Latest Odisha News

BREAKING NEWS

ସ୍ତ୍ରୀ ଦଶାହରେ ସ୍ୱାମୀଙ୍କ ମୃତ୍ୟୁ, ଅନାଥ ହୋଇଗଲେ ୨ ଛୁଆ

ଭଦ୍ରକ: ଦଇବ ତ ନିର୍ଦ୍ଦୟ ହୁଏ । ହେଲେ ନିୟତି ଏମିତି ନିର୍ଦ୍ଦୟ ହେବ ପୁଣି ତାହା ଦୁଇ ଛୁଆଙ୍କ ପାଇଁ । ଏ ଖବର ଶୁଣିଲେ ଆପଣ ବି ଧୈର୍ଯ୍ୟହରା ହୋଇ ଯିବେ । କହିବେ ଏମିତି ଦୁଃଖ ଆଉ କାହା ଭାଗ୍ୟରେ ନ ଆସୁ । ପ୍ରଥମେ ମାଆ ୧୦ ଦିନ ନ ହେଉଣୁ ବାପା । ମାଆର ଦଶକ୍ରିୟା ଚାଲିଥିବା ବେଳେ ଚାଲି ଯାଇଛି ବାପାର ଜୀବନ । ମାଆର ଦଶାହରେ ଘରୁ ଉଠିଛି ବାପାଙ୍କ କୋକେଇ । ଅନାଥ ହୋଇ ଯାଇଛନ୍ତି ୨ ଛୁଆ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବଣିଆ ପଞ୍ଚାୟତ ପେଡ଼ାସାହିରେ ।

ଗାଁର ନରହରି ପେଡ଼ା ଗାଡ଼ି ଚଳାଇ ପରିବାର ପୋଷୁଥିଲେ । ୨ ବର୍ଷ ତଳେ ସ୍ତ୍ରୀ ଇତିଶ୍ରୀ ଯକ୍ଷ୍ମାରେ ଆକ୍ରାନ୍ତ ପରେ ଗତ ଅଗଷ୍ଟ ୨୪ରେ ଆଖି ବୁଜିଥିଲେ । ସ୍ତ୍ରୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ ନରହରି । ୬ ବର୍ଷର ଝିଅ ଓ ୨ ବର୍ଷର ପୁଅଙ୍କୁ କେମିତି ପାଳିବେ ସେହି ଚିନ୍ତାରେ ଥିଲେ । ଆଉ ଇତିଶ୍ରୀଙ୍କ ଦଶାହରେ ଦଇବ ନରହରିଙ୍କୁ ବି ଛଡ଼ାଇ ନେଇଛି । ୨ ଛୁଆ ଦୁନିଆ କଣ ଜାଣିବା ଆଗରୁ ବାପାମାଆ ଛେଉଣ୍ଡ ହୋଇ ଯାଇଛନ୍ତି ।

୧୦ ଦିନ ମଧ୍ୟରେ ହାତ ଧରାଧରି ହୋଇ ମାଆବାପା ଚାଲିଯିବା ପରେ ଶୁଦ୍ଧିକ୍ରିୟା ପାଇଁ ଏକାଠି ହୋଇଛନ୍ତି ଗାଁ ଲୋକେ । ଗ୍ରାମବାସୀଙ୍କ ସହାୟତାରେ ଶୁଦ୍ଧିକ୍ରିୟା ତ ହୋଇଯିବ । ହେଲେ କଣ ହେବ ଏହି ୨ ଛୁଆଙ୍କ ଭବିଷ୍ୟତ ? ସରକାର ୨ ଛୁଆଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ତେବେ ଦେଖିବାର କଥା ପ୍ରଶାସନ କେବେ ଏହି ୨ ଛୁଆଙ୍କୁ କୋଳାଇ ନେଉଛି ।

Leave A Reply

Your email address will not be published.