Latest Odisha News

 ଅନୁଭୂତିରେ ଶ୍ରୀଜଗନ୍ନାଥ : ବିଷ୍ଣୁପ୍ରିୟା ହୋତା

କୃପାବାରିଧି

ଜୀବନରେ ଏମିତି ବି କିଛି ଅନୁଭୂତି ଅଛି ଯାହା ଅକଳ୍ପନୀୟ, ଅବର୍ଣ୍ଣନୀୟ ଶବ୍ଦାତୀତ କେବଳ ଅନୁଭୂତିର କଥା। ଏ ଅନୁଭୂତି କୃପାପାରାବାର , କରୁଣା ସାଗର, ଜଗତର ନାଥ ,ପତିତପାବନ ଜଗନ୍ନାଥଙ୍କୁ ନେଇ।

୧୯୯୨ ମସିହାର କଥା, ଆମେ ସେତେବେଳେ କେନ୍ଦୁଝରରେ ଥାଉ। ପୁରୋହିତ ବାବୁଙ୍କର ବିଚାର ବିଭାଗୀୟ ଚାକିରୀ । ପ୍ରତି ତିନିବର୍ରେ ବଦଳି ଧରବନ୍ଧା, ତାଠୁ କମ ସମୟରେ ହେବାର ବି ନଜିର ଅଛି । ତଥାପି ଜଗନ୍ନାଥଙ୍କ କୃପାରୁ ପୁରୀରେ ତିନିବର୍ଷ ଖୁବ ଆନନ୍ଦରେ କଟିଗଲା। ତିନିବର୍ଷ ପରେ ପୁରୋହିତ ବାବୁଙ୍କର ପୁରୀରୁ କେନ୍ଦୁଝର ବଦଳି ହେଲା। ପରେପରେ ମୋର ମଧ୍ୟ କେନ୍ଦୁଝର ଧରଣୀଧର ମହାବିଦ୍ୟାଳୟକୁ ବଦଳି ହେଇଗଲା। ପୁରୀରେ ଥିବା ସମୟରେ ଆମର ପାରିବାରିକ ବନ୍ଧୁ ପ୍ରଶାନ୍ତ ପ୍ରଧାନଙ୍କ ପରାମର୍ଶ କ୍ରମେ ଭୁବନେଶ୍ୱର କୋଓପରେଟିଭ ବ୍ୟାଙ୍କରୁ ଗାଡିଋଣ ପାଇଁ ଦରଖାସ୍ତ ଦେଇଥିଲୁ। ଋଣ ବି ମଞ୍ଜୁର ହେଇଗଲା ମାରୁତି ୮୦୦ କାର ବି ବୁକ ହେଇଗଲା , ହେଲେ ଗାଡି ଆସିବାକୁ ତିନିମାସ ଲାଗିଗଲା। ସେତେବେଳେ କେବଳ ଭୁବନେଶ୍ୱରରେ ମାରୁତି ସୋରୁମ ଥାଏ।

କେନ୍ଦୁଝର ଆସିବାର ଦୁଇମାସ ପରେ ପ୍ରଶାନ୍ତଭାଇ ଖବର ଦେଲେ,”ଗାଡ଼ି ଆସିଯାଇଛି, ଆସି ଅନୁସାଙ୍ଗିକ କାମ ସାରି ଗାଡି ଡେଲିଭରି ନେଇଯାଅ।” ଠିକ ସେସମୟରେ ହାଇକୋର୍ଟ ବିଚାରପତିଙ୍କ କେନ୍ଦୁଝର ଗସ୍ତ ଥାଏ, ପୁରୋହିତବାବୁଙ୍କୁ ଛୁଟି ମିଳିବା ନୋହିଲା। ପ୍ରଶାନ୍ତ ଭାଇ କହିଲେ, “ଗାଡି ତ ଭଉଣୀଙ୍କ ନାମରେ ବୁକ ହେଇଛି, କେବଳ ସେ ଆସିଲେ ବି ଚଳିବ। ମୁଁ ଏଠୁ ଡ୍ରାଇଭର ନେଇ ସାଙ୍ଗରେ ଯାଇ ଛାଡି ଆସିବି।”

ଠିକ ହେଲା ମୁଁ କେନ୍ଦୁଝର ବସରେ ସିଧା ପୁରୀ ଯାଇ ଆଉ ଜଣେ ବନ୍ଧୁଙ୍କ ଘରେ ଓହ୍ଲେଇ ଗାଧୁଆ ପାଧୁଆ ସାରି ଜଗନ୍ନାଥ ଦର୍ଶନ କରି, ଭୁବନେଶ୍ୱର ଆସି ଗାଡିକାମ ସାରି ଭାଇଙ୍କ ସାଙ୍ଗରେ କେନ୍ଦୁଝର ଫେରିବି। ସେ ଅନୁସାରେ ମୁଁ ପୁରୀରେ ମୋଚିସାହିରେ ଥିବା ବନ୍ଧୁଙ୍କ ଘରେ ପହଞ୍ଚି, ନିତ୍ୟକର୍ମ ସାରି ମନ୍ଦିର ଦର୍ଶନକୁ ବାହାରିଲି। ହାତରେ ସମୟ କମ ,ଶ୍ରୀଘ ଦର୍ଶନ ସାରି ଫେରିବାକୁ ପଡିବ। ତଥାପି ବିଶ୍ୱାସ ଥାଏ କାଳିଆ ଦର୍ଶନ ଦେବାରେ କୃପଣତା କରିବେ ନାହିଁ।

ମନ୍ଦିର ନିକଟରେ ରିକ୍ସାରୁ ଓହ୍ଲେଇ ଅରୁଣ ସ୍ତମ୍ଭ ନିକଟରେ ଛିଡ଼ା ହେଲି। ଆଖିରୁ ଧାର ଧାର ଲୁହ ବହି ଯାଉଥାଏ, କହୁଥାଏ “କାଳିଆ ତୋଠୁ ଦୂରକୁ ଠେଲିଦେଲୁ ,ସବୁଦିନ ସକାଳୁ ମଙ୍ଗଳ ଆଳତୀ ଦର୍ଶନ କରଉଥିଲୁ, ଏବେ ତୋ ଦର୍ଶନ ବି ସ୍ୱପ୍ନ।” ସିଂହଦ୍ୱାର ନିକଟରେ ପତିପାବନ ଓ ହନୁମାନଙ୍କୁ ଦର୍ଶନ କରି ବାଇଶି ପାହଚରେ କାଶୀ ବିଶ୍ଵନାଥଙ୍କୁ ମୁଣ୍ଡିଆ ମାରି ବାହାରିଲା ବେଳକୁ ଜଣେ ପଣ୍ଡା ମୋ ସାଙ୍ଗେସାଙ୍ଗେ ଚାଲିବାକୁ ଆରମ୍ଭ କଲେ। ଦେହରେ ଧୋତି ,ଢିଲା ଓ କାନ୍ଧରେ ଗାମୁଛା।ମୋତେ ଚିହ୍ନିଲା ପରି ପଚାରିଲେ, “ବାବୁ ଆସି ନାହାଁନ୍ତି।” ମୁଁ କେବଳ ‘ନାହିଁ’ ରେ ମୁଣ୍ଡ ହଲେଇ ଆଗକୁ ବଢିବାକୁ ଲାଗିଲି।କିଏ ଝମେଲାରେ ପଡିବ!

ବଡ଼ଦାଣ୍ଡରେ ଗୋଡ଼ ଦେଲା ମାତ୍ରେ ଧୁଳିଆ ପଣ୍ଡାଙ୍କୁ ନିଶ୍ଚୟ ଭେଟିଥିବେ ଯିଏ ଆପଣଙ୍କୁ “କେଉଁଠୁ ଆସିଛନ୍ତି, ମୋ ସାଙ୍ଗରେ ଆସନ୍ତୁ, ମୁଁ ଆପଣଙ୍କୁ ଜଗନ୍ନାଥ ଦର୍ଶନ କରେଇଦେବି, ଭୋଗ , ବେଢ଼ା ପରିକ୍ରମା ଓ ଅଭଡ଼ା ଭୋଜନରେ ସାହାଯ୍ୟ କରିବି। କାଳିଆ ପାଖକୁ ଆସିଛନ୍ତି, ତୀର୍ଥ କ୍ଷେତ୍ର, ଧର୍ମ କାର୍ଯ୍ୟ, ଯାହା ମନକୁ ପାଇବ ଦେବେ,” ଏମିତି କେତେକଥା କହି ଆପଣଙ୍କ ପଛେ ପଛେ ଯିବେ,ରାଜିହେଲେ ଯେତେ ଭିଡ ହେଇଥାଉ ପଛେ ଦର୍ଶନ କରେଇ ଦେବେ, ଦୀପ ପାଇଁ ,ଭୋଗ ଲଗେଇବା ପାଇଁ କହିବେ, ପାଉଣା ନେବେ। ବେଳେ ବେଳେ ଯାତ୍ରୀଙ୍କୁ ପାଉଣା ପାଇଁ ହଇରାଣ କରିବା କଥା ବି ଶୁଣିଥିବେ। ମୁଁ ସେସବୁ ଝାମେଲାରେ ପଡିବାପାଇଁ ଚାହୁଁ ନଥିଲି।ସେ କିନ୍ତୁ ସେପରି କିଛି କହୁନଥିଲେ, ବରଂ ଅତି ଚିହ୍ନା ପରି ମୋ ସାଙ୍ଗରେ ଚାଲୁଥାଆନ୍ତି, ଏଣୁ ମୋର ବି ମନା କରିବାର ସୁଯୋଗ ନଥିଲା।

ବିଶ୍ୱନାଥଙ୍କୁ ଦର୍ଶନକରି ବାଇଶିପାହାଚ ଦେଇ ଆଗକୁ ଗଲି ଅଗ୍ନେଶ୍ବର ମହାଦେବ, ସତ୍ୟନାରାୟଣ, ବଟଗଣେଶ , ମଙ୍ଗଳାମନ୍ଦିର ହେଇ ଉପରକୁ ଉଠି ମନ୍ଦିର ଭିତରେ ଗରୁଡ଼ ପଛରୁ ତିନିମୂର୍ତ୍ତି ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରାଙ୍କୁ ଦର୍ଶନ କରି ଆଗକୁ ଚାଲୁଥାଏ।ଏ ଭିତରେ ସେ ମୋ ସହିତ ବର୍ତ୍ତାଳାପ ଆରମ୍ଭ କରି ଦେଇଥାଆନ୍ତି ସତେ ଯେମିତି ଆଗରୁ ଜଣାଶୁଣା। ମୁଁ ଭାବୁଥାଏ ଏତେ ବର୍ଷ ପୁରୀରେ ଥିବା ଭିତରେ ଆଗରୁ ବୋଧହୁଏ ପୁରୋହିତ ବାବୁଙ୍କୁ ଭଲ ଭାବରେ ଜାଣିଥିବେ। ଆମେ ସେତେବେଳେ ଭିତର କାଠ ପାଖରେ। ଦର୍ଶନ ସାରି ପାହାଚରେ ମୁଁ କିଛି ସମୟ ବସି ଆଦିନୃସିଂହ ଆଡ଼କୁ ଗଲାବେଳକୁ ସେ ହାତରେ ଜଗନ୍ନାଥଙ୍କ ହୃଦପଦକ ହାତରେ ଧରି ମୋ ପାଖକୁ ଦ୍ରୁତ ପଦରେ ଚାଲିଚାଲି ଆସିଲେ। ଶୁଣିଛି ବଡ଼ସିଂହାରରେ ମହାପ୍ରଭୁଙ୍କୁ ଲାଗି ହେଇଥିବା ହୃଦପଦକ ବହୁ ମୁଲ୍ୟରେ ଭକ୍ତଙ୍କୁ ବିକ୍ରିହୁଏ। ପୁରୀରେ ଥିଲାବେଳେ ଜଗନ୍ନାଥଙ୍କ ଅପାର କୃପାରୁ କେବେ କରପଲ୍ଲବ, କେବେ ନାକଚଣା ଓ କେବେ କେବେ ହୃଦପଦକ ମିଳିଯାଉଥିଲା। ରତ୍ନବେଦୀ ଆରୁଢ଼ ଜଗନ୍ନାଥଙ୍କ ଛଡାଫୁଲ ଅନ୍ୟ ଦେବାଦେବୀଙ୍କୁ ଲାଗି ହୁଏ। ଆଜି ସେଇ ହୃଦପଦକ ପଣ୍ଡାଙ୍କ ହାତରେ ଦେଖି ପାଇବା ପାଇଁ ମନ ଆକୁଳ ହୋଇ ଉଠିଲା। ମନ ହେଉଥାଏ ପଚାରିବି , କେତେ ହେଲେ ହୃଦପଦୁକ ଦେବେ? ଡର ଲାଗୁଥାଏ କାଳେ ମନାକରି ଦେବେ, କାଳେ ଅତ୍ୟଧିକ ଅର୍ଥ ଦାବି କରବେ ଯାହା ମୋ ପାଇଁ ସମ୍ଭବ ହେବନାହିଁ ? ମନକୁ ବୁଝେଇଲି,ଥାଉ ଏତେ ବଡ ପଦକ ନେବା ଆଣିବା ଅସୁବିଧା ହେବ।

ମୁକ୍ତି ମଣ୍ଡପରେ ମୁଣ୍ଡ ଲଗେଇ ଆଗକୁ ଚାଲୁଥାଏ , ସେ ମୋ ପଛେପଛେ ଚାଲୁଥାନ୍ତି, ମନ୍ଦିର ବିଷୟରେ ଗପୁଥାନ୍ତି। ବିମଳାଙ୍କୁ ଦର୍ଶନ କରି କାଞ୍ଚି ଗଣେଶଙ୍କ ପରେ ଚତୁଃର୍ଧାମ, କାନପାତା ହନୁମାନ, ସାକ୍ଷୀ ଗୋପାଳ ,ଭୁବନେଶ୍ୱରୀ , ସାକ୍ଷୀଗୋପଳ ହେଇ ମହାଲଷ୍ମୀ ମନ୍ଦିରକୁ ଆସିଲୁ, ମାଙ୍କ ଦର୍ଶନ ସାରି ମନ୍ଦିର ପିଢ଼ାରେ ବସିଲି, ସେ ଗଲେ ମାଙ୍କ ଯେଉଁ ସ୍ୱତନ୍ତ୍ର ଶୁଖିଲା ଭୋଗ ସେଠି ବିକ୍ରି ହେଉ ଥାଏ , ସେଥିରୁ କିଛି କିଣିଲେ ଓ ତାପରେ ମୋ ପାଖକୁ ଆସି ବସିଲେ। ମୁଁ ସେଠାରୁ ଉଠିଲା ବେଳକୁ ସେ ମୋ ହାତକୁ ମହାଲଷ୍ମୀଙ୍କ ଭୋଗ ଓ ହୃଦପଦକ ବଢ଼େଇ ଦେଲେ। କୃତ୍ୟ କୃତ୍ୟ ହେଇ ତାଙ୍କୁ କିଛି ପାଉଣା ଦେବି ବୋଲି ପର୍ସ ଖୋଲିଲା ବେଳକୁ ସେ ହାତ ଯୋଡିଲେ, କହିଲେ ନାଇଁ ନାଇଁ ମା ଥାଉ ଥାଉ। ନିଜ ଢିଲା ପକେଟରୁ ଭିଜିଟିଂକାର୍ଡ ଦେଇ ଅତି ବିନୟରେ ହାତ ଯୋଡି କହିଲେ,”ମା ମୁଁ ଷ୍ଟେଟ ବ୍ୟାଙ୍କ ପଣ୍ଡା, ବାବୁଙ୍କୁ ନେଇ ଆସିବେ ,ଯେବେ ଆସିବେ ଆଗୁଆ ଖବର ଦେବେ, ମୁଁ ସବୁ ବ୍ୟବସ୍ଥା କରି ଦେଇଥିବି।” ମୋ ପାଟିରୁ କଥା ବାହାରିଲା ନାହିଁ,ଆଖିରୁ ଲୁହ ଓ ପେଟ ଭିତରୁ କୋହ ଉଠି ଆସୁଥାଏ। ପଦକ ଓ କାର୍ଡ ମୋ ହାତକୁ ବଢ଼େଇ ଦେଇ ସେ ପୁଣିଥରେ ନମସ୍କାର କରି ବିମଳା ମନ୍ଦିର ଦିଗରେ ଗଲେ।।ଆଖି ଲୁହ କୌଣସି ବାଧା ମନୁନଥାଏ।

ମହାଲଷ୍ମୀ ମନ୍ଦିର ଚଟାଣରେ ବାର ବାର ମୁଣ୍ଡ ଲଗେଇ , ଧୂଳି ଆଣି ମୁଣ୍ଡରେ ବୋଳି ହେଲି। ବିସ୍ମୟରେ ହତବାକ ହୋଇ ତାଙ୍କ ଯିବା ଆଡ଼କୁ ଘଡ଼ିଏ ଅନେଇ ରହିଲି। ସେ କଣ ମୋତେ ଚିହ୍ନି ଥିଲେ, ନା ମୋତେ ଆଉ କିଏ ବୋଲି ଭାବି ଏତେ ଆଦର କଲେ ,ଆଜି ପର୍ଯ୍ୟନ୍ତ ବୁଝି ପାରିନାହିଁ। କାଇଁ ମୁଁ ତ ତାଙ୍କୁ ମୋତେ ଆଗରୁ ଚିହ୍ନିଛନ୍ତି କି ବୋଲି ଥରୁଟିଏ ବି ପଚାରି ପାରିଲି ନାହିଁ,କି ପ୍ରତିଦାନରେ କିଛି ଦେଇ ପାରିଲିନାହିଁ।ସେ କାର୍ଡବି ଅବହେଳାରୁ ହଜେଇ ଦେଇ ଥିବାରୁ ତାଙ୍କୁ ଆଉ ଯୋଗାଯୋଗ ବି କରି ପାରିନାହିଁ । ସତରେ କେଡେ ଭାବ ବିନୋଦିଆ ଏଇ ଭାବର ଠାକୁର, ଅନ୍ତର୍ଯ୍ୟାମୀ ନାରାୟଣ, ମନଗହୀରର କଥାକୁ ଠିକ ବୁଝିପାରନ୍ତି । ପଲକ ନଥାଇ ଅପଲକେ ସବୁ ଦେଖି ଥାନ୍ତି,କାନ ନଥାଇ ପ୍ରତିଟି କଥା ଶୁଣିଥାନ୍ତି,ପାଣି ନଥାଇ ବିପଦ ବେଳେ କୋଳାଇ ନିଅନ୍ତି,ପାଦ ନଥାଇ ସ୍ମରଣ ମାତ୍ରେ ଲକ୍ଷେ ଯୋଜନରୁ ଆସି ଗଜକୁ ଉଦ୍ଧାର କଲା ପରି ବିପଦ ରୁ ରକ୍ଷା କରନ୍ତି । କଳିଆର ଅଯାତିତ କୃପାବାରିଧିରେ ଅବଗାହନ କରି ଜୀବନ ମୋର ଧନ୍ୟ ହେଇଗଲା।

Leave A Reply

Your email address will not be published.