Latest Odisha News

BREAKING NEWS

ବିଦ୍ରୋହୀ ବିଧାୟକଙ୍କୁ ମନାଇବାକୁ ଉଦ୍ଧବଙ୍କ ପ୍ରୟାସ, କଲେ ଭାବପୂର୍ଣ୍ଣ ନିବେଦନ

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ସଂକଟ ଭିତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଦ୍ରୋହୀ ବିଧାୟକଙ୍କୁ ମନାଇବା ଲାଗି ଆଉ ଏକ ପ୍ରୟାସ କରିଛନ୍ତି । ଜାରି କରିଛନ୍ତି ଏକ ଭାବ ପ୍ରବଣ ଭିଡିଓ । ଯେଉଁଥିରେ ଉଦ୍ଧବ ଠାକରେ କହିଛନ୍ତି, ଆଲୋଚନା ମାଧ୍ୟମରେ ହୋଇ ପାରିବ ସମାଧାନ । ସେଥିପାଇଁ କେବଳ ବିଧାୟକ ମାନେ ତାଙ୍କ ସହ କଥା ହେବାକୁ ଉଦ୍ଧବ ଠାକରେ ନିବେଦନ କରିଛନ୍ତି ।

ଭିଡିଓରେ ଠାକରେ ଆହୁରି କହିଛନ୍ତି, ପରିବାରର ମୁଖିଆ ଭାବେ ମୁଁ ଆପଣମାନଙ୍କ କଥା ଚିନ୍ତା କରୁଛି । ଆପଣମାନଙ୍କୁ କଏଦ କରି କିଛିଦିନ ହେଲା ଗୌହାଟିରେ ରଖା ଯାଇଛି । ଆପଣମାନଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଆସୁଛି । ଆପଣଙ୍କ ମଧ୍ୟରୁ କିଛି ଜଣ ମୋ ସମ୍ପର୍କରେ ଅଛନ୍ତି । ଆପଣମାନେ ହୃଦୟରୁ ଏବେବି ଶିବସେନା ସହ ଅଛନ୍ତି । ଏବେ ବହୁତ ଡେରି ହୋଇ ନାହିଁ । ଆପଣମାନେ ମୁମ୍ବାଇ ଫେରି ଆସି ମୋ ସହ କଥା ହୁଅନ୍ତୁ ।

ଏହା ପୂର୍ବରୁ ଉଦ୍ଧବ ମଧ୍ୟ ସମାନ ଭାବପୂର୍ଣ୍ଣ ଭାବେ ନିବେଦନ କରିଥିଲେ । ବିଦ୍ରୋହ ଆରମ୍ଭ ସମୟରେ ଏକନାଥ ସିନ୍ଦେଙ୍କ ସହ କଥା ହୋଇଥିଲେ ଠାକରେ । ସେତେବେଳେ ଆଲୋଚନାର ସମୟ ସରି ଯାଇଥିବା ସଫା ସଫା କହିଥିଲେ ସିନ୍ଦେ । ଏପରିକି ଏବେ ଆଉ କିଛି ହୋଇପାରିବ ନାହିଁ ବୋଲି ସିନ୍ଦେ, ଠାକରେଙ୍କୁ ରୋକଠୋକ୍ ଶୁଣାଇଥିଲେ । ଏବେ ମହାରାଷ୍ଟ୍ରରେ ମହା ଅଘାଡ଼ି ମେଣ୍ଟ ପାଇଁ ସ୍ଥିତି ଖରାପ ଆଡ଼କୁ ଯାଉଛି । ସଂଖ୍ୟା ଦୃଷ୍ଟିରୁ ସରକାର ବହୁମତ ହରାଇ ସାରିଲାଣି ।

ଅନ୍ୟପଟେ ଏବେ ଯାଏ ସିନ୍ଦେ ଗୋଷ୍ଠୀ କୌଣସି ବଡ଼ ପଦକ୍ଷେପ ନେଇ ନାହାନ୍ତି । କୁହାଯାଉଛି ସିନ୍ଦେଙ୍କ ସହ ଦେବେନ୍ଦ୍ର ଫଡଣବିସ୍ କଥା ହୋଇପାରନ୍ତି । ଏପରିକି ଚର୍ଚ୍ଚା ହେଉଛି ବିଜେପି ଚାଣ୍ୟକ ଭାବେ ପରିଚିତ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସିନ୍ଦେ ଦିଲ୍ଲୀରେ ଆଲୋଚନା କରିପାରନ୍ତି । ଏଭଳି ନାନା ଆଲୋଚନା ହେଉଥିବା ବେଳେ ଦିନକୁ ଦିନ ନାଟକୀୟ ମୋଡ଼ ନେଉଛି ମହାରାଷ୍ଟ୍ର ରାଜନୀତି ।

Leave A Reply

Your email address will not be published.