ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ

ଓଡିଶାର ପ୍ରଥମ ମହାଚିନ୍ତକ ହରିହର ଦାସ ଓ ଓଡିଆ ଜାଗୃତିର ପ୍ରଥମ ସୋପାନ

କେଦାର ମିଶ୍ର

କଳା ରଙ୍ଗର ସେ ସୁଟ ଟି ତାଙ୍କ ଦେହକୁ ବେଶ ମାନୁଥିଲା। ଧୋତି ଓ ଗାମୁଛା ଫୋପାଡି ଦେଇ ସେ ଯେତେବେଳେ ତାଙ୍କ ପୁରୁଣା ସିନ୍ଦୁକରୁ କଳାରଙ୍ଗର ସୁଟଟିକୁ ବାହାର କଲେ, ତାଙ୍କୁ ଶୁଭିଲା ଗୋଟେ ଅଚିହ୍ନା ବନ୍ଦରର କୋଳାହଳ ଓ ସତେକି ସେ ଗୋଟେ ଜାହାଜର ପାହାଚ ଚଢିବା ଆରମ୍ଭ କରୁଛନ୍ତି। ଆହୁରି ମଧ୍ୟ ବହୁ ଦୂରରେ ଦୃଶ୍ୟମାନ ହେଲା ଲଣ୍ଡନ ସହର। ହଁ, ସେ ବିଲାତ ଯିବେ ବୋଲି ଏ ସୁଟ ଟି ତିଆରି ହୋଇଥିଲା। ପୁରୀ କଲେକ୍ଟର ଗେଡିସ ସାହେବଙ୍କ ପରାମର୍ଶକ୍ରମେ ପୁରୀର ଜଣେ ଦର୍ଜୀ ବଡ କଷ୍ଟରେ ୟାକୁ ସିଲେଇ କରିଥିଲେ। ୧୮୭୦ ବେଳକୁ ପୁରୀରେ ପ୍ୟାଣ୍ଟ, କୋଟ ଓ ଟାଇ ତିଆରି କରିବା ଗୋଟେ କମ ବଡ କ୍ରାନ୍ତି ଥିଲା। ୟାକୁ ପିନ୍ଧି ସେ ବିଲାତ ଯାଇଥାନ୍ତେ। ମାତ୍ର ୩୨ ବର୍ଷ ବୟସରେ କେତେକଣ କରି ପକାଇବାର ଭାବନା ଭିତରେ, ଗୋଟେ ବଡ ଭାବନା ଥିଲା ବିଲାତ ଯାଇ ଇଂରାଜୀ ପଢିବା। ସେ ଅଭିଳାଷ କିନ୍ତୁ ଅପୂରଣୀୟ ହୋଇ ରହିଗଲା। ଏବେ କେବଳ କଳା ରଙ୍ଗର ସୁଟ ଟି ଅଛି। ସେ ତାକୁ ଟଳମଟଳ ପାଦରେ ପିନ୍ଧିବା ଆରମ୍ଭ କଲେ। ତାଙ୍କୁ ବଡ ଥକା ଲାଗୁଥିଲା ଓ ସେ ଧଇଁସଇଁ ହୋଇ ପଡୁଥିଲେ। ତାଙ୍କ ପାଟିରୁ ଶବ୍ଦ ଫିଟୁ ନଥିଲା। ଅନର୍ଗଳ ସଂସ୍କୃତ, ଇଂରାଜୀ, ଲାଟିନ ଓ ଗ୍ରୀକ ଭାଷାରେ କଥା କହିପାରୁଥିବା ଲୋକଟି ହଠାତ ମୂକ ପାଲଟି ଯାଇଥିଲେ। ଘର ଲୋକେ ଭାବୁଥିଲେ ତାଙ୍କର ମୁଣ୍ଡ କାମ କରୁନି। ତେଣୁ ବାହାରୁ ତାଲା ଦେଇ ତାଙ୍କୁ ଏକପ୍ରକାର ବନ୍ଦୀ କରି ରଖାଯାଇଥିଲା। ସୁଟ ଟି ପିନ୍ଧିବା ବେଳେ କେତେବେଳେ ଘର ଭିତରେ ଜଳୁଥିବା ପୋଲାଙ୍ଗ ତେଲର ଦୀପରୁ ନିଆଁ ଲାଗି ତାଙ୍କ ବିଛଣା ପୋଡିବା ଆରମ୍ଭ କରିଥିଲା। ଏବେ କୋଠରି ସାରା କେବଳ ନିଆଁ ଓ ଧୂଆଁ। ସେ ନିଆଁ ଓ ଧୂଆଁ ର କୁଣ୍ଡଳୀ ଭିତରେ ସୁଟ ପିନ୍ଧା ୩୨ ବର୍ଷ ବୟସ୍କ ଜଣେ ମହା ପଣ୍ଡିତ ଜଳି ଯାଉଛନ୍ତି। ମୂକ ହୋଇପଡିଥିବା ପାଟି ଫିଟି ଆସୁଛି। ମରଣକୁ ଆଲିଙ୍ଗନ କଲାବେଳେ ସେ ଗୋଟେ ଶ୍ଳୋକ ବୋଲୁଛନ୍ତି- “ନ ଧ୍ୟାତମ ପଦାମୀଶ୍ଵରସ୍ୟ ବିଧିବତ ସଂସାର ବିଚିନ୍ତୟେ…ଯାହାର ଅର୍ଥ ହେବ- ସଂସାରରୁ ବିଧିବତ ନିସ୍ତାର ପାଇବା ଲାଗି ଈଶ୍ବରଙ୍କର ଧ୍ୟାନ ମୁଁ କରିନାହିଁ। ସ୍ବର୍ଗଦ୍ବାରର କବାଟ ଫିଟାଇବାକୁ ସମର୍ଥ ଯେଉଁ ଧର୍ମ ତାକୁ ମୁଁ ଅର୍ଜନ କଲିନାହିଁ। କାମନାରେ ନାରୀ ସଙ୍ଗ ମଧ୍ୟ ଇଚ୍ଛା କଲିନାହିଁ। କେବଳ ମୋ ମା ର ଯୌବନରୂପ ବନକୁ କୁରାଢି ହୋଇ କାଟିବାକୁ ମୁଁ ଜନ୍ମ ହୋଇଥିଲି।” ତାଙ୍କର ମୃତ୍ୟୁ ଓ ଏହି ଶ୍ଳୋକ ସହିତ ଓଡିଆ ଜାତିର ଇତିହାସରେ ଗୋଟେ ସ୍ଵର୍ଣ୍ଣିମ ଅଧ୍ୟାୟ ମଧ୍ୟ ଜଳିଗଲା।

ଏହାକୁ କାହାଣୀ ବୋଲି କେହି ଭାବନ୍ତୁ ନାହିଁ। ୧୪, ଫେବୃଆରି, ୧୮୭୪ ମସିହା ଦିନ ପୁରୀର ମହାପଣ୍ଡିତ ଭାବରେ ଖ୍ୟାତି ଅର୍ଜନ କରିଥିବା ହରିହର ଦାସଙ୍କର ଦେହାନ୍ତ ଏମିତି ହିଁ ହୋଇଥିଲା। ପଣ୍ଡିତ ହରିହର ଦାସଙ୍କ ବିଷୟରେ ଆମେ ହୁଏତ କିଛିଟା ସୂଚନା ଜଗନ୍ନାଥ ପ୍ରସାଦ ଦାସଙ୍କ ପ୍ରସିଦ୍ଧ ଉପନ୍ୟାସ “ଦେଶ କାଳ ପାତ୍ର’ ରୁ ପାଇବା। ତେବେ ଏହି ବିରଳ ପ୍ରତିଭାଧରଙ୍କ ବିଷୟରେ ପଣ୍ଡିତ ନୀଳକଣ୍ଠ ଦାସ ତାଙ୍କର “ସଂସ୍କୃତ ଓ ସଂସ୍କୃତି” ପୁସ୍ତକରେ ଏକ ଦୀର୍ଘ ପ୍ରବନ୍ଧ ଲେଖିଛନ୍ତି। ଯେତେବେଳେ ପୁରୀର ଶାସନମାନଙ୍କରେ କାଗଜ ଦେଖିଲେ ଜାତି ଚାଲିଯିବାର ଭୟଥିଲା ଓ ଇଂରାଜୀ ପଢିବା ଖ୍ରୀଷ୍ଟିୟାନ ହେବା ସହ ସମାନ ଥିଲା, ସେତେବେଳେ ହରିହର ଦାସ ଘୋଡାରେ ଚଢି, ପ୍ୟାଣ୍ଟ, କୋଟ ଓ ଟାଇ ପିନ୍ଧି କାଗଜ ବହିର ବିତରଣ କରୁଥିଲେ। ସଂସ୍କୃତ ଭାଷାରେ ତାଙ୍କର ପାଣ୍ଡିତ୍ୟ ଥିଲା ସବୁ ପ୍ରଶ୍ନର ଉର୍ଦ୍ଧ୍ଵରେ। ଈଶ୍ଵରଙ୍କୁ ଅବିଶ୍ଵାସ କରୁଥିବା ଓ ତର୍କରେ ପ୍ରବୀଣ ହରିହରଙ୍କୁ ସାମ୍ନା କରିବା ଲାଗି ପୁରୀର ରକ୍ଷଣଶୀଳ ପଣ୍ଡିତମାନେ ଭୟ କରୁଥିଲେ। ୧୮୪୨ ମସିହାରେ ପୁରୀର ଶ୍ରୀରାମଚନ୍ଦ୍ରପୁର ଶାସନରେ ତାଙ୍କର ଜନ୍ମ। ସମ୍ପର୍କରେ ସେ ନୀଳକଣ୍ଠଙ୍କ ପିତୃବ୍ୟ। ମାତ୍ର ୩୨ ବର୍ଷର ଜୀବନକାଳରେ ଜୀବନର ପ୍ରଥମ ୧୪ ବର୍ଷ ସେ ସଂପୂର୍ଣ୍ଣ ନିରକ୍ଷର ଥିଲେ। ୧୪ ବର୍ଷ ପରେ ସେ ପୁରୀରେ ସଂସ୍କୃତ ପଢିଲେ ଓ ନବଦ୍ଵୀପ ଯାଇ ସଂସ୍କୁତରେ ଉଚ୍ଚ ଶିକ୍ଷା ହାସଲ କଲେ। ସେ ଥିଲେ ତାଙ୍କ ସମୟର ଏମିତି ମହାପଣ୍ଡିତ, ଯିଏ ସଂସ୍କୃତ ସହିତ ଇଂରାଜୀ, ଲାଟିନ ଓ ଗ୍ରୀକ ଭାଷାରେ ପାରଦର୍ଶିତା ହାସଲ କରିଥିଲେ।

ପୁରୀରେ ଶତାଧିକ ଛାତ୍ରଙ୍କୁ ନିଜ ଘରେ ରଖି, ସେମାନଙ୍କୁ ଖାଇବା ପିଇବା ଦେଇ ସେ ସଂସ୍କୃତ ଓ ଇଂରାଜୀ ପଢାଉଥିଲେ। ସଂସ୍କୃତ ବିଦ୍ୟାଳୟ ସ୍ଥାପନ, ଗରିବ ଛାତ୍ରଙ୍କ ପାଠପଢା ବ୍ୟବସ୍ଥା ଓ ଆଧୁନିକ ଶିକ୍ଷାର ପ୍ରସାର ଲାଗି ସେ ବଙ୍ଗଳା ଓ ଉତ୍ତର ଭାରତ ପରିଭ୍ରମଣ କରୁଥିଲେ। ନିଜ ପାଣ୍ଡିତ୍ୟ ବଳରେ ଦେଶୀୟ ରାଜମାନଙ୍କୁ ପ୍ରଭାବିତ କରି ସେ ଯେଉଁ ଅର୍ଥ ସଂଗ୍ରହ କରୁଥିଲେ ସେଥିରେ ପିଲାଙ୍କୁ ପାଠ ପଢାଇବା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ। ପୁରୀ କଲେକ୍ଟର ହୋଇ ଆସିବା ପରେ ପ୍ରଖ୍ୟାତ ଭାଷାବିତ ଜନ ବିମସ ଙ୍କୁ ସଂସ୍କୃତ ପଢାଇବାକୁ ହରିହର ଦାସଙ୍କୁ ନିମନ୍ତ୍ରଣ ମିଳିଥିଲା। ଜନ ବିମସ ଓ ହରିହରଙ୍କ ବନ୍ଧୁତା ଥିଲା ଅପୂର୍ବ। ଦୁହେଁ ଦୁହିଙ୍କର ଗୁରୁ ଥିଲେ। ବିମସ ହରିହରଙ୍କୁ ଳାଟିନ ଓ ଗ୍ରୀକ ପଢାଇଥିବା ବେଳେ ହରିହର ବିମସଙ୍କୁ ସଂସ୍କୃତରେ ଶିକ୍ଷା ଦେଉଥିଲେ। ଉଭୟଙ୍କ ଭିତରେ ଚିଠିପତ୍ର ଆଦାନ ପ୍ରଦାନ ହେଉଥିଲା।ବିମସ ହରିହରଙ୍କୁ ସଂସ୍କୃତରେ ଚିଠି ଦେଉଥିବା ବେଳେ ହରିହର ଗ୍ରୀକରେ ତାର ଉତ୍ତର ଦେଉଥିଲେ । ବିମସ ସାହେବ ତାଙ୍କ ମା ଙ୍କ ଫଟୋ ହରିହରଙ୍କ ପାଖକୁ ପଠାଇଥିଲେ, ଯାହା ଉପରେ ଲେଖା ହୋଇଥିଲା “ମମ ମାତୁଃ ଚିତ୍ରପ୍ରତିମା” । ବିମସଙ୍କ ଭାରତୀୟ ଭାଷା ଉପରେ ରଚିତ ମହାନ କୃତି ‘ସେଭେନ ଆର୍ୟାନ ଲାଙ୍ଗୁଏଜେସ” ପାଇଁ ପଣ୍ଡିତ ହରିହର ଦାସଙ୍କର ବହୁମୂଲ୍ୟ ଅବଦାନ ରହିଥିଲା। ମହାନ ଗ୍ରୀକ ନାଟ୍ୟକାର ସଫୋକ୍ଲିସଙ୍କର “ଅଡିପସ” ନାଟକକୁ ସେ ଓଡିଆରେ ଅନୁବାଦ କରିଥିଲେ। ବୋଧହୁଏ ତାହାଥିଲା ଓଡିଆ ଭାଷାରେ ପ୍ରଥମ ୟୁରୋପୀୟ ସାହିତ୍ୟର ଅନୁବାଦ। ଏକ ତୁଳନାତ୍ମକ ଭାଷାକୋଷ ସେ ପ୍ରସ୍ତୁତ କରୁଥିଲେ ବୋଲି ପଣ୍ଡିତ ନୀଳକଣ୍ଠ ସୂଚନା ଦେଇଛନ୍ତି। ଓଡିଆ ଶବ୍ଦ ସବୁର ସଂସ୍କୃତ, ଇଂରାଜୀ, ଜର୍ମାନ, ସ୍ଲୋଭାନିକ, ଫାର୍ସି, ଗ୍ରୀକ, ଲାଟିନ ଇତ୍ୟାଦି ପ୍ରତିଶବ୍ଦ ଏଥିରେ ସଂକଳିତ ଥିଲା।

ପଣ୍ଡିତ ହରିହର ଦାସଙ୍କୁ ଆମେ ଓଡିଶାର ପ୍ରଥମ “କସ୍ମୋପଳିଟାନ ଚିନ୍ତକ” ବୋଲି କହିପାରିବା। ତାଙ୍କ ଜୀବନର ବହୁ ବିଚିତ୍ର ବିରୋଧାଭାସ ରହିଥିଲା। ବ୍ୟକ୍ତିଗତ ଜୀବନରେ ସେ ଥିଲେ ପରମ ନାସ୍ତିକ। ଅଥଚ ଆର୍ୟ ସମାଜର ପ୍ରତିଷ୍ଠାତା ସ୍ଵାମୀ ଦୟାନନ୍ଦ ସରସ୍ବତୀଙ୍କ ସହିତ ତାଙ୍କର ଯେଉଁ ଶାସ୍ତ୍ରାର୍ଥ ହୋଇଥିଲା ସେଥିରେ ସେ ସାକାର ଈଶ୍ଵର ଉପାସନା ସପକ୍ଷରେ ମତ ରଖିଥିଲେ। ଅପୂର୍ବ ବ୍ୟକ୍ତିତ୍ବ ଓ ପାଣ୍ଡିତ୍ୟର ଅଧିକାରୀ ହରିହର ପରବର୍ତ୍ତୀ ସମୟରେ ଗୋପବନ୍ଧୁ ଦାସ ଓ ସତ୍ୟବାଦୀର ଶିକ୍ଷା ବ୍ୟବସ୍ଥାର ପ୍ରେରଣା ସ୍ରୋତ ଥିଲେ। ସତ୍ୟବାଦୀ ବନ ବିଦ୍ୟାଳୟର ଲାଇବ୍ରେରୀ କୁ ହରିହରଙ୍କ ନାମରେ ନାମିତ କରାଯାଇଥିଲା। ଗୋପବନ୍ଧୁ ପ୍ରତିବର୍ଷ ହରିହରଙ୍କ ଜୟନ୍ତୀ ସଭାର ଆୟୋଜନ କରୁଥିଲେ ଓ ତାଙ୍କ ବିଷୟରେ ଏକ କବିତା ମଧ୍ୟ ରଚନା କରିଥିଲେ। ଓଡିଆ ଜୀବନ ଓ ସଂସ୍କୃତିର ଅନନ୍ୟ ଚିନ୍ତାନାୟକ ଭାବରେ ହରିହର ଆଉ ଜଣେ ମହାନ ଲେଖକ ଓ ଋଷିପ୍ରାଣଙ୍କୁ ମଧ୍ୟ ପ୍ରଭାବିତ କରିଥିଲେ।

ମହାପଣ୍ଡିତ ହରିହର ଦାସ ଥିଲେ ବର୍ଣ୍ଣବୋଧର ସ୍ରଷ୍ଟା ତଥା ଋଷିପ୍ରାଣ ମଧୁସୂଦନ ରାଓଙ୍କ ଗୁରୁ।