ଆମେ ଯାହାକୁ ନଈ ବୋଲି କହୁଥିଲୁ ପ୍ରକୃତରେ ସେଇଟି ଗୋଟେ ଯୋର ହିଁ ଥିଲା । ମହାନଦୀରୁ ବାହାରି ଆମ ଗାଁ ଦେଇ ଆଗକୁ ଅଳ୍ପ ବାଟ ଯାଇ ସରିଯାଇଥିଲା । ମହାନଦୀର ସମୁଦ୍ର ମୁହାଣ ବେଶୀ ବାଟ ନଥିଲା, ତେଣୁ ଆମ ଯୋରରେ ଦିନକୁ ଦିଇ ଥର ଜୁଆର ନିଶ୍ଚୟ ଆସୁଥିଲା । ଅମାବାସ୍ୟା ଓ ପୂର୍ଣ୍ଣିମାରେ ଯୋରର ପାଣି ଆଖ ପାଖ ବିଲରେ ବି ପଶି ଯାଉଥିଲା । ପାଣି ଥିଲା ଦୋକଷି । ମାନେ ଅଳ୍ପ ଲୁଣିଆ । ପାଟିରେ ଦେଇ ହେବ, ହେଲେ ପାନୀୟ ପାଇଁ ଏକଦମ୍ ଅଯୋଗ୍ୟ । ଯୋରରେ ମାଛ ଓ ଚିଙ୍ଗୁଡି ପ୍ରଚୁର ଥିଲେ । ଆହୁରି ଥିଲେ ପ୍ରବଳ ମାଣ୍ଡୁଅ କଙ୍କଡା ଆଉ ଲୁଣି ଧଣ୍ଡ । ବାଲି ନଥିଲା, ଥିଲା ନିରୋଳା ଆଣ୍ଠୁଏ ଗହୀରର ପନ୍ତା କାଦୁଅ । ଖରା ଦିନେ ଗାଁ ପୋଖରୀରେ ପାଣି କମିଗଲେ ଆମେ ସେ ଦୋକଷି ପାଣି ଭରା ଜୁଆରରେ ଯୋରରେ ଗାଧଉଥିଲୁ । ଜିଦାଜିଦିରେ ଏକୂଳରୁ ସେକୂଳ ପହଁରୁଥିଲୁ ।
ସେଇ ଯୋର ଦେଇ ପ୍ରତିବର୍ଷ ଗାଁ ଲୋକମାନେ ଝାରକୁ ଯାଉଥିଲେ । ଝାଡ଼ରୁ ଝାର ହେଇଛି । ଝାଡ଼ ଜଙ୍ଗଲ ଶବ୍ଦ ଆମର ବ୍ୟବହାରରେ ଅଛି । ସାହିର ଦାଦା ଭାଇମାନେ ଚାରି ଛଅ ଦିନ ପାଇଁ ବଡ଼ ଡଙ୍ଗା ନେଇ ଝାଡ଼କୁ ଯାଆନ୍ତି । ସାଙ୍ଗରେ ନିଅନ୍ତି ବଡ଼ ବଡ଼ ଗୁଡ଼ ବଣାରେ ପିଇବା ପାଣି । ଚାଉଳ ଡାଲି ସାଙ୍ଗରେ ମାଟିଆଳୁ, ସାରୁ ଓ କଖାରୁ ନିଅନ୍ତି । ଉଠା ଚୁଲି ଓ ଶୁଖିଲା ଜାଳେଣୀ ବି ନିଅନ୍ତି । ତାପରେ ଜୁଆର ଛାଡ଼ ବେଳେ ମାଛ, କଙ୍କଡ଼ା ଆଉ ଚିଙ୍ଗୁଡ଼ି ଯାହାକୁ ଯେତେ । ଫେରିଲା ବେଳକୁ ଡଙ୍ଗା ଭର୍ତ୍ତି କାଠ ଆଣି ଆସନ୍ତି ।
ସେମାନଙ୍କ ଠାରୁ ଅନେକ ଅନୁଭୂତି ମୁଁ ଶୁଣିଛି । କେମିତି ମହାନଦୀ ନଈରେ ଯାଇ ସମୁଦ୍ରକୁ ପଶିବାକୁ ହୁଏ । ତାପରେ ପୁଣି ନଈ ଭିତରକୁ । ସେଇଠି ଥାଏ ଝାର ଜଙ୍ଗଲ । ଭଟ୍ଟା ସମୟରେ କାଠ କାଟିବାକୁ ହୁଏ । ଜୁଆରିଆ ସମୟ ତକ ଡଙ୍ଗାରେ ଅପେକ୍ଷା କରିବାହୁ ହୁଏ । କିରି କିରି ଶବଦ କରି ଜୁଆର ଆସେ ଆଉ ଯାଏ । ସେଇ ଜୁଆର ଓ ଭଟ୍ଟାକୁ ନଜର ରଖି ସବୁ କାମ କରିବାକୁ ହୁଏ । କେବେ କେବେ ବାଘ ସାଙ୍ଗରେ ଭେଟ ବି ହୁଏ । ରାତିରେ ବାଘ ହେଣ୍ଟାଳରେ ଛାତିରେ ଛନକା ପଶିଯାଏ । ପାଣି ଭିତରେ ଡଙ୍ଗା ନଙ୍ଗର ପକେଇ ଛିଡା ହେଇଥାଏ । ବାଘ କୁଆଡେ ଡଙ୍ଗା ପାଖକୁ ଆସେନି । ସେତବେଳେ ସେ ଝାର ଜଙ୍ଗଲ ଯେ ସମୁଦ୍ର ଓ ନଈ ମୁହାଣର ହେନ୍ତାଳ ବଣ, ମୁଁ ଜାଣି ନଥିଲି । ସୁନ୍ଦରବନର ହେନ୍ତାଳ ଜଙ୍ଗଲ ପରିବେଶକୁ ନେଇ ଅମିତାଭ ଘୋଷ “ହଙ୍ଗ୍ରି ଟାଇଡ୍” ନାମରେ ଗୋଟିଏ ଚମତ୍କାର ଉପନ୍ୟାସ ଲେଖିଥିଲେ । ମୁଁ ହେନ୍ତାଳ ବଣ ଦେଖିନଥିଲି, ହେଲେ ହେନ୍ତାଳ ବଣର କାଠ ମାନଙ୍କୁ ଚିହ୍ନିଥିଲି । ଏଇ ଯେମିତି ନାଲି ଟହ ଟହ ସୁନ୍ଦରୀ ଏବଂ ବନୀ, ଖରାସି, ଘରଣୀ, ରାଈ ଓ ଶିଶୁମାର ଆଦି ଅନେକ କାଠ । ଲଙ୍ଗଳ ମୁଣ୍ଡା ପାଇଁ ଲୋକେ ସୁନ୍ଦରୀ ଗଛର ଗଣ୍ଡି ଆଣୁଥିଲେ । ଯେତିକି ଲୋକ ଡଙ୍ଗାରେ ଝାଡ଼କୁ ଯାଉଥିଲେ ସେଠୁ ଫେରିଲା ପରେ ଆଣିଥିବା କାଠକୁ ବାଣ୍ଟି ନେଉଥିଲେ ଅବା ବିକ୍ରୀ କରିଦେଉଥିଲେ । ଆମ ଘରୁ କେହି ଝାଡ଼କୁ ଯାଉନଥିଲେ । ତେବେ କେବେ କେବେ ପୁରା ଡଙ୍ଗାକର କାଠ ଆମର କିଣା ହେଇଯାଉଥିଲା । ଯୋର ପାଖରୁ ଆମେ ସେ କାଠତକ ଘରଯାଏଁ ବୋହୁଥିଲୁ । ସେବେ ଆମ ଗାଁରେ ଜାଳେଣୀ କାଠର ଘୋର ଅଭାବ ଜାଣ ।
ଧିରେ ଧିରେ ଝାର ଜଙ୍ଗଲ କମି କମି ଗଲା । ଲୋକମାନେ ଆଉ ଡଙ୍ଗା ଧରି କାଠ ଆଣିବାକୁ ଗଲେନି । ତାପରେ ଆମ ଗାଁ ଯୋରକୁ ବି ମହାନଦୀ ପାଖରୁ ବିଚ୍ଛିନ୍ନ କରିଦିଆଗଲା ଓ ଜୁଆର ନଆସିବାରୁ ଯୋର କାଳକ୍ରମେ ଦଳ ଓ ଘାସ ଭର୍ତ୍ତି ହେଇ ପୋତିହେବାକୁ ବସିଲାଣି । ଗାଁରେ ଆଗରୁ ପ୍ରାୟ ଚାଳ ଛପର ଘର ଥିଲା । ସେବେ ଘର ସବୁ କେବଳ କାଠ ବାଉଁଶରେ ତିଆରି ହେଇନଥିଲେ । ବାଉଁଶ ଯାଗାରେ ବ୍ୟବହାର ହେଉଥିଲା ରୁଅ । ରୁଅ ଗଛ ସମୁଦ୍ର ପାଖରେ ବଢୁଥିଲା । ଦେଖିବାକୁ ବାଉଁଶ ପରି କିନ୍ତୁ ବାଉଁଶ ଠାରୁ ଶକ୍ତ । ଅନେକ ବର୍ଷ ତଳେ ପାରାଦୀପ ନେହେରୁ ବଙ୍ଗଳା ଯିବା ରାସ୍ତାରେ ମୁଁ ରୁଅ ଗଛ ଦେଖିଛି । ଏବେ ଅଛିନା ନାହିଁ ଜାଣିନି । ସମୁଦ୍ର କୂଳିଆ ସନ୍ତସନ୍ତିଆ ଯାଗାରେ ନାଳିଆ ନାମରେ ଏକ ପ୍ରକାର ଜଙ୍ଗଲିଆ ଘାସ ବଢେ଼ । ସେ ଲମ୍ବା ଘାସରେ ବାଉରୀମାନେ ସୁନ୍ଦରିଆ ସୁନ୍ଦରିଆ ଟୋକେଇ ପାଛିଆ, ଡାଲା ଓ ଚାଙ୍ଗୁଡି ଆଦି ବୁଣୁଥିଲେ । ସମୁଦ୍ର ପାଖ ଆମ ଧୋଇଆ ପାରିରେ ବେତ କି ବାଉଁଶ ତିଆରି ଟୋକେଇ ପାଛିଆ ବଦଳରେ ନାଳିଆରେ ତିଆରି ଟୋକେଇ ପାଛିଆର ବ୍ୟବହାର ଅଧିକ ଥିଲା । ନାଳିଆ ଆଉ ମିଳୁନି । ମୁଁ ବି କୌଣସି କ୍ରାଫ୍ଟ ମେଳାରେ ନାଳିଆରେ ତିଆରି ଦ୍ରବ୍ୟ କେବେବି ଦେଖିନି ।
ଏବେ ଏବେ ବାତ୍ୟା ୟସ ତାର ପ୍ରକୃତ ରୋବାବ ଦେଖେଇ ପାରିଲାନି; କାରଣ ଓଡ଼ିଶା ଉପକୂଳରେ ଥିବା ହେନ୍ତାଳ ବଣ ବାତ୍ୟା ବିରୁଦ୍ଧରେ ପ୍ରାଚୀର ହେଇ ଠିଆ ହେଇଥିଲା । ପରିବେଶବିତ୍ ମାନେ ଏ ନେଇ ବହୁତ ଆଗରୁ କହିଛନ୍ତି । ବାତ୍ୟା ଓ ମୃତ୍ତିକା କ୍ଷୟକୁ ଅଟକାଇବାକୁ ପ୍ରକୃତି ଆଦ୍ୟ କାଳରୁ ଏମିତି ବ୍ୟବସ୍ଥା କରିଥିଲା । ଉପକୂଳରେ ବ୍ୟାପକ ଜବର ଦଖଲ ଓ ବେଆଇନ୍ ଚିଙ୍ଗୁଡି ଘେରି ଯୋଗୁଁ ହେନ୍ତାଳ ବଣ ନଷ୍ଟ ହେଇଛି । ଓଡ଼ିଶାର ସମୁଦାୟ ଜଙ୍ଗଲର ମାତ୍ର ୦.୪୬% ହେଉଛି ହେନ୍ତାଳ ଜଙ୍ଗଲ । ଦେବୀ, ମହାନଦୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖା ନଦୀର ମୁହାଣ ଅଞ୍ଚଳ ଓ ବ୍ରାହ୍ନଣୀ ଏବଂ ବୈତରିଣୀ ନଦୀ ମୁହାଣର ଧାମରା ଅଞ୍ଚଳ ଓ ଭିତରକନିକାରେ ହେନ୍ତାଳ ଜଙ୍ଗଲ ଦେଖିବାକୁ ମିଳେ । ୧୯୯୯ ମସିହାର ସୁପର୍ ସାଇକ୍ଲୋନ୍ ପରେ ରାଜ୍ୟ ସରକାର ସମୁଦ୍ରତଟରୁ ଏକ କିଲୋମିଟର ସ୍ଥଳ ଭାଗ ପର୍ଯ୍ୟନ୍ତ ହେନ୍ତାଳ ବଣ କରିବାର ଯୋଜନା ରଖିଥିଲେ ।୨୦୧୫ ମସିହା ହିସାବ ଅନୁସାରେ ରେ ପୁରୀ, ଜଗତସଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୨୩୧ ବର୍ଗ କି.ମି ହେନ୍ତାଳ ଜଙ୍ଗଲ ଥିଲା । ୨୦୧୯ ରେ ଏହା ୨୫୦ ବର୍ଗ କି.ମିକୁ ବୃଦ୍ଧି ହେଇଛି ଯାହାକି ବେଶି କିଛି ଖୁସିହେବା ପରି ଅଭିବୃଦ୍ଧି ନୁହେଁ । ଏ ନେଇ ସରକାର ଯୋଜନା ମୁତାବକ ଅଧିକ ବୃକ୍ଷ ରୋପଣ ସହ ସ୍ଥାନୀୟ ଲୋକମାନଙ୍କ ଭିତରେ ଏନେଇ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରାଇବା ଦରକାର ।
Comments are closed.