କଟକ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିସିପିଙ୍କର ପ୍ରତିକ୍ରିୟା ଆସିଛି। ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି। ଲାପଟପ୍, ଟାବଲେଟ୍ ଜବତ ହୋଇଛି ଏବଂ ହ୍ବାଟସ୍ ଆପ୍ ତଥ୍ୟ ବି ମିଳିଛି। ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକା ଭୀମସେନଙ୍କୁ ଫୋନ୍ କରିଥିଲେ, କିନ୍ତୁ ସେ ଫୋନ୍ ଉଠାଇ ନଥିଲେ। ଅନ୍ୟ ଜଣଙ୍କ ନମ୍ବରରୁ ବି ଚନ୍ଦ୍ରିକା କଲ୍ କରିଥିଲେ, କିନ୍ତୁ ତାହା ବି ଉଠାଇ ନଥିଲେ। ଆବଶ୍ୟକ ହେଲେ ଭୀମସେନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବୁ ବୋଲି କହିଛନ୍ତି ଡିଜିପି।
ସୂଚନା ଥାଉକି ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡ୍ OAS ଭୀମସେନ ଟୁଡୁଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। କାଠଯୋଡ଼ିରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁ ଭୀମସେନ ଟୁଡ଼ୁଙ୍କୁ ମୟୂରଭଞ୍ଜରୁ ଗିରଫ କରିଛି। ଚଳିତ ମାସ ୪ ତାରିଖରେ କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିଥିଲା। ହେଲେ ପ୍ରେମ ବ୍ୟାପାରକୁ ନେଇ ପୁରୁଷବନ୍ଧୁ ଭୀମସେନ ଜଣେ ଯୁବତୀଙ୍କ ସହ ମିଶି ଚନ୍ଦ୍ରିକାଙ୍କୁ ହତ୍ୟା କରିଥିବା ଚନ୍ଦ୍ରିକାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ।
ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଶେଷ ବର୍ଷର ଏମବିବିଏସ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ଗତ କଟକ ତ୍ରିଶୂଳିଆ କାଠଯୋଡ଼ି ନଦୀ ପଠାରୁ ଉଦ୍ଧାର କରାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ପାଣିରେ ବୁଡ଼ିଯିବା ଏବଂ ଶ୍ୱାସରୁଦ୍ଧ ହେବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ପ୍ରାଥମିକ ଅବସ୍ଥାରେ ଏହାକୁ ଏକ ଅପମୃତ୍ୟୁ ମାମଲା କୁହାଯାଉଥିଲେ ମଧ୍ୟ ଚନ୍ଦ୍ରିକାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣା ଭିନ୍ନ ମୋଡ଼ ନେଇଛି । ଚନ୍ଦ୍ରିକାଙ୍କ ମା’ ହୀରାମଣି ହେମ୍ବ୍ରମ ଓ ପରିବାର ସଦସ୍ୟ ଭୀମସେନଙ୍କ ବିରୋଧରେ ମାନସିକ ନିର୍ଯାତନା ଏବଂ ଜୀବନ ହାରିବା ପାଇଁ ଉସୁକାଇବା ଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି । ନବୋଦୟ ବିଦ୍ୟାଳୟରେ ପଢ଼ିବା ସମୟରୁ ଦୁହିଁଙ୍କ ମଧ୍ୟରେ ପ୍ରାୟ ୧୪ ବର୍ଷର ପ୍ରେମ ସମ୍ପର୍କ ଥିଲା ଏବଂ ୨୦୨୭ରେ ବିବାହ କରିବା ପାଇଁ ଦୁଇ ପରିବାର ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ଅଭିଯୋଗ ଅନୁସାରେ, ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଟ୍ରେନିଂରେ ଯିବା ପରେ ଭୀମସେନଙ୍କର ଅନ୍ୟ ଜଣେ ବାନ୍ଧବୀଙ୍କ ସହ ସମ୍ପର୍କ ଗଢ଼ିଥିଲେ। ଏହାକୁ ନେଇ ବିବାଦ ବଢ଼ିଥିଲା ।
ଚନ୍ଦ୍ରିକା ଗୋରା ନଥିବାରୁ ତାଙ୍କୁ ବାହା ହେବାକୁ ରାଜି ହେଉନଥିଲେ ପୁରୁଷବନ୍ଧୁ। ଗୋରା ହେବାକୁ କସମେଟିକ ଟ୍ରିଟମେଣ୍ଟ ନେବା ପାଇଁ ଚନ୍ଦ୍ରିକା ସପ୍ତାହରେ ଥରେ ଭୁବନେଶ୍ବର ଆସି ଇଞ୍ଜେକସନ ନେଉଥିଲେ। ଗୋରା ହେବା ପରେ ତାଙ୍କ ପୁରୁଷବନ୍ଧୁ ବିବାହ ପାଇଁ ରାଜି ହୋଇଯିବେ ବୋଲି ସେ ଭାବୁଥିବା ଚନ୍ଦ୍ରିକାଙ୍କ ମା’ ପୋଲିସକୁ କହିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଚନ୍ଦ୍ରିକାଙ୍କ ବୟଫ୍ରେଣ୍ଡଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ମଧ୍ୟ ଗଠନ ହୋଇଥିଲା। ଏହାରି ମଧ୍ୟରେ ଗୁରୁବାର ଆସିଥିଲା ଚନ୍ଦ୍ରିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ପାଣିରେ ବୁଡ଼ି ଅଣନିଶ୍ବାସ ହେବାରୁ ଚନ୍ଦ୍ରିକାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି।