବ୍ୟୟବରାଦ ବିଷୟରେ ସେ ଆଲୋକପାତ କରିଥିଲେ।

ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ୧୧୬ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲାବାସୀଙ୍କୁ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସହଯୋଗରେ ଖୁବ୍ ଶୀଘ୍ର ନୟାଗଡ଼ ଚିନି କଳ ପ୍ରତିଷ୍ଠା ସହିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ।

ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ ସୁଭଦ୍ରା ହେଉଛି ମା ଓ ଭଉଣୀ ମାନଙ୍କ ସ୍ୱପ୍ନ, ସମ୍ମାନ ଓ ସ୍ୱାବଲମ୍ବନର ପ୍ରତୀକ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆମ ବସ୍ ରେ ମା ଓ ଭଉଣୀ ମାନଙ୍କ ପାଇଁ ମାଗଣା ଯାତ୍ରା ସୁବିଧା କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ସୁଭଦ୍ରା ଆଜି ମହିଳାମାନଙ୍କୁ ନିଜେ ନିଷ୍ପତ୍ତି ନେବାର ଓ ଉଦ୍ୟୋଗୀ ବନିବାର ସୁଯୋଗ ପ୍ରଦାନ କରିଛି ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସୁଭଦ୍ରା ହେବ ବିକାଶର ମୂଳପିଣ୍ଡ ବୋଲି ସେ କହିଥିଲେ।

Leave A Reply

Your email address will not be published.