Latest Odisha News

BREAKING NEWS

ଗୋପାଳକୁ ବଞ୍ଚାଇବାକୁ ପାରୁ ପର୍ଯ୍ୟନ୍ତ ଲାଗିଛି ଓଡ଼ିଶା ସରକାର: ଜୟନାରାୟଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳକୁ ସୁରକ୍ଷା ଦିଆଯାଉଛି । ଗୋପାଳକୁ ବଞ୍ଚାଇବାକୁ ପାରୁ ପର୍ଯ୍ୟନ୍ତ ଲାଗିଛି ଓଡ଼ିଶା ସରକାର । ଆଜି ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ବିରୋଧୀ ଦଳ ନେତା କହିଛନ୍ତି, ପୋଲିସ ଗୋପାଳକୁ କାହିଁକି ପାଗଳ ସଜାଇବାକୁ ଚାହୁଁଛି ତାହା ଅତି ସ୍ପଷ୍ଟ । ଭାରତୀୟ ସମ୍ବିଧାନର ଦଣ୍ଡବିଧାନ ଆଇନ୍ ଅନୁସାରେ ପାଗଳ ପାଇଁ କୋହଳ ଅଛି । ଆଉ ଗୋପାଳକୁ ପାଗଳ ସଜାଇ ଦଣ୍ଡ ବିଧାନକୁ କୋହଳ କରିବା ଲାଗି ଯୋଜନା କରାଯାଉଥିବା କହିଛନ୍ତି ଜୟନାରାୟଣ ମିଶ୍ର ।

ଗୋପାଳ ଦାସ ଦ୍ୱାରା ନବ ଦାସଙ୍କୁ ହତ୍ୟା ପଛରେ କିଏ ? ହତ୍ୟାର ଉଦ୍ଦେଶ୍ୟ କଣ ? ତଦନ୍ତରୁ ଏସବୁ ବାହାର କରିବା ଲାଗି ଏବେ ଯାଏ ଚେଷ୍ଟା କରାଯାଉ ନାହିଁ । ଅନ୍ୟପଟେ ନବଙ୍କୁ ଗୋପାଳ ଗୁଳି କରିବାର କିଛି ସମୟ ପରେ ସ୍ତ୍ରୀ ଓ ଡାକ୍ତର ମାନସିକ ରୋଗୀ ବୋଲି ମନ୍ତବ୍ୟ ଦେବା ଏକ ଷଡ଼ଯନ୍ତ୍ର । ଏହା ପଛରେ ନିଶ୍ଚିତ ଷଡ଼ଯନ୍ତ୍ର ରହିଛି ।

ତଦନ୍ତରେ ଷଡ଼ଯନ୍ତ୍ରକୁ ଧରାଯିବା କଥା । ଘଟଣାକୁ ଏକ ଟ୍ୱିଷ୍ଟ ଦେବାକୁ ଚେଷ୍ଟା କରାଯାଉଛି । ଯେଉଁମାନେ ସୁପାରି ଦେଇଛନ୍ତି, ସେମାନେ ଗୋପାଳକୁ ବୋଧେ ଆସୁରାନ୍ସ ଦେଇଛନ୍ତି । ହତ୍ୟା କଲେ ବି ତୋ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ତୋତେ ବଞ୍ଚାଇ ଦିଆଯିବ । ଯେଉଁଥିପାଇଁ ସରକାର ପାରୁ ପର୍ଯ୍ୟନ୍ତ ଲାଗିଥିବା ଜୟନାରାୟଣ କହିଛନ୍ତି ।

ଗୋପାଳ ପାଗଳ ନୁହେଁ ବୋଲି ଡାକ୍ତରୀ ଦଳ କହିଥିବା ବେଳେ କାହିଁକି ପୋଲିସ ପ୍ରମାଣିତ କରିବାକୁ ଚାହୁଁଛି ? କାହିଁକି ଅଧିକ ପରୀକ୍ଷା ପାଇଁ ପୋଲିସ ଚାହୁଁଛି ? ଡାକ୍ତରୀ ଦଳ ଦେଇଥିବା ରିପୋର୍ଟକୁ ଚୂଡ଼ାନ୍ତ ବୋଲି ଧରି ନିଅନ୍ତୁ । ଯଦି ମାନସିକ ଅବସ୍ଥା ଠିକ୍ ନାହିଁ ତାହେଲେ କେମିତି ବୟାନ ରେକର୍ଡ କଲେ, ମାଜିଷ୍ଟ୍ରେଟଙ୍କ ନିକଟରେ କିଭଳି ହାଜର କଲେ ।

ହତ୍ୟା ଓ ଗୋପାଳକୁ ଖସାଇବା ଷଡ଼ଯନ୍ତ୍ରରେ ବଡ଼ ବଡ଼ ଲୋକ ସମ୍ପୃକ୍ତ । ଏ ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଉ । ନହେଲେ ଅନ୍ୟ ଘଟଣା ଭଳି ଓଡ଼ିଶା ପୋଲିସ ମଧ୍ୟ ଏ ଘଟଣାକୁ ଚପାଇ ଦେବ ବୋଲି ଆଶଙ୍କା କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

Leave A Reply

Your email address will not be published.