Latest Odisha News

BREAKING NEWS

ମହାବିଷୁବ ସଂକ୍ରାନ୍ତି

ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ଆଲେଖ୍ୟ

ଆମର କୃଷିଭିତ୍ତିକ ସମାଜ ଓ ସଂସ୍କୃତି ଯୁଗେ ଯୁଗେ ଧର୍ମ ଓ ଆଧ୍ୟାତ୍ମିକ ବିଶ୍ୱାସ ଭିତରେ ଗତି କରି ଆସିଛି ଓ ବିଭିନ୍ନ ତିଥିକୁ ନେଇ ଭିନ୍ନ ପ୍ରକାର ପର୍ବ ପର୍ବାଣି ଓ ଓଷା ବ୍ରତ ସୃଷ୍ଟି କରିଛି। କୃଷିପ୍ରଧାନ ଅଞ୍ଚଳରେ ସୂର୍ଯ୍ୟଙ୍କର ଗତିକୁ ଲକ୍ଷ୍ୟ କରାଯାଇ ମାସ ଓ ବର୍ଷ ଗଣନା କାର୍ଯ୍ୟ କରାଯାଏ। ସେ ଦୃଷ୍ଟିରୁ ବୈଶାଖ ମାସର ପ୍ରଥମ ସଂକ୍ରାନ୍ତି ଓ ବର୍ଷର ପ୍ରଥମ ଦିନ ଭାବେ ପରିଚିତ ଏହି ଦିନକୁ ମହା ବିଷୁବ ସଂକ୍ରାନ୍ତି କୁହାଯାଏ। ପୁରାଣର ବର୍ଣ୍ଣନା ଅନୁସାରେ ଏ ଦିନଟି ହେଉଛି ବୃନ୍ଦାବତୀ ବା ତୁଳସୀଙ୍କ ଜନ୍ମଦିନ । ଜନ୍ମଦିନ ଅବସର ରେ ଓଡିଶାର ପ୍ରାୟ ସବୁ ଅଞ୍ଚଳରେ ତାଙ୍କୁ ଜଳଦାନ କରି ଧର୍ମ ଅର୍ଜନ କରିବା ବିଶ୍ୱାସ ଲୋକମୁଖରେ ପ୍ରଚଳିତ ହୋଇ ଆସୁଛି। ସୂର୍ଯ୍ୟଙ୍କର ଉତ୍ତପ୍ତ କିରଣ ଯୋଗୁଁ ଜୀବଜନ୍ତୁ, ବୃକ୍ଷଲତା ଆଦି ଗ୍ରୀଷ୍ମ ଋତୁରେ ଅତିଷ୍ଠ ହୋଇ ପଡନ୍ତି। ତେଣୁ ବିଭିନ୍ନ ସ୍ଥାନରେ ଜଳଦାନ, ଜଳଛତ୍ର ଆଦି ଖୋଲିବାର ପରମ୍ପରା ରହିଛି ।

ମହା ବିଷୁବ ସଂକ୍ରାନ୍ତିର ଅନ୍ୟ ଏକ ବିଶେଷତ୍ୱ ହେଉଛି ଭକ୍ତଶ୍ରେଷ୍ଠ ହନୁମାନଙ୍କ ଜନ୍ମଦିନ। ହନୁମାନ ସଦା ସର୍ବଦା ରାମ ଭାବରେ ପୂର୍ଣ୍ଣ ହୋଇଥାନ୍ତି। ଥରେ ହନୁମାନଙ୍କୁ ଦେବର୍ଷି ନାରଦ ପଚାରିଥିଲେ, “ରାମଙ୍କ ସହ ତୁମର ସମ୍ପର୍କ କଣ?” ଏହାର ଉତ୍ତର ରେ ଭକ୍ତ ହନୁମାନ କହିଥିଲେ :

“ଦେବ ବୁଦ୍ଧିରେ ମୁଁ ରାମଙ୍କର ଦାସ
ମନ ବୁଦ୍ଧିରେ ମୁଁ ତାଙ୍କର ଅଂଶ ଓ ବନ୍ଧୁ
ଆତ୍ମବୁଦ୍ଧିରେ ହିଁ ମୁଁ ରାମ ।”

ସନ୍ଥ ବଳରାମ ଦାସ “ଦାଣ୍ଡି ରାମାୟଣ “ରେ ଲେଖିଛନ୍ତି ଯେ, ମେଷ ବା ପଣା ସଂକ୍ରାନ୍ତି ଦିନ ହନୁମାନ ଏ ଧରା ପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ। ଏହା ଦଣ୍ଡ ପୂଜାର ସମାପ୍ତ ଦିନ ହୋଇଥିବାରୁ ଦଣ୍ଡ ପୂଜକମାନେ ହନୁମାନଙ୍କ ଅଂଶ ବୋଲି ଅନୁମିତ ହୁଏ। ଏହିଦିନ ପୁରୀର ସେବକମାନେ ନାଗସାପ ଧରି ସେମାନଙ୍କୁ ଶାସନ କରିବା କୌଶଳ ଦେଖାନ୍ତି। କାଳୀୟ ନାଗକୁ ଦମନ କରି କୃଷ୍ଣ ପଦ୍ମ ତୋଳି କଂସ ପାଖକୁ ପଠାଇଥିଲେ। ପାଣିନୀଙ୍କ କଂସ ବଧ ଉକ୍ତି ସମ୍ବନ୍ଧରେ ପାତଞ୍ଜଳି ଭାଷ୍ୟରେ କୁହାଯାଇଛି ଯେ, ଗ୍ରନ୍ଥିକମାନେ ଦୁଇ ଦଳ ରେ ବିଭକ୍ତ ହୋଇଥିଲେ। ଦଳେ କୃଷ୍ଣମୁଖା ଓ ଦଳେ ରକ୍ତମୁଖା। କୃଷ୍ଣମୁଖାଙ୍କୁ ହନୁମାନ ଓ ରକ୍ତମୁଖା ଙ୍କୁ ପାତି ମାଙ୍କଡ଼ ବୋଲି ଗ୍ରହଣ କରାଯାଏ। ହନୁମାନଙ୍କର ଅଶୋକ ଧର୍ମ ଥିବାରୁ ସେ ଅଶୋକ ବନରେ ସୀତାଙ୍କୁ ଠାବ କରିଥିଲେ। ଏହି ଅଶୋକ ଧର୍ମ ଓ ତନ୍ତ୍ର ପୂଜା କଂସ ଧର୍ମ ଲୋପ କରିଥିବାର ଅନୁମାନ କରାଯାଏ। ଦଣ୍ଡପୂଜାକୁ ରାମାୟଣରେ ଦଣ୍ଡକାରଣ୍ୟ କୁହାଯାଏ। କାରଣ ରାଜା ଦଣ୍ଡ ଭୃଗୁ ଋଷି ଙ୍କ କନ୍ୟା “ଅରଜ୍ୟ ” ବା ରଜସ୍ୱଳା ପ୍ରାପ୍ତ ହୋଇ ନଥିବା କନ୍ୟାକୁ ବିବାହ କରିଥିବାରୁ ଦଣ୍ଡକାରଣ୍ୟର ଉତ୍ପତି ହୋଇଛି। ଦଣ୍ଡ ପୂଜାର ଆଖ୍ୟାନ ଅନୁସାରେ ଚଡୟା ଅରଣ୍ୟରେ ପକ୍ଷୀବଧ କରୁଥିଲା ଓ ଆଦିବାସୀ ରମଣୀ ହରଣ କରୁଥିଲା। ଦଣ୍ଡପୂଜାକୁ ବଙ୍ଗଳାରେ ଚଡକ ପୂଜା କହନ୍ତି। ଓଡ଼ିଆ ରେ ବଜ୍ରକୁ ଚଡକ କୁହନ୍ତି। ଇନ୍ଦ୍ରିୟର ଅପବ୍ୟବହାର ରୋକିବା ପାଇଁ ଦଣ୍ଡ ପୂଜା ପ୍ରଚଳିତ ହୋଇଥିବାର ଅନୁମାନ କରାଯାଏ। ଶରୀରକୁ କ୍ଷତ ବିକ୍ଷତ କରିବା ଦଣ୍ଡ ପୂଜାର ବିଧିକୁ ଦୀର୍ଘତମା ଋଷି ବାରଣ କରିଛନ୍ତି। ରାମାୟଣ ଅନୁସାରେ ଦଣ୍ଡକାରଣ୍ୟରେ ଦେବ ଓ ଅସୁର ଯୁଦ୍ଧ ରେ ସମ୍ବାରସୁର ଦଶରଥଙ୍କୁ କ୍ଷତ ବିକ୍ଷତ କରିଥିଲା ଓ ଇନ୍ଦ୍ର ସମ୍ବରର ନଗରୀ ଭାଙ୍ଗିଥିବାର କୁହାଯାଏ। ମୁଦ୍ରା ରାକ୍ଷସ ଓ ରାମାୟଣ ଉଭୟରୁ ସୂଚନା ମିଳେ ଯେ ଏହି ଦଣ୍ଡ ପୂଜା ଆମ ଦେଶରେ ଲୋପ ହୋଇ ପୁଣି ଏହାର ପ୍ରୟୋଜନିୟତା ଉପଲବ୍ଧି କରାଯାଇଥିଲା। ଯୁବକମାନଙ୍କ ପ୍ରତି ତୀକ୍ଷଣ ଦୃଷ୍ଟି ରଖିବା ପାଇଁ ସେ ସମୟର ଶାସନ କର୍ତ୍ତାମାନଙ୍କୁ ଉପଦେଶ ଦିଆଯାଇଥିବା ଧଉଳି ଶିଳାଲିପି ରେ ଉଲ୍ଲେଖ ଥିଲା।

ଏ ସବୁ ପୁରାଣ ଓ ଇତିହାସର ତଥ୍ୟ କଥା ଛଡା ଦଣ୍ଡ ନାଟରେ ମୁଖ୍ୟତଃ ଆରାଧ୍ୟ ଦେବତା ହେଉଛନ୍ତି ଶିବ ଓ ପାର୍ବତୀ। ଦେବୀଙ୍କ ପ୍ରତିନିଧିତ୍ବ କରୁଥିବା ଘଟ ଦେହୁରୀ ବା ଭକ୍ତାଙ୍କ ଦ୍ୱାରା ପୂଜିତ ହୋଇଥାନ୍ତି । ଏହି ଘଟ ରେ ଥିବା ଜଳକୁ ଶକ୍ତିଦେବୀ ରୂପେ କଳ୍ପନା କରାଯାଏ । ଏହି ଯାତ୍ରା ଉତ୍ସବ ପ୍ରଧାନ ଆକର୍ଷଣ ହେଉଛି ନିଆଁ ପାଟ, ଝୁଲା ପାଟ, ଉଡ଼ାପାଟ, ଝାଡଭଙ୍ଗା ଇତ୍ୟାଦି । ଏହି ଦଣ୍ଡ ଯାତ୍ରା ବହୁକାଳର କିନ୍ତୁ ଯାତ୍ରା ଗୀତର ଭାଷା ଆଧୁନିକ ଓ ଏଥିରେ ବ୍ୟବହୃତ ଗୀତ ସର୍ବଦା ସମୟ ଅନୁସାରେ ବଦଳିଛି ଓ ବଦଳୁଥିବ।

Leave A Reply

Your email address will not be published.