Latest Odisha News

BREAKING NEWS

ବିଶିଷ୍ଟ ମର୍ଦ୍ଦଳ ବିଶାରଦ ଗୁରୁ ବନମାଳୀ ମହାରଣାଙ୍କ ପରଲୋକ

ଭୁବନେଶ୍ୱର : ବିଖ୍ୟାତ ମର୍ଦ୍ଦଳ ବାଦକ ଗୁରୁ ବନମାଳୀ ମହାରଣାଙ୍କ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଦେହାନ୍ତ ହୋଇଛି ।

ସେ ଦୀର୍ଘ ଦିନ ଧରି ଫୁସଫୁସ୍ ଜନିତ ରୋଗରେ ଆକ୍ରାନ୍ତ ଥିଲେ ଏବଂ ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ମୃତ ଦେହକୁ ହସ୍ପିଟାଲରୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟକୁ ନିଆଯାଇଛି ।

୧୯୪୧ ମସିହା ମେ ୧୬ ତାରିଖରେ ପୁରୀ ଜିଲ୍ଲା ରଘୁରାଜପୁରରେ ସେ ଜନ୍ମ ଗ୍ରହଣ କରିଥିଲେ । ମର୍ଦ୍ଦଳ ପ୍ରତି ତାଙ୍କ ଅବର୍ଣ୍ଣନୀୟ ଅବଦାନ ଯୋଗୁଁ ତାଙ୍କୁ ‘ମର୍ଦ୍ଦଳର ଜନକ’ ଭାବେ ସମ୍ମାନିତ କରାଯାଇଛି ।

ତାଙ୍କୁ ଦେଶ ତଥା ବିଦେଶରୁ ମଧ୍ୟ ଅନେକ ପୁରସ୍କାର ମିଳିଛି । ସେ ମର୍ଦ୍ଦଳ ଏକାଡେମୀ ର ସ୍ଥାପନା କରିଛନ୍ତି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଏକାଡେମୀ ଦ୍ୱାରା ‘ତାଳ ବାଦ୍ୟ’ ଉତ୍ସବ ଆୟୋଜିତ କରାଯାଇଥାଏ । ଓଡ଼ିଶାରେ ଶାସ୍ତ୍ରୀୟ ସଙ୍ଗୀତରେ ତାଙ୍କର ମର୍ଦ୍ଦଳ ବାଦନ ଏକ ଅତୁଳନୀୟ ସ୍ଥାନ ଗ୍ରହଣ କରିଛି ।

ବିଶିଷ୍ଟ ମର୍ଦ୍ଦଳ ବିଶାରଦ ଗୁରୁ ବନମାଳୀ ମହାରଣା ଜଣେ ମଞ୍ଚ କଳାକାର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସେ କିମ୍ବଦନ୍ତୀ ଓଡିଶୀ ସଙ୍ଗୀତାଚାର୍ଯ୍ୟ ଗୁରୁ କେଳୁଚରଣ ମହାପାତ୍ର ଓ ସେମାନଙ୍କର ଅଧିକାଂଶ ଶିଷ୍ୟା ଓ ଶିଷ୍ୟଙ୍କ ସହ ମର୍ଦ୍ଦଳ ବାଦନ କରିଛନ୍ତି । ସେମାନେ ହେଲେ- ସଞ୍ଜୁକ୍ତା ପାଣିଗ୍ରାହୀ, ସୋନଲ ମାନସିଂହ ଏବଂ ମାଧବୀ ମୁଦଗଳ ପ୍ରମୁଖ ।

ଏହି ପ୍ରଥିତଯଶା ମର୍ଦ୍ଦଳ ବାଦକ ୨୦୧୬ ମସିହାରେ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଥିଲେ । ସେ ମଧ୍ୟ ୨୦୧୫-୧୬ ଲାଗି ‘ଓଡିଶୀ ନୃତ୍ୟ ସମ୍ମାନ’ ହାସଲ କରିଥିଲେ । ସେ ଆହୁରି ମଧ୍ୟ ‘କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ’ ପୁରସ୍କାର ହାସଲ କରିଛନ୍ତି ।

Leave A Reply

Your email address will not be published.