Latest Odisha News

BREAKING NEWS

ଅଟୋ ରିକ୍ସାରେ ବୋମା ବିସ୍ଫୋରଣ, ଆତଙ୍କୀ ସନ୍ଦେହ

ବାଙ୍ଗଲୁରୁ : କର୍ଣ୍ଣାଟକର ମାଙ୍ଗଲୁରୁ ଠାରେ ଏକ ଅଟୋ ରିକ୍ସାରେ ବୋମା ବିସ୍ଫୋରଣ । ସମୟ ସକାଳ ସାଢେ ୭ଟା । ରାସ୍ତାରେ ଯାଉ ଯାଉ ହଠାତ୍ ଅଟକିଯାଇଥିଲା ଏକ ଅଟୋ । ବିସ୍ଫୋରଣକୁ ପୋଲିସ ଆତଙ୍କୀ କାରନାମା ବୋଲି ସନ୍ଦେହ କରିଛି । ବୋମା ସ୍କ୍ୱାଡ୍ ବିସ୍ଫୋରଣ ସ୍ଥାନରେ ପହଞ୍ଚି ଛାନଭିନ କରୁଛି ।

ଅଟୋରେ ଥିବା ଯାତ୍ରୀ ତଥା ଅଭିଯୁକ୍ତଠାରୁ ଏକ ଆଧାରକାର୍ଡ ମିଳିଛି । ଯାହାକୁ ଆଧାର କରି ପୋଲିସ ତଦନ୍ତ କରୁଛି । ଅଭିଯୁକ୍ତ ଯାତ୍ରୀ ଭାବେ ଅଟୋରେ ବସିଥିଲା । ସେ କର୍ଣ୍ଣାଟକ ହୁବୁଲି ଜିଲ୍ଲାର ଜଣେ ବାସିନ୍ଦାଙ୍କ ଆଧାର କାର୍ଡକୁ ସେ ଚୋରାଇ ପାଖରେ ରଖିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ସେ ମୋବାଇଲ ରିପେୟାରିଂ ଟ୍ରେନିଂ ନେଉଥିବା କହିଛି । ମେସୁରରେ ରହୁଥିବା ଘରେ ପୋଲିସ ରେଡ୍ କରିଛି ।

ଯେଉଁ ବ୍ୟକ୍ତିଙ୍କ ପରିଚୟପତ୍ର ସେ ରଖିଥିଲା ସେଥିରେ ଥିବା ନାଁ ପ୍ରେମରାଜ ହୁତଗି । ତାଙ୍କୁ ପୋଲିସ ପଚରାଉଚୁରା କରିଛି । ସେ ରେଲଓ୍ୱେରେ ଚାକିରୀ କରୁଛନ୍ତି । ଗତ ଦୁଇ ବର୍ଷରେ ସେ ୨ ଥର ନିଜ ଆଧାର କାର୍ଡ ହଜାଇ ଦେଇଥିବା ପୋଲିସକୁ କହିଛନ୍ତି । ଅଭିଯୁକ୍ତ ତାକୁ ହାତେଇ ପାଖରେ ରଖିଥିଲା । ହେଲେ ସେ ପୋଲିସକୁ ନିଜର ପରିଚୟ କିମ୍ୱା ଅନ୍ୟ କିଛି ତଥ୍ୟ ଦେଇପାରିନାହିଁ ।

କର୍ଣ୍ଣାଟକ ଡିଜିପି ପ୍ରବୀଣ ସୁଦ୍ କହିଛନ୍ତିଯେ ଅଭିଯୁକ୍ତ ସାଙ୍ଗରେ ବ୍ୟାଟେରୀ ଓ ବିସ୍ଫୋରକ ସଂଯୁକ୍ତ କୁକର ନେଇଯାଉଥିଲା । ଏହା ବିସ୍ଫୋରଣ ହେବା ପରେ ଡ୍ରାଇଭର ଓ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା କରାଯାଉଛି । ଅଭିଯୁକ୍ତ ନକଲି ପରିଚୟପତ୍ର ଦେଇଥିବାରୁ କେନ୍ଦ୍ରୀୟ ତଦନ୍ତକାରୀ ଦଳ ଏହି ମାମଲାର ଯାଞ୍ଚ କରିବ ବୋଲି  ଡିଜିପି କହିଛନ୍ତି । କର୍ଣ୍ଣାଟକ ଗୃହ ମନ୍ତ୍ରୀ ଆରଗା ଜ୍ଞାନେନ୍ଦ୍ର ବି ସମାନ ସୂଚନା ଦେଇଛନ୍ତି । ତେବେ ସହରରେ ଶାନ୍ତି ବଜାୟ ରଖିବାକୁ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଛି ।

Leave A Reply

Your email address will not be published.