ଅନନ୍ୟ ଶଙ୍ଖକ୍ଷେତ୍ର : ମହାନାଟକ ଓ ତା’ର ଶେଷଦୃଶ୍ୟ

ଶ୍ରୀକ୍ଷେତ୍ରରେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ କରି ରଥଯାତ୍ରା ଲଗାଏତ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅବଧିରେ ରଚିତ ରଙ୍ଗରସଭରା ଲୀଳାକୁ ମହାପ୍ରଭୁଙ୍କ ମହାନାଟକ କହିବାନି ତ ଆଉ କ’ଣ ! ଏଥିରେ ସେ ହିଁ ଅଭିନେତା ଆଉ ନିର୍ଦ୍ଦେଶକ ମଧ୍ୟ ସେ ନିଜେ । ତାଙ୍କଠାରୁ ଆଜ୍ଞାମାଳ ଆସି ସବୁ କାର୍ଯ୍ୟର ଭିଆଣ ହୋଇଥାଏ ପରା !

ଏହି ମହାନାଟକର ବିିଭିନ୍ନ ଦୃଶ୍ୟରେ ମହାପ୍ରଭୁଙ୍କର ମାନବୀୟ ଲୀଳା ସମ୍ପନ୍ନ ହୁଏ । ଶ୍ରୀମନ୍ଦିର ସମେତ ସମଗ୍ର ନଗର ପାଲଟିଯାଏ ଏକ ରଙ୍ଗମଞ୍ଚ । ଆମୋଦପ୍ରମୋଦ, ଜଳକ୍ରୀଡ଼ା, ପ୍ରେମବିବାହ, ଅସୁସ୍ଥତା, ଚିକିତ୍ସା,  ଶରୀର ଉପଚାର, ଆତ୍ମୀୟଙ୍କ ସହ ଯାତ୍ରା, ଦାମ୍ପତ୍ୟ କଳହ, ଐଶ୍ୱର୍ଯ୍ୟ ପ୍ରଦର୍ଶନ, ପୁନଃ ଦାମ୍ପତ୍ୟ ମିଳନ ଇତ୍ୟାଦି ସହିତ ଭକ୍ତଜନଙ୍କ ପ୍ରତି ଅନୁରକ୍ତି ତଥା ମିିଳନର ଆବେଗ ସବୁ ଅଭିନୀତ ହୋଇଥାଏ । ନଟବର ନାଗରଙ୍କ ସ୍ୱଇଚ୍ଛାରେ ସବୁ ଦୃଶ୍ୟଗୁଡ଼ିକ ସଂଯୋଜିତ ହୋଇ ସଫଳ ହୋଇଥାଏ ।

ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସି ରଥ ଅନୁକୂଳ ହୁଏ, ତା’ ସହିତ ଚନ୍ଦନ ଯାତ୍ରାର ହୁଏ ଶୁଭାରମ୍ଭ । ଚଳନ୍ତି ପ୍ରତିମାମାନେ ପଞ୍ଚ ପାଣ୍ଡବଙ୍କ ସହିତ ପଟୁଆରେ ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ଚାପ ଖେଳନ୍ତି । ଏକୋଇଶ ଦିନ ଅନ୍ତେ ପୁଣି ଆରମ୍ଭ ହୁଏ ଭିତିରି ଚନ୍ଦନ ଏକୋଇଶ ଦିନ । ଏହି ଦିନମାନଙ୍କରେ ଚଳନ୍ତି  ପ୍ରତିମାମାନେ ଜଳକ୍ରୀଡ଼ା ମଣ୍ଡପରେ ଗ୍ରୀଷ୍ମ ଋତୁର ଉତ୍ତାପକୁ ପ୍ରତିହତ କରିବା ପାଇଁ ଚନ୍ଦନ କର୍ପୂର ମିଶ୍ରିତ ସୁବାସିତ ଶୀତଳ ଜଳରେ ବୁଡ଼ିରହି ଅୟସୀ ଲୀଳା କରନ୍ତି । ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିର ପାଟ ଅଗଣାରେ ମଞ୍ଚସ୍ଥ ହୁଏ ମହାନାଟକର ରୋମାଞ୍ଚିତ ଅଧ୍ୟାୟ ।

ଶ୍ରୀଦେବୀ ଓ ମଦନମୋହନଙ୍କ ପ୍ରତିମା ପ୍ରତିକାତ୍ମକ ଭାବେ ଉଭା ହୁଅନ୍ତି ରୁକ୍ମଣୀ ଆଉ ଶ୍ରୀକୃଷ୍ଣ ରୂପରେ । ଭିତରଚ୍ଛ ମହାପାତ୍ର ରୁକ୍ମଣୀଙ୍କ ପକ୍ଷରୁ ଓ ପାଟ୍ଟଯୋଶୀ ମହାପାତ୍ର ଶ୍ରୀକୃଷ୍ଣଙ୍କ ପକ୍ଷରୁ ଗାର୍ଜନ ଦାୟିତ୍ୱ ନିର୍ବାହ କରନ୍ତି । ରୁକ୍ମଣୀଙ୍କଠାରୁ ପ୍ରେମପତ୍ର ପାଇ ଶ୍ରୀକୃଷ୍ଣ ବିବାହ କରିବାକୁ ସଜ ହେଇ ଗଲାବେଳକୁ ଶିଶୁପାଳ ମଧ୍ୟ ସମ ଉଦ୍ଦେଶ୍ୟରେ ଆସିଥାନ୍ତି । ଫଳତଃ ଯୁଦ୍ଧ ହୁଏ ଏବଂ ଶେଷରେ ଶିଶୁପାଳଙ୍କୁ ବନ୍ଦୀକରି ମହାପ୍ରଭୁ କନ୍ୟାହରଣ କରିନିଅନ୍ତି । ତା’ପରେ ମାଜଣା ମଣ୍ଡପରେ ନବ ଦମ୍ପତ୍ତିଙ୍କୁ ବନ୍ଦାପନା କରାଯାଏ । ତା’ପରେ ରୋଚକ କଥାଟ ହେଉଛି ବିବାହର ସାତଦିନରେ ଗଇଣ୍ଠାଳ ଫିଟିବା ପରମ୍ପରା ମାତ୍ର ବିବାହର ମାତ୍ର ପଞ୍ଚମ ଦିନ ମାୟାଧରଙ୍କ ଆରମ୍ଭ ହେଇଯାଏ ଆଉ ଗୋଟିଏ ଲୀଳା ।

ସ୍ନାନ ପୂର୍ଣ୍ଣିମା ଦିନ ଭାଇ ଭଉଣୀଙ୍କ ସହିତ ସ୍ନାନ ବେଦୀରେ ବସି ଅତ୍ୟଧିକ ସ୍ନାନଜନିତ ଅସୁସ୍ଥତା ଭୋଗନ୍ତି । ପୁଣି ସେହି ଦିନ ଗଣପତି ଭଟ୍ଟ ନାମକ ଜଣେ ଗାଣପତ୍ୟ ଭକ୍ତଙ୍କ ସ୍ମୃତିକୁ ଉଜ୍ଜିବୀତ କରି ହାତୀ ବେଶରେ ଦର୍ଶନ ଦିଅନ୍ତି । ତା’ପରେ ଆସେ ଅଣସର । ଏହି ଲୀଳା ବିଷୟ ବହୁ ଚର୍ଚ୍ଚିତ । ସେତେବେଳେ ତ୍ରିଭୂବନ ପାଳନକର୍ତ୍ତଙ୍କୁ କାଳେ ଜ୍ୱର ହୁଏ ! ଶୁଣାଯାଏ ପୂର୍ବେ ରାଜବୈଦ୍ୟ ଶ୍ରୀମନ୍ଦିରକୁ
ଯାଇ ସାଙ୍କେତିକ ଭାବେ ମହାପ୍ରଭୁଙ୍କ ଶ୍ରୀହସ୍ତର ନାଡ଼ି ଦେଖି ଜ୍ୱର ହେଇଥିବା କଥା ଘୋଷଣା କରନ୍ତି । ତାହାର ଉପଚାର ପାଇଁ ବୈଦ୍ୟଙ୍କ ଘରୁ ଦଶମୂଳରେ ପ୍ରସ୍ତୁତ ମୋଦକ ତିଆରି ହୋଇ ଯାଇ ଲାଗିକରାଯାଏ । ତା’ପରେ ସେ ସୁସ୍ଥ ହୁଅନ୍ତି ।

ଏହି ଅବସରରେ ଶ୍ରୀବିଗ୍ରହମାନଙ୍କର ଫୁଲୁରି ତେଲ ଓ ଖଳି ଇତ୍ୟାଦି ସାହାଯ୍ୟରେ କେତେ ଉପଚାର କରାଯାଏ । ମହାପ୍ରଭୁ ଏହି କାଳରେ ତାଟି ଭିତରେ ଆତ୍ମଗୋପନ କରି ପ୍ରିୟ ତୁଳସୀକୁ ମଧ୍ୟ ବର୍ଜନ କରନ୍ତି । ତାଟି ବାହାରେ ଚିତ୍ର ପ୍ରତିମା ରୂପରେ ପଟିଦିଅଁଙ୍କୁ ମହାପ୍ରଭୁଙ୍କ ପ୍ରତିନିଧି ରୂପେ ପୂଜା କରାଯାଏ । ଶେଷରେ ପୁଣି ସୁସ୍ଥ ହେଇ ଶ୍ରୀମୁଖ ଶିଙ୍ଗାର କରି ନବଯୌବନର ଦର୍ଶନ ଦିଅନ୍ତି । ଦୀର୍ଘ ତେର ଦିନର ଭକ୍ତ ଓ ଭଗବାନଙ୍କ ବିଚ୍ଛେଦର ଅନ୍ତ ଘଟେ । ଉଭା ଅମାବାସ୍ୟାରେ ସେ ରଥାରୂଢ଼ ହେବା ପାଇଁ ପ୍ରସ୍ତୁତ ବୋଲି ସଙ୍କେତ ଦିଅନ୍ତି । ତା’ପରେ ସେନାପଟା ଲାଗି ହୋଇ ଶ୍ରୀଗୁଣ୍ଡିଚା ଦିନ ଭାଇ ଭଉଣୀଙ୍କ ସହିତ ରଥରେ ଚଢ଼ି ଚାଲିଯାଆନ୍ତି ଜନ୍ମବେଦୀକୁ ।

ଏହି ଲୀଳା ପର୍ଯ୍ୟାୟରେ ମହାପ୍ରଭୁ ଭୁଲିଯାଆନ୍ତି ନବବିବାହିତା ପତ୍ନୀଙ୍କ କଥା । ଗଇଣ୍ଠାଳ ମଧ୍ୟ ଫିଟିନଥାଏ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ କିନ୍ତୁ ମାତୃ ସ୍ୱରୂପିଣୀ ଲକ୍ଷ୍ମୀ ଦାମ୍ପତ୍ୟର ସ୍ୱାଭିମାନ ବଜାୟ ରଖି ମହାପ୍ରଭୁଙ୍କ ଗତିବିଧି ଉପରେ ନଜର ରଖନ୍ତି । ଗୁପ୍ତ ଭାବରେ ହେରା ପଞ୍ଚମୀ ଦିନ ଗୁଣ୍ଡିଚା ଘର ପର୍ଯ୍ୟନ୍ତ ଯାଇ ମହାପ୍ରଭୁଙ୍କ ଦର୍ଶନ ନପାଇ ନିଜକୁ ସାଙ୍ଗରେ ନଆଣିଥିବାର ଗ୍ଳାନିରେ ଜର୍ଜରିତ ହେଇ ନନ୍ଦିଘୋଷର କ୍ଷୁଦ୍ର ଅଂଶ ଭାଙ୍ଗିଦିଅନ୍ତି । କିମ୍ବଦନ୍ତୀ କହେ ପୂର୍ବେ ଯେବେ ଶ୍ରୀମନ୍ଦିରରେ ମାହାରିମାନଙ୍କ ସଂଖ୍ୟା ଅଧିକ ଥିଲା ସେତେବେଳେ କେତେଜଣ ମାହାରି ମହାଲକ୍ଷ୍ମୀଙ୍କ ଦାସୀ ଭାବରେ ପଟୁଆରରେ ଯାଇ ଗୁଣ୍ଡିଚା ଘରେ ସେବକମାନଙ୍କ ସହିତ ବଚସା କରୁଥିଲେ । ସେମାନଙ୍କ ଠାକୁରାଣୀଙ୍କୁ ସାଙ୍ଗରେ ଆଣି ନଥିବାରୁ ଧିକ୍କାର କରୁଥିଲେ ।

ଏହି ଲୀଳା ପରେ ମହାପ୍ରଭୁ ଆଜ୍ଞାମାଳ ପଠାଇ ରଥସବୁକୁ ଶ୍ରୀମନ୍ଦିରକୁ ଫେରିବା ଉଦ୍ଦେଶ୍ୟରେ ଦକ୍ଷୀଣ ମୋଡ଼ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି । ତା’ପରେ ଆରମ୍ଭ ହୁଏ ବାହୁଡ଼ା ଯାତ୍ରା । ସକଳ ଆଡ଼ମ୍ବରରେ ବାହୁଡ଼ା ଯାତ୍ରାରେ ତିନିରଥରେ ଚତୁର୍ଦ୍ଧାମୂର୍ତ୍ତି ବାହୁଡ଼ନ୍ତି ତାଙ୍କ ନିତ୍ୟ ଆବାସ ଶ୍ରୀବତ୍ସଖଣ୍ଡଶାଳ ପ୍ରାସାଦ ତଥା ଶ୍ରୀମନ୍ଦିରକୁ । ବାଟରେ ମାଉସୀମା ବା ଅର୍ଦ୍ଧାସିନୀ ଠାକୁରାଣୀଙ୍କ ମନ୍ଦିରରେ ପୋଡ଼ପିଠା
ଭୋଗ ଲାଗେ । ତାଳଧ୍ୱଜ ଦର୍ପଦଳନ ସିଂହଦ୍ୱାରରେ ଲାଗିଯିବା ପରେ ନନ୍ଦିଘୋଷ ଆସି ରଜା ନଅର ନିକଟରେ ଅଟକିଯାଏ । ଏଣେ ମହାଲକ୍ଷ୍ମୀ ଆସ୍ଥାନରୁ ଆସି ପ୍ରଥମେ ଚାହାଣି ମଣ୍ଡପରେ ରଥର ଆଗମନକୁ ଅନୁଧ୍ୟାନ କରି ସତରେ ପ୍ରଭୁ ଫେରିଛନ୍ତି ବୋଲି ପ୍ରତ୍ୟକ୍ଷ କରିବା ପାଇଁ ରଜାନଅର ପର୍ଯ୍ୟନ୍ତ ଯାଆନ୍ତି ।

ସେଠାରେ ଗଜପତି ପୁରୋଧା ଭାବରେ ତାଙ୍କ ସହିତ ମହାପ୍ରଭୁଙ୍କ ଭେଟ କରାନ୍ତି । ଏହି ଲୀଳା ଲୋକ ମୁଖରେ ଲକ୍ଷ୍ମୀ ନାରାୟଣ ଭେଟ ଭାବରେ ଜଣାଗଲେ ମଧ୍ୟ ଏଥିରେ ପ୍ରକୃତରେ ଶ୍ରୀଦେବୀଙ୍କର ଶ୍ରୀଜଗନ୍ନାଥଙ୍କ ସହିତ ଭେଟ ହୋଇଥାଏ । ଠାକୁରାଣୀ ମହାପ୍ରଭୁ ଫେରି ଆସିଲେ ବୋଲି ଆଶ୍ୱସ୍ତ ହୁଅନ୍ତି ଏବଂ ଶ୍ରୀମନ୍ଦିରକୁ ଫେରିଆସନ୍ତି । ପୁଣି ଅପେକ୍ଷା ରହେ ନୀଳାଦ୍ରିବିଜେକୁ । ଶ୍ରୀମନ୍ଦିରରେ ଶ୍ରୀଦେବୀଙ୍କ ବିଗ୍ରହ ରତ୍ନସିଂହାସନରେ ମହାଲକ୍ଷ୍ମୀଙ୍କ ପ୍ରତିନିଧି ଭାବେ ପୂଜିତା । ସେ ମଧ୍ୟ ରୁକ୍ମଣୀ ରୂପରେ ବିବାହ କରିଥାନ୍ତି ।

ବାହୁଡ଼ା ପରଦିନ ଆସେ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ ପ୍ରଦର୍ଶନ ଲୀଳା । ସୁନାବେଶ ବା ବଡ଼ତଢ଼଼ାଉ ବେଶ । ତଢ଼଼ାଉର ଅର୍ଥ ଅଳଙ୍କାର । ତାଙ୍କ ବୃହତ୍ ଅବୟବ ବିଶାଳଭୁଜ ଓ ପ୍ରକାଣ୍ଡ ମସ୍ତକକୁ ଚାହିଁ ଅଳଙ୍କାର ଲାଗିହେଇ ରାଜକୀୟ ଶୈଳୀରେ ଭକ୍ତଜନକୁ ରଥ ଉପରେ ଦର୍ଶନ ଦିଅନ୍ତି । ଅତୀତରେ ଗଜପତି କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରି ହାତୀ ପିଠିରେ ଲଦି ଆଣିଥିବା ସୁନାରେ ଚତୁର୍ଦ୍ଧାମୂତ୍ତିଙ୍କ ପାଇଁ ଏହି ଅଳଙ୍କାର ସବୁ ଗଢ଼ାଇଥିଲେ । ସେଇ କାଳରୁ ଶ୍ରୀମନ୍ଦିରରେ ଏହି ବେଶ ବର୍ଷରେ ପାଞ୍ଚ ଦିନ ହୋଇଥାଏ । ରାଜରାଜେଶ୍ୱର ବେଶ
ନାମରେ ଖ୍ୟାତ ଏହି ବେଶରେ ସମୁଦାୟ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀବିଗ୍ରହମାନେ ଭୂଷିତ ହୁଅନ୍ତି । ସୁବର୍ଣ୍ଣ ସବୁଠାରୁ ଶ୍ରେଷ୍ଠ ଧାତୁ ।
ଶ୍ରେଷ୍ଠତ୍ୱର ପ୍ରତିପାଦନ ଏହି ବେଶ ଧାରଣ କରିବାର ସମ୍ଭାବିତ ଉଦ୍ଦେଶ୍ୟ । ସୁନାବେଶ ଚତୁର୍ଦ୍ଧାମୂର୍ତ୍ତିଙ୍କ ସବୁ ବେଶ ମଧ୍ୟରେ ଶ୍ରେଷ୍ଠ, ସର୍ବାଧିକ ଜନାଦୃତ ତଥା ଭକ୍ତଙ୍କୁ ବିମୋହିତ କରିବା ପାଇଁ ସଂଯୋଜିତ ।

ତା’ପର ଦିନ ହୁଏ ଅଧରପଣା ନୀତି । ପ୍ରାୟ ତିନିହାତ ଉଚ୍ଚତା ବିଶିଷ୍ଟ ତୁମ୍ବାକୃତି ମାଟି ହାଣ୍ଡି ସ୍ୱତନ୍ତ୍ର ଭାବେ ବିଷୋୟୀ ସେବକଙ୍କ ଦ୍ୱାରା ନିର୍ମିତ ହୋଇଥାଏ ଯାହା ମଳା ଉପରେ ରହି ତା’ର ମୁହଁ ଶ୍ରୀ ବିଗ୍ରହଙ୍କ ଅଧର ପର୍ଯ୍ୟନ୍ତ ଲାଗିଥାଏ । କ୍ଷୀର, ସର, ଛେନା, ନବାତ, ପାଚିଲା କଦଳୀ, ଗୋଳମରିଚଗୁଣ୍ଡ, ଜାଇଫଳ ଘୋରା,କର୍ପୁର ଓ ଜଳ ଇତ୍ୟାଦିର ସମିଶ୍ରଣରେ ପଣା ପ୍ରସ୍ତୁତ ହୋଇ ଅର୍ପଣ ହେବା ପରେ ହାଣ୍ଡିଗୁଡ଼ିକୁ ଭାଙ୍ଗି ଦିଆଯାଏ ଫଳରେ ରଥ ପଟା ଉପରୁ ଭାସିଆସେ ସୁଗନ୍ଧିତ ପଣାର ଉତ୍ତାଳ ସ୍ରୋତ । ପରମ୍ପରା ଅନୁସାରେ ରଥ ତିନି
ପାଶ୍ୱର୍ରେ ଥିବା ଦେବଦେବୀ ତଥା ଅନ୍ୟ କ୍ଷୁଧିତ ଆତ୍ମାଙ୍କ ଉଦ୍ଦେଶ୍ୟରେ ଏହି ପଣା ପ୍ରସାଦ ଉତ୍ସର୍ଗ କରାଯାଏ । ରଥ ତଳେ ମଧ୍ୟ ଭକ୍ତଗଣ ଅପେକ୍ଷା କରି ରହିଥାନ୍ତି ଏହି ଦୁର୍ଲଭ ପଣାଟିକେ ପାଇବା ପାଇଁ । ଏହା ମଧ୍ୟ ମହାନାଟକର ଅନ୍ୟତମ ବିଚିତ୍ର ଦୃଶ୍ୟ ।

ଶେଷରେ ଆସେ ତଥାକଥିତ ମହାନାଟକର ଅନ୍ତିମ ଦୃଶ୍ୟ, ନୀଳାଦ୍ରି ବିଜେ । ଘର ବାହୁଡ଼ା ବେଳେ ମହାପ୍ରଭୁ ସେବକମାନଙ୍କ ଗହଣରେ ଯେତେବେଳେ ରଥ ଉପରେ ସିଂହାସନ ଛାଡ଼ନ୍ତି ସେଠାରେ ଟାହିଆ ଲାଗିକରାଯାଏ । ସେତେବେଳେ ତାଙ୍କ ଆଖିର କୁଟିଳ ଚାହାଣି ଆଉ ଅଧରରେ ରହିଥାଏ ରହସ୍ୟମୟ ହସର ଆଭାସ । ମନ ବୋଧେ ଆନନ୍ଦରେ ଅଧୀର ହେଉଥାଏ ପୁଣି ଠାକୁରାଣୀ ଲକ୍ଷ୍ମୀଙ୍କ ସହ ଏକାନ୍ତରେ ମିଳନ ପାଇଁ । ଭିତରେ ମହାଲକ୍ଷ୍ମୀ ମଧ୍ୟ ଆତୁର ହୋଇ ଚାହିଁବସିଥାନ୍ତି ମହାପ୍ରଭୁଙ୍କ ଫେରିବା ବାଟକୁ । ପ୍ରତିଶ୍ରୁତି ଅନୁସାରେ ମହାପ୍ରଭୁ ଫେରି ଆସିଛନ୍ତି ବୋଲି ମନରେ ଆଶ୍ୱସ୍ତି ଭାବ ଥିଲେ ମଧ୍ୟ ଅଭିମାନ କମି ନଥାଏ । ସେ ପୁଣି ଚାଲିଆସନ୍ତି ଭେଟ ମଣ୍ଡପକୁ ମହାପ୍ରଭୁଙ୍କୁ ଦର୍ଶନ କରି ନିଶ୍ଚିତ ହେବା ପାଇଁ । ଏହି ଲୀଳା ଦାମ୍ପତ୍ୟ ଜୀବନର ବାସ୍ତବ ଚିତ୍ର ଭଳି ରଚିତ ଏକ ବିସ୍ତୃତ ଦୃଶ୍ୟକାବ୍ୟର
ପ୍ରୀତିପଦ ଅଧ୍ୟାୟ । ମହାପ୍ରଭୁ ଠାକୁରାଣୀଙ୍କ ଅଭିମାନ ବୁଝିପାରନ୍ତି । ସେହି ସର୍ବଜ୍ଞାତା, ସାଙ୍ଗରେ ମାନଭଞ୍ଜନ ପାଇଁ ଆଣିଥିବା ରସଗୋଲା ଭୋଗ ସେହି ଚାହାଣି ମଣ୍ଡପରେ ଠାକୁରାଣୀଙ୍କୁ ଭିତରଚ୍ଛୁ ମହାପାତ୍ରଙ୍କ ଦ୍ୱାରା ବନ୍ଦାପନା ପୂର୍ବକ ସମର୍ପଣ କରାଯାଏ । ମହାଲକ୍ଷ୍ମୀ ସାମାନ୍ୟ ଶାନ୍ତ ହୋଇ ଫେରିଯାଆନ୍ତି ସିନା ରୋଷ ସମ୍ପୂର୍ଣ୍ଣ ଥମେ ନାହିଁ । ଅବାଟରେ ଯାଇ ଗୃହସ୍ୱାମୀ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ
କଲାବେଳେ ଘରଣୀ ବିଭିନ୍ନ ଉପାୟରେ ନିଜର ରାଗ ପ୍ରଦର୍ଶନ କଲାଭଳି ଦୃଶ୍ୟ ମଧ୍ୟ ଏହି ଅନ୍ତିମ ପର୍ଯ୍ୟାୟର ମୁଖ୍ୟ ଆକର୍ଷଣ । ମହାପ୍ରଭୁ ଟାହିଆ ନଚେଇ ରଥରୁ ଓହ୍ଳାଇ ସେବକଙ୍କ ଗହଣରେ ଶ୍ରୀମନ୍ଦିର ପ୍ରବେଶ କଲାବେଳକୁ ମହାଲକ୍ଷ୍ମୀଙ୍କର କୋପ ପୁନର୍ବାର ପ୍ରକାଶ ପାଏ ।

ସେତେବେଳକୁ ସୁଦର୍ଶନ, ଶ୍ରୀ ବଳଭଦ୍ର ଓ ମା ସୁଭଦ୍ରା ଶ୍ରୀମନ୍ଦିର ଭିତରକୁ ପହଣ୍ଡି ହେଇ ଚାଲି ଯାଇଥାନ୍ତି । ଏଣୁ ଏହି ସୁଯୋଗରେ
ମହାଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସିଂହଦ୍ୱାର ବନ୍ଦ ହେଇଯାଏ । ଏଇ ତ ପ୍ରକୃତ ରାଗ ସୁଝେଇବାର ବେଳ! ଜଗତର ନାଥଙ୍କର ଏ କି ଦୁର୍ଦ୍ଦଶାର ଯୋଗ । ନିଜ ଗୃହକୁ ପ୍ରବେଶ କରିବା ପାଇଁ ସେ ଅସମର୍ଥ । ଦାମ୍ପତ୍ୟ କଳହ ଯାଇ ଅନ୍ତିମ ସ୍ତରରେ ପହଁଞ୍ଚି ଯାଏ । କେବଳ ବୁଝାସୁଝାରେ ଯାହା କରାଯାଇପାରେ ଏହି ଗତିରୋଧର ଉପଚାର । କଥାରେ କୁହାଯାଇଛି ଦାମ୍ପତ୍ୟ କଳହ କଦାପି ଦୀର୍ଘସ୍ଥାୟୀ ହେଇ
ନପାରେ । ଏଣୁ ଆରମ୍ଭ ହୁଏ ବଚନିକା ପର୍ବ । ସିଂହଦ୍ୱାର ଭିତରପଟେ ପୂର୍ବରୁ ମାହାରିମାନେ ମହାଲକ୍ଷ୍ମୀଙ୍କ ପକ୍ଷ ଏବଂ ସେବକମାନେ ମହାପ୍ରଭୁଙ୍କ ପକ୍ଷ ନେଉଥିଲେ । ଏବେ ସେବକମାନେ ଉଭୟ ପକ୍ଷରୁ ବଚନକା ପର୍ବ ସମ୍ପାଦନ କରୁଛନ୍ତି । ପରସ୍ପର ଦୋଷାରୋପ
ପ୍ରତ୍ୟାରୋପ ପରେ କେତେଗୋଟି ମଧୁର ପଦାବଳୀ ଗାୟନ ପରେ ଠାକୁରାଣୀଙ୍କ ରୋଷ ପ୍ରଶମିତ ହୁଏ । ତାଙ୍କ ନିର୍ଦ୍ଦେଶରେ ସିଂହଦ୍ୱାର ଫିଟାଯାଏ ଏବଂ ମହାପ୍ରଭୁ ଭିତରକୁ ଯାଆନ୍ତି । ପୁଣି ସେଠାରୁ ଯାଇ ଜଗମୋହନରେ ପହଁଞ୍ଚିବା ପରେ ବିବାହ ବେଳରେ ବନ୍ଧାଯାଇଥିବା ଗଇଣ୍ଠାଳ ଫିଟାଯାଏ ଏବଂ ଶେଷରେ ରତ୍ନସିଂହାସନକୁ ବିଜେ କରନ୍ତି । ତା’ପରେ ଏହି ମହାନାଟକର ଯବନିକା ପଡ଼େ । ଧନ୍ୟ ସେ କାଳିଆ ସାଆନ୍ତ ଧନ୍ୟ ତାଙ୍କର ମାନବୀୟ ଲୀଳା ।

 କୁଣ୍ଢେଇବେଣ୍ଟ ସାହି,
ପୁରୀ , ମୋ: ୯୪୩୭୧୬୬୩୬୯