ନୂଆପଡା/ ଅନୁଗୁଳ: ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ଥିବା ବେଳେ ନୂଆପଡ଼ାରେ ଜିଲ୍ଲାରେ ୧୮ରୁ ୨୦ ସକାଳୁଆ ସ୍କୁଲ୍ ନେଇ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ଜୁନ ୧୮ରୁ ୨୦ ପର୍ଯ୍ୟନ୍ତ ଜିଲ୍ଲାରେ ସମସ୍ତ ସରକାରୀ ଓ ବେସରକାରୀ ସକାଳୁଆ ସ୍କୁଲ୍ ନେଇ ନିର୍ଦ୍ଦେଶ ଜାରି କରାଯାଇଛି। ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲମାନଙ୍କ ପାଇଁ ଏହି ନିର୍ଦ୍ଧେଶାନାମା ଜାରି କରାଯାଇଛି। ସକାଳ ସାଢ଼େ ୬ରୁ ସାଢ଼େ ୧୧ ପର୍ଯ୍ୟନ୍ତ ଚାଲିବ ସ୍କୁଲ୍। ୧୧:୩୦ ପରେ ଖରାର ପ୍ରକୋପ ବଢ଼ୁଥିବାରୁ ସେହି ସମୟ ସୁଦ୍ଧା ପିଲାମାନଙ୍କୁ ଛୁଟି କରି ଘରକୁ ପଠାଇବା ପାଇଁ ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲ୍ଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ ଆର୍ଦ୍ରତା (Humidity) ଯୋଗୁଁ ସ୍ଥିତି ଆହୁରି ସଂଘାତିକ ହୋଇଛି। ଏଭଳି ସ୍ଥିତିରେ ଛାତ୍ରୀଛାତ୍ରଙ୍କୁ ପ୍ରଚଣ୍ଡ ତାତିରୁ ରକ୍ଷା କରିବା ପାଇଁ ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ବଡ଼ ପରିବର୍ତ୍ତନ କରାଯାଇଛି। ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ରଜ ପର୍ବ ପରେ ସ୍କୁଲଗୁଡ଼ିକ ଖୋଲିବାର ଥିଲା, ମାତ୍ର ପାଣିପାଗର ପ୍ରତିକୂଳ ଅବସ୍ଥାକୁ ଦେଖି ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛି। ସୁବର୍ଣ୍ଣପୁର (ସୋନପୁର) ଜିଲ୍ଲା ପରେ ଏବେ ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟ ସ୍କୁଲ ଛୁଟି ବଢ଼ାଇବାକୁ ବାଧ୍ୟ ହୋଇଛି।
ଅନୁଗୁଳ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ (ପ୍ରାଇଭେଟ) ସ୍କୁଲ ସମେତ କଲେଜଗୁଡ଼ିକ ଆସନ୍ତା ୨୦ ଜୁନ (ଶନିବାର) ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ଜୁନ ୨୧ ତାରିଖ ରବିବାର ପଡ଼ୁଥିବାରୁ, ଆସନ୍ତା ୨୨ ଜୁନ (ସୋମବାର) ଦିନ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ସ୍ୱାଭାବିକ ଭାବେ ଖୋଲିବ।
