Latest Odisha News

BREAKING NEWS

ଏମପିରେ ପରିସ୍ରା ଯୋଗୁ ବିଜେପି ଟିକେଟ କାଟିଲା, ଏବେ ଶୁକ୍ଳା ହେବେ ସ୍ୱାଧୀନ ପ୍ରାର୍ଥୀ!

ଭୁବନେଶ୍ୱର: ଛିଡୁନି ମଧ୍ୟପ୍ରଦେଶରେ ବିଜେପିର ଟିକେଟ ଅଡୁଆ। ଆଗାମୀ ନିର୍ବାଚନ ପାଇଁ ଦଳ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ଟିକେଟ ଦେଇ ନୂଆ ଏକ୍ସପେରିମେଂଟ କରିଥିବା ବେଳେ ବହୁ ସିଟରେ ବିରୋଧ ଓ ବିଦ୍ରୋହ ଦେଖିବାକୁ ମିଳିଛି।

ଏମପିର ଏମିତି ଏକ ଚର୍ଚ୍ଚିତ ସିଟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। ସିଦ୍ଧି ଆସନରୁ ବିଜେପି ଟିକେଟରେ ଲଗାତର ତିନିଥର ଜିତି ବିଧାୟକ ହୋଇଥିବା କେଦାର ଶୁକ୍ଳାଙ୍କ ଟିକେଟ କାଟି ଦଳ ସାଂସଦ ରୀତି ପାଠକଙ୍କୁ ଟିକେଟ ଦେଇଛି।

ଆଦିବାସୀ ପରିସ୍ରା କାଣ୍ଡକୁ ନେଇ ବିବାଦରେ ଥିଲେ ବିଧାୟକ କେଦାର ଶୁକ୍ଳା। ଆଦିବାସୀଙ୍କ ଉପରେ ପରିସ୍ରା କାଣ୍ଡ ଘଟାଇଥିବା ଯୁବକ ତାଙ୍କ ସହଯୋଗୀ ବୋଲି ଚର୍ଚ୍ଚା ହୋଇଥିଲା।

ଯେଉଁ କାଣ୍ଡ ପାଇଁ ବିଜେପି ସମାଲୋଚିତ ହେବା ସହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ସମ୍ପୃକ୍ତ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଗୋଡ଼ ଧୋଇବାକୁ ପଡିଥିଲା। ଏପରିକି ବିରୋଧୀ ଏହାକୁ ନେଇ ବଡ଼ ପ୍ରସଙ୍ଗ କରିଥିଲେ ଓ ଏବେ ବି ଏହି ପ୍ରସଙ୍ଗକୁ ନେଇ ବିରୋଧୀ ପ୍ରଚାର କରୁଛନ୍ତି।

ତେଣୁ ଏହାକୁ ଆଖି ଆଗରେ ରଖି ବିଜେପି ଶୁକ୍ଳାଙ୍କ ଟିକେଟ କାଟିଛି। କିନ୍ତୁ ଶୁକ୍ଳା ଦଳର ନିଷ୍ପତ୍ତି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି। ଏହାକୁ ନେଇ ଶୁକ୍ଳା ଦଳୀୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ସହ ଶକ୍ତି ପ୍ରଦର୍ଶନ କରିଛନ୍ତି।

ଏଥିସହିତ ସେ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ତାଙ୍କ ସମର୍ଥକମାନଙ୍କ ମହାପଞ୍ଚାୟତରେ ଶୁକ୍ଳା ଏହି ଘୋଷଣା କରିଛନ୍ତି।

ସେ ନିଜକୁ ପ୍ରକୃତ ବିଜେପି ଓ ସିଦ୍ଧିରୁ ପ୍ରାର୍ଥୀ ହୋଇଥିବା ସାଂସଦ ରୀତି ପାଠକଙ୍କୁ ମିଛ ବିଜେପି ବୋଲି ଆଖ୍ୟା ଦେଇଛନ୍ତି। ଏପରିକି ନିଜ ସପକ୍ଷରେ ସେ ନିର୍ବାଚନ ମଣ୍ଡଳୀରେ ନ୍ୟାୟ ଯାତ୍ରା କରିବେ ବୋଲି କହିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

କେବଳ ସିଦ୍ଧି ନୁହେଁ ବିଜେପିର ଟିକେଟ ଘୋଷଣା ପରେ ବହୁ ନିର୍ବାଚନ ମଣ୍ଡଳୀରେ ଆଶାୟୀଙ୍କ ବିଦ୍ରୋହ ଓ ଦଳ ଛାଡିବା ପର୍ବ ଜାରି ରହିଛି। ତେଣୁ ବିଜେପି ଏସବୁ ସ୍ଥିତିକୁ କିଭଳି ସମ୍ମୁଖୀନ ହେଉଛି ତା ଉପରେ ନଜର।

Leave A Reply

Your email address will not be published.