କୋଲକାତା: ଭାଗ ଭାଗ ହୋଇଗଲା ଦଳ। TMCର ବଦଳିଗଲା ପରିଚୟ। ନିର୍ବାଚନ କମିଶନ ଟିଏମସିର ଉଭୟ ଗୋଷ୍ଠୀ ପାଇଁ ନାମ ଏବଂ ନିର୍ବାଚନ ପ୍ରତୀକ ଚୂଡ଼ାନ୍ତ କରିଛନ୍ତି। ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ଏହି ଚିହ୍ନଗୁଡ଼ିକ ଅସ୍ଥାୟୀ ଏବଂ କେବଳ ଆଗାମୀ ଉପନିର୍ବାଚନ ପାଇଁ ଲାଗୁ ହେବ। ପଶ୍ଚିମବଙ୍ଗର ବିରୋଧୀ ଦଳର ନିୟନ୍ତ୍ରଣକୁ ନେଇ ଚାଲିଥିବା ବିବାଦର ଚୂଡ଼ାନ୍ତ ନିଷ୍ପତ୍ତି ଏପର୍ଯ୍ୟନ୍ତ ହୋଇନାହିଁ। ଏହାର ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ‘ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାଁ ଓ ଏହାର ପାରମ୍ପରିକ ‘ଫୁଲ ଓ ଘାସ’ ଚିହ୍ନକୁ ଫ୍ରିଜ୍ କରିଥିଲେ। ଫଳରେ ଅକ୍ଟୋବର ୬ରେ ହେବାକୁ ଥିବା ପଶ୍ଚିମବଙ୍ଗ ଉପନିର୍ବାଚନରେ ଉଭୟ ଗୋଷ୍ଠୀ ଦୀର୍ଘ ପ୍ରାୟ ତିନି ଦଶନ୍ଧି ଧରି ଦଳ ସହ ଜଡ଼ିତ ମୂଳ ପରିଚୟ ବ୍ୟବହାର କରିପାରିବେ ନାହିଁ।
ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ (MAITC) ଏବଂ ଫୁଟବଲ୍ ଖେଳାଳି ପ୍ରତୀକ ଭାବରେ ନାମିତ କରାଯାଇଛି। ସେହିପରି ରୀତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀକୁ ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ ଏବଂ ଏନଭଲପ୍ ପ୍ରତୀକ ଭାବରେ ନାମିତ କରାଯାଇଛି। ଉଭୟ ଗୋଷ୍ଠୀକୁ ପଶ୍ଚିମବଙ୍ଗ, ମେଘାଳୟ ଏବଂ ତ୍ରିପୁରାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ମାନ୍ୟତା ପ୍ରଦାନ କରାଯିବ।
ମମତା ବାନାର୍ଜୀଙ୍କ ବିରୋଧରେ ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ବିଦ୍ରୋହ ପରେ ଏହି ବିବାଦ ଆହୁରି ତୀବ୍ର ହୋଇଥିଲା। ମେ ମାସର ବିଧାନସଭା ନିର୍ବାଚନ ପରେ ତୃଣମୂଳ ବିଧାୟକ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ଏହି ବିବାଦ ପରେ ସଂସଦ ପର୍ଯ୍ୟନ୍ତ ପହଞ୍ଚିଥିଲା ଏବଂ ଶେଷରେ ଦଳର ନାଁ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ନିର୍ବାଚନ ଆୟୋଗ କହିଛନ୍ତି ଯେ, ଏହି ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଆଇନ ଅନୁଯାୟୀ ବିସ୍ତୃତ ନିର୍ଣ୍ଣୟ ଆବଶ୍ୟକ।
ଉଭୟ ଗୋଷ୍ଠୀକୁ ଶୁକ୍ରବାର ସକାଳ ୧୧ଟା ସୁଦ୍ଧା ତିନୋଟି ପସନ୍ଦର ନାଁ ଏବଂ ତିନୋଟି ମୁକ୍ତ ନିର୍ବାଚନୀ ଚିହ୍ନ ଦେବାକୁ କୁହାଯାଇଥିଲା। ଏହାପରେ ଆୟୋଗ ଆଗାମୀ ଉପନିର୍ବାଚନ ପାଇଁ ଦୁଇ ଗୋଷ୍ଠୀକୁ ଅନ୍ତରୀଣ ଚିହ୍ନ ଆବଣ୍ଟନ କରିଛନ୍ତି। ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ ‘ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାଁ ସହ ‘ଫୁଟବଲ୍ ଖେଳାଳି’ ଚିହ୍ନ ଦିଆଯାଇଛି। ଅନ୍ୟପଟେ ବିଦ୍ରୋହୀ ଗୋଷ୍ଠୀକୁ ‘ଡେମୋକ୍ରାଟିକ୍ ତୃଣମୂଳ କଂଗ୍ରେସ’ ନାଁ ଏବଂ ‘ଲଫାପା’ ଚିହ୍ନ ମିଳିଛି। ଆଗାମୀ ଉପନିର୍ବାଚନ ପାଇଁ ଏହି ଦୁଇଟିକୁ ଅସ୍ଥାୟୀ ବ୍ୟବସ୍ଥା ଭାବେ ଆୟୋଗ ଅନୁମୋଦନ କରିଛନ୍ତି।


Comments are closed.