ମିସୀ ଓ ଈଡଲି ଛାଞ୍ଚ

ମିସୀ ଓ ଈଡଲି ଛାଞ୍ଚ

ପ୍ରମୀଳା ଶତପଥୀ

ଗୋଟେ ଈଡଲି ଛାଞ୍ଚପାଇ ଯେ ରକ୍ତ ସମ୍ପର୍କରେ ଫାଟପଡିଯିବ ଏହାଥିଲା ମୋ କଳ୍ପନାର ବାହାରେ।

ମିଷ୍ଟର ଆଦିତ୍ୟ, ପୁଅ ଆକାଶ ଓ ମୋତେ ଈଡଲି ମୋଟେ ଭଲଲାଗେନି।  କେହି ବାଧ୍ୟକରି ଈଡଲି ଖୁଆଇଲେ, ପାଟିକୁ ନେଲାମାତ୍ରେ ବାନ୍ତି ଉଠାଏ। କିନ୍ତୁ ମୋ ଛୋଟଝିଅ, ମିସୀ ଖୁବ୍ ଈଡଲି ପ୍ରିୟ, ଈଡଲି ଦେଖିଲେ ସେ ଖାଇବାକୁ ପାଗଳ ପ୍ରାୟ ହୋଇଯାଏ। ଆମର ଈଡଲି ପସନ୍ଦ ନଥିବାରୁ ମୁଁ ଘରକୁ ଈଡଲି ଛାଞ୍ଚ ଆଣିନଥିଲି।

ମୋ ବଡ ଭଉଣୀ ଘର ସମସ୍ତେ ଈଡଲିପ୍ରିୟ। ତା ଘର ଓ ଆମଘର ଗୋଟିଏ ସହରଭିତରେ ହୋଇଥିବାରୁ ତାଙ୍କଘରେ ଈଡଲିହେଲେ ସେ ମିସୀ ପାଇଁ ତା ପୁଅହାତରେ ଈଡଲି ପଠେଇଦିଏ। ମିସୀ, ଉଈଣ୍ଟର, ଦଶହରା, ତଥା ସମର ଭେକେସନରେ ତା ମାଉସୀ ଘରକୁଯାଇ କିଛିଦିନ ରହେ କେବଳ ଈଡଲି ଖାଇବାପାଇଁ। ମିସୀର ଈଡଲି ଖାଇବାର ପାଗଳପଣ ଦେଖି ସେ ଷ୍ଠାଣ୍ଡାର୍ଡ ୧ରେ ପଢୁଥିବାବେଳେ ନାନୀ ଆମ ଘରକୁ ଆସିବା ଭିତରେ ଥରେ ମୋତେ କହିଥିଲା “ଆମର ଦୁଇଟି ଈଡଲି ଛାଞ୍ଚ ଅଛି, ଗୋଟେ ଷ୍ଠିଲର ଆଉଗୋଟେ ସିଲଭରର । ମିସୀ ଈଡଲି ଖାଇବାକୁ ବହୁତ ଭଲପାଉଛି। ମୁଁ ସେ ସିଲଭର ଛାଞ୍ଚଟି ପଠେଇଦେବି ତୁ ମଝିରେମଝିରେ ଈଡଲି କରି ମିସୀକୁ ଦେବୁ । ମୁଁ, ତା କଥାରେ ମନେମନେ ଆଶ୍ଚର୍ଯ୍ୟହେଲି। ନାନୀ ଧନୀଘରର ବହୂ। ଭିଣୋଇ ବିଲ୍ଡର। ତଥାପି ସେ ଦୁହେଁ ଏତେ କୃପଣ ଯେ ହାତରୁ ପାଣି ଝରିବନି। ଦୁଇଜଣଯାକ ପିମ୍ପୁଡ଼ି ପେଟରୁ ଚିନି କାଢିଆଣିବାଲୋକ। ତାର ଏହିକଥାରେ ମୁଁ କିଛି କ଼ହିନଥିଲି। କିନ୍ତୁ ତହିଁ ପରଦିନ ସେ ତା ପୁଅ ହାତରେ ସିଲଭରର ଈଡଲିଛାଞ୍ଚଟି ପଠେଇ ଦେଇଥିଲା। ସେଥିରେ ମୁଁ ମଝିରେମଝିରେ ଈଡଲିକରି ମିସୀକୁ ଦିଏ।

ମିସୀ ଷ୍ଟାଣ୍ଡାର୍ଡ ନାଇନରେ ପଢୁଥିବାବେଳେ ଦିନେ ନାନୀ ମୋତେ ଦିନ ବାରଟାବେଳେ ଫୋନରେ କହିଲା “ଗୋଟେ କଥାକହିବି କିଛି ଖରାପ ଭାବିବୁନି।” ମୁଁ କହିଲି “ହଉ କହ”। ସେ କହିଲା “ମିସୀକୁ ଯୋଉ ଈଡଲିଛାଞ୍ଚ ଦେଇଥିଲି ସେଟା ଫେରେଇଦେବୁ। ସେଟା ମୁଁ ଚିକୁକୁ ଦେବି (ଚିକୁ ତା ସାନ ଝିଅ, ଯାହାକୁ ସେ  ଭୁବନେଶ୍ବରରେ ବାହା ଦେଇଛି)। ତା ପାଖରେ ଗୋଟେ ଈଡଲିଛାଞ୍ଚ ଅଛି ଯେ ହେଲେ ସେଇଟି ତା ଇଣ୍ଡକ୍ସନ୍ ଚୁଲାକୁ ଖାପ୍ ଖାଉନି। ମିସୀକୁ ଯୋଉଟା ଦେଇଛି ତାର ତଳିଟା ଫ୍ଲାଟ ଅଛି, ସେଇଟା ତା ଚୁଲାକୁ ହୋଇଯିବ।” ସେ ତା କଥା କହିଚାଲିଥିବାବେଳେ ମୋ ଛାତିରେ କେହି ମୁକ୍କା ମାରିଚାଲିଥିବାପରି ଲାଗୁଥାଏ। ବୋଧେ ମୁଁ ସେତେବେଳେ ମୋ ଭିତରେ ସମ୍ପୂର୍ଣ୍ଣ ଓଦା ହୋଇସାରିଥିଲି। ଛୋଟ ଉତ୍ତର “ହେଉ” କହି ଫୋନ୍ କାଟିଦେଇ ଆଖି ପୋଛିଥିଲି। ଈଡଲିଛାଞ୍ଚ ଛୋଟ ଜିନିଷଟିଏ। ହେଲେ ବି ଥରେ ଦେଇ ଦେଇ ପୁଣି ଏତେ ବର୍ଷ ପରେ ମାଗିନେବା କଦାପି ହ୍ୟୁମାନିଟିର କଥାନୁହେଁ।

ମୁଁ, ମଧ୍ୟବିତ୍ତ ଘରର ବହୂ। ଆଦିତ୍ୟ ବ୍ୟାଙ୍କର କିରାଣି।  ସିମିତ ଦରମା ମଧ୍ୟରେ ପରିବାର ଚଳାଇବାକୁ ପଡେ।  କିନ୍ତୁ ସେଥିପାଇଁ ମୋ ମନରେ କୌଣସି ଦୁଃଖ ନଥାଏ। ତେବେ ମୁଁ ପ୍ରବଳମାତ୍ରାରେ ଅଭିମାନୀ ଓ ସ୍ୱାଭିମାନୀ। ମୋପରି ମିସୀ ମଧ୍ୟ। ସଙ୍ଗେସଙ୍ଗେ ରୋଷେଇ ଘରକୁ ଯାଇ ଈଡଲିଛାଞ୍ଚକୁ ପ୍ୟାକ୍ କରିଦେଲି । ନାନୀକୁ ଫୋନକରି କହିଲି “ପ୍ୟାକ୍ କରିଦେଇଛି। ଓମ୍ (ତା ପୁଅ) କୁ ପଠେଇ ନେଇଯିବୁ।” ଏତିକି କହି ଫୋନ୍ କାଟିଦେଲି।

ମିସୀ ସ୍କୁଲରୁ ଆସିବାମାତ୍ରେ ଆଗ ରୋଷେଇ ଘରକୁ ଯାଏ। ତା ପାଇଁ କ’ଣ ସ୍ପେଶାଲ ହୋଇଛି ଦେଖିବାପାଇଁ। ମିସୀର ଭେରାଇଟି ଭେରାଇଟି ଡିସ୍ ଖାଇବାପ୍ରତି ବହୁତ୍ ଦୁର୍ବଳତା। ପ୍ରତ୍ୟେକ ଦିନ ପରି ସେଦିନ ବି ସେ ରୋଷେଇଘରକୁ ପଶିଆସିଲା। ଈଡଲି ଛାଞ୍ଚଟି ପ୍ୟାକ୍ ହୋଇଥିବା ଦେଖି ମୋତେ ପ୍ରଶ୍ନକଲା। ମୁଁ ତାକୁ ତା ମାଉସୀ ମାଗିଥିବା କଥା କହିଲି। ସବୁ ଶୁଣିବାପରେ କିଛି ସମୟ ପାଇଁ ମିସୀ ଗୁମସୁମ୍ ହୋଇଗଲା।

ନାନୀ ତା ପୁଅକୁ ପଠେଇ ଈଡଲିଛାଞ୍ଚ ନେଇଗଲା। ମୁଁ ମନେମନେ ସ୍ଥିରକଲି ଆଦିତ୍ୟ ସନ୍ଧ୍ୟାରେ ମିସୀକୁ ଟିଉସନ୍ ନେଇଗଲାବେଳେ ମୁଁ ତାଙ୍କ ସହିତଯାଇ ବଜାରରୁ ଗୋଟେ ଈଡଲିଛାଞ୍ଚ ନେଇ ଆସିବି।  ଆଦିତ୍ୟ ଅଫିସରୁ ଆସି ସବୁ ଶୁଣିଲେ ଓ କହିଲେ “ଆଜିଠୁ ତାଙ୍କ ଘର ସହିତ ସମ୍ପର୍କ କଟ୍ ।”

ସନ୍ଧ୍ୟା ହେଲା, ମିସୀକୁ ନେଇ ଆଦିତ୍ୟ ବାହାରିଲାବେଳେ ତାଙ୍କ ସହିତ ଯିବିବୋଲି ମୁଁ ବି ବାହାରିପଡିଲି। ମିସୀ ମତେ ପଚାରିଲା “ତୁ କୁଆଡେ ଯିବୁ?” ମୁଁ କହିଲି “ଈଡଲିଛାଞ୍ଚ କିଣିବାପାଇଁ।” ମୋର ଏଇ କଥାରେ ସେ ମୋତେ ଟାଣିଟାଣି ଘରଭିତରକୁ ନେଇଆସି କହିଲା “ମାମା! ପ୍ଲିଜ୍ ତୁ ଆଉ ଈଡଲିଛାଞ୍ଚ ଆଣନି। ବହୁତଦିନ ହୋଇଗଲାଣି। ମୋତେ ଆଉ ଈଡଲି ଖାଇବାକୁ ଇଚ୍ଛା ହେଉନି। ତମମାନଙ୍କପରି ମୁଁ  ବି ଈଡଲି ପାଟିକୁନେଲେ ବାନ୍ତି ଉଠାଇଆସୁଛି ।”

ମିସୀର ଏଇକଥାରେ ମୋ ଭିତରୁ କୋହ ଉଠେଇ ଆସିଲା। କୌଣସିପ୍ରକାରେ ଆଜିଯାଏ ମିସୀ ମୋତେ ଈଡଲିଛାଞ୍ଚ ଆଣିବାକୁ ଦେଇନି ।
…………………….
ଆଦ୍ୟମନ୍ଦିର, ବାଲିଆ, ବାଲେଶ୍ଵର