ସୁଜାତା ମିଶ୍ର
କେବେ ଦେଖୁଥାଉ
ବିଜୁଳି ଆଖିରେ ତୁ..,
କେବେ ନିଆଁ ହୋଇ ଜଳୁଥାଉ
ମେଘର ଆଶ୍ୱାସନାଟିଏ
ଘୋଡ଼େଇ ହୋଇ।
କେବେ ତୋ ଆକାଶୀ ଚାନ୍ଦୁଆ ତଳେ
ନାରିକେଳ ବୃକ୍ଷରାଜି ଧ୍ୟାନ ମଗ୍ନ..
କଳା ଧଳା ଫଟୋର ଚରିତ୍ର ସାଜି…,
କେବେ ଧୂଆଁଳିଆ ମେଘ କୁହୁଡ଼ିରେ
କାଲୁଆ ପାଗର
ଥୁରୁ ଥୁରୁ ଆଲିଙ୍ଗନ ଭିତରେ
ଚୁପଚାପ୍ ପଡୁ ତୁ ଘୁମେଇ…!
ତୁ ପୁଣି ଆଣି ଦେଉ
କଅଁଳ ମିଠା ସପନ
କୁନି କୁନି ପିଲାଙ୍କ ଆଖିରେ
ଗହଳ ମାଣ୍ଡିଆ କ୍ଷେତ କୋଳେ,
ମୁଣ୍ଡର ଝାଳ ପୋଛି
ଚିରା ଗାମୁଛାରେ..
ଚଷା ଭାଇ ଥକା ମାରେ
ଝଙ୍କାଳିଆ ଗଛ ଛାଇ ତଳେ..!
ମଧ୍ୟାହ୍ନର ଆକାଶ!
ତୁ କେବେ
ଶିହରଣ ଭରି
ତନୁରେ ମନରେ..,
କେବେ ପୁଣି ଭୀମକାନ୍ତ ରୂପ ଧରି
ଜଳୁ ଓ ଜଳାଉ,
କେବେ ଆଣୁ ଥିରି ଥିରି ଭୀତି
ଘୁମନ୍ତ ବେଳାର ଫେରାର୍ ସ୍ୱପ୍ନରେ…!