Latest Odisha News

ବିହାରରେ ପୁଣି ବିଷାକ୍ତ ମଦମୃତ୍ୟୁ ! ୬ରୁ ଅଧିକ ଲୋକଙ୍କ ସନ୍ଦେହଜନକ ମୃତ୍ୟୁ, ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ ନୀତିଶ

ବିହାରରେ ପୁଣି ଦେଖାଦେଇଛି ବିଷାକ୍ତ ମଦମୃତ୍ୟୁ ମାମଲା । ମଦ ନିଷିଦ୍ଧ ଥିବା ରାଜ୍ୟରେ ବିଷାକ୍ତ ମଦ ପିଇ ୬ରୁ ଅଧିକ ଲୋକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ଖବର ଆଗକୁ ଆସିବା ପରେ ସାରା ବିହାରରେ ଚାଞ୍ଚଲ୍ୟ ଖେଳିଯାଇଛି। ରାଜ୍ୟର ମୋତିହାରୀର ଏହି ଅଭବାବନୀୟ ଘଟଣା ଘଟିଥିବାବେଳେ ଅନ୍ୟ ୨୫ ଜଣ ଅସୁସ୍ଥଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ମୋତିହାରୀର ଲକ୍ଷ୍ମୀପୁର, ପାହାଡ଼ପୁର, ହରସିଦ୍ଧିରେ ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଅନ୍ୟପଟେ, ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦୁଃଖ ପ୍ରକାଶ କରିବା ସହିତ ସଂପୃକ୍ତ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ମଗାଯାଇଥିବା କହିଛନ୍ତି । ତେବେ ସରକାରୀ ଭାବେ ମୃତ୍ୟୁସଂଖ୍ୟା ଘୋଷଣା କରାଯାଇନଥିଲେ ବି ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ମୋତିହାରୀର ତୁରକେଲିଆ, ହରସିଦ୍ଧୀ ଏବଂ ପହାଡପୁର ସମେତ ଅନ୍ୟ ଅଞ୍ଚଳରେ ଏପର୍ଯ୍ୟନ୍ତ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ସରକାରଙ୍କ ପକ୍ଷରୁ ଏନେଇ କିଛି ସୂଚନା ଦିଆଯାଇନଥିବା ବେଳେ ବେତିଆ ଡିଆଇଜିଙ୍କ କହିବା ଅନୁସାରେ ପୂର୍ବ ଚମ୍ପାରଣର ଭିନ୍ନ ଭିନ୍ନ ସ୍ଥାନରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ମାମଲାର ତଦନ୍ତ କରୁଛି । ଏହି ମାମଲାରେ ୭ ଜଣଙ୍କୁ ହେପାଜତକୁ ନିଆଯାଇ ପଚରା ଉଚରା କରାଯାଉଛି ।

ଗୋଟିଏ ପଟେ ଲୋକଙ୍କ କହିବା ଅନୁସାରେ ଏମାନଙ୍କ ମୃତ୍ୟୁ ବିଷାକ୍ତ ମଦ ପିଇବା ଦ୍ୱାରା ହୋଇଛି, ସେପଟେ କିନ୍ତୁ ପ୍ରଶାସନ ମୃତ୍ୟୁର କାରଣ ଡାଏରିଆ ବୋଲି କହିଛି । ମିଳିଥିବା ସୂଚନା ଅନୁସାରେ, ମଦ ପିଇବା ପରେ ଲୋକମାନେ ଶକ୍ତିହୀନ ହେବା ସହ ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଉଛି । ମୋତିହାରୀ ସଦର ହସ୍ପିଟାଲ ସମେତ ମୁଜଫରପୁରକୁ ହରସିଦ୍ଧି ପହାଡପୁର ଏବଂ ତୁରକେଲିଆ ଅଞ୍ଚଳରୁ ଅସୁସ୍ଥମାନେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ବିହାରରେ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା । ନିକଟରେ ବିଷାକ୍ତ ମଦ ପିଇ ମୃତ୍ୟୁକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଥିଲା। ଗତବର୍ଷ ସାରଣ ଜିଲ୍ଲାରେ ବିଷାକ୍ତ ମଦ ପିଇ ୪୦ ଜଣଙ୍କ ମୃତ୍ୟୁ ନେଇ ଜାତୀୟ ମାନବାଧିକାର ଆୟୋଗ ଦେଇଥିବା ରିପୋର୍ଟକୁ ନେଇ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟି ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନଏଚଆରସିର ଏହି ରିପୋର୍ଟରେ ସାରଣ ବିଷାକ୍ତ ମଦ ଦୁର୍ନୀତି ପାଇଁ ପ୍ରଶାସନକୁ ଦାୟୀ କରାଯାଇଥିଲା । ଏସବୁ ଭିତରେ ବିହାରରେ ଏହି ଘଟଣାକୁ ନେଇ ରାଜନୀତି ମଧ୍ଯ ସରଗରମ ହୋଇଉଠିଛି।

Leave A Reply

Your email address will not be published.