ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବା ପରେ ତାମିଲଗା ଭେଟ୍ରି କାଜଗମ୍ (TVK) ଦଳର ମୁଖ୍ୟ ତଥା ଅଭିନେତା ବିଜୟ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ବୁଧବାର ଦିନ ଚେନ୍ନାଇର ଗିଣ୍ଡି ସ୍ଥିତ ରାଜଭବନରେ କାର୍ଯ୍ୟକାରୀ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ସାକ୍ଷାତ କରି ବିଜୟ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ଅନ୍ୟ ଦଳଗୁଡ଼ିକ ସହ ମେଣ୍ଟ ପାଇଁ ସହମତି ହେବା ପରେ ହିଁ ବିଜୟ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଥିବା ବିଶ୍ୱାସ କରାଯାଉଛି।
ପ୍ରକୃତରେ, ରାଜ୍ୟର ମୋଟ ୨୩୪ଟି ଆସନରୁ କୌଣସି ଦଳ କିମ୍ବା ମେଣ୍ଟକୁ ବହୁମତ ପାଇଁ ଆବଶ୍ୟକ ୧୧୮ଟି ଆସନ ମିଳିପାରି ନାହିଁ। ନିର୍ବାଚନ ଫଳାଫଳ ଅନୁଯାୟୀ, ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ ସର୍ବାଧିକ ୧୦୮ଟି ଆସନରେ ବିଜୟୀ ହୋଇଥିବା ବେଳେ ଶାସକ ଡିଏମକେ (DMK) ମେଣ୍ଟକୁ ୭୩ଟି ଏବଂ ଏଆଇଏଡିଏମକେ (AIADMK) ମେଣ୍ଟକୁ ୫୩ଟି ଆସନ ମିଳିଛି। ଏହା ବ୍ୟତୀତ କଂଗ୍ରେସ ୫, ପିଏମକେ (PMK) ୪, ଆଇୟୁଏମଏଲ (IUML) ୨, ସିପିଆଇ ୨, ଭିସିକେ ୨, ଏବଂ ସିପିଆଇ-ଏମ ୨ଟି ଆସନ ଜିତିଛନ୍ତି। ବିଜେପି, ଡିଏମଡିକେ ଏବଂ ଏଏମଏମକେ ପ୍ରତ୍ୟେକ ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି। ସ୍ପଷ୍ଟ ବହୁମତର ଅଭାବ ଯୋଗୁଁ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା, ଯାହାକୁ ଦୂର କରିବା ପାଇଁ ଟିଭିକେ ଅନ୍ୟ ଦଳମାନଙ୍କ ସହ ମେଣ୍ଟ ପ୍ରକ୍ରିୟା ଆରମ୍ଭ କରିଛି।
ଏହା ପୂର୍ବରୁ ତାମିଲନାଡୁ କଂଗ୍ରେସ ସଭାପତି କେ. ସେଲଭାପେରୁନ୍ଥଗାଇ ଏବଂ ଅନ୍ୟ କଂଗ୍ରେସ ନେତାମାନେ ଚେନ୍ନାଇ ସ୍ଥିତ ଟିଭିକେ ମୁଖ୍ୟାଳୟରେ ବିଜୟଙ୍କୁ ଭେଟିଥିଲେ। ତାମିଲନାଡୁ କଂଗ୍ରେସ କମିଟି ଏବଂ କଂଗ୍ରେସ ବିଧାୟକ ଦଳ (CLP) ସରକାର ଗଠନ ପାଇଁ ଟିଭିକେକୁ ଆପଣାର ପୂର୍ଣ୍ଣ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ବିଜୟଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ବର୍ତ୍ତମାନ ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ପ୍ରସ୍ତୁତି ଜୋରସୋରରେ ଚାଲିଛି।