Latest Odisha News

BREAKING NEWS

ଆଫ୍ରିକାରେ ଘର, ମୁମ୍ବାଇକୁ ବନାଇଥିଲେ ଡ୍ରଗ୍ସର ଗନ୍ତାଘର

ମୁମ୍ବାଇ: ଘର ପୂର୍ବ ଆଫ୍ରିକା । ହେଲେ ରହୁଥିଲେ ମୁମ୍ବାଇରେ । ଏପରିକି ହିନ୍ଦୀ ଭାଷା ବି ଶିଖିଥିଲେ । ବିବାହ ବି ଭାରତୀୟଙ୍କୁ କରିଥିଲେ । ହେଲେ ତାଙ୍କ କାରନାମା କିନ୍ତୁ ମୁମ୍ବାଇ ପୋଲିସକୁ ଚକିତ କରିଥିଲା । ଖାସ ତାଙ୍କ ବ୍ୟବସାୟ ମୁମ୍ବାଇ କ୍ରାଇମବ୍ରାଂଚର ଦୃଷ୍ଟି ଆକର୍ଷଣ କରିଥିଲା । ଶେଷରେ ଦୁଇ ଆଫ୍ରିକୀୟ ନାଗରିକ ଶୁକ୍ରବାର ଗିରଫ ହେବା ପରେ ସାମ୍ନାକୁ ଆସିଛି ଅନେକ ଚାଂଚଲ୍ୟକର ତଥ୍ୟ ।

ମିଳିଥିବା ରିପୋର୍ଟ ଅନୁଯାୟୀ ଗିରଫ ହୋଇଥିବା ଆଫ୍ରିକୀୟ ନାଗରିକଙ୍କ ପରିଚୟ ହେଉଛି ଫ୍ଲୁଗାନ୍ସ ଓ ଜର୍ମେନ୍ ଜେରି ଆବାହ । ୫ ବର୍ଷ ପୂର୍ବେ ଦୁହେଁ ଟୁରିଷ୍ଟ ଭିଜାରେ ଆସିଥିଲେ । ହେଲେ ଭିଜା ଏକ୍ସପାୟର୍ ହେବା ପରେ ଦୁହେଁ ଆଉ ଭାରତ ଛାଡିନଥିଲେ । ବରଂ ଭାରତରେ ରହି ସ୍ଥାନୀୟ ଲୋକଙ୍କ ସହାୟତାରେ ଡ୍ରଗ୍ସ କାରବାରର ଏକ ନୂଆ ସାମ୍ରାଜ୍ୟ ଗଢିଥିଲେ ।

ଏଥିପାଇଁ ଦୁଇ ଅଭିଯୁକ୍ତ ଅଭିନବ ଉପାୟ ଅବଲମ୍ବନ କରିଥିଲେ । ଭାରତରେ ତଥା ମୁମ୍ବାଇରେ ଡ୍ରଗ୍ସ କାରବାର ପାଇଁ ସେମାନେ ହିନ୍ଦୀ ଶିକ୍ଷାଲାଭ କରିଥିଲେ । ଏପରିକି ଭାରତୀୟ ମହିଳାଙ୍କୁ ବିବାହ କରି ନିଜ ବ୍ୟବସାୟର କାୟା ବିସ୍ତାର କରିଥିଲେ । ସେମାନଙ୍କ ସହଯୋଗୀଙ୍କୁ ମଧ୍ୟ ମୁମ୍ବାଇ କ୍ରାଇମବ୍ରାଂଚ ଗିରଫ କରିଛି ।

ଅଭିଯୁକ୍ତ ଫ୍ଲଗାନ୍ସ ଓ ଜର୍ମେନ୍ ଲାଗାତାର ପୋଲିସ ରାଡାର୍‌ରେ ରହିଥିଲେ । ତେବେ ଶୁକ୍ରବାର ସେମାନଙ୍କ ଡିଲିଂ ବିଷୟରେ ଖବର ପାଇ କାନ୍ଦିୱଲି ଅଂଚଳରେ ପୋଲିସ ଛାପା ମାରିଥିଲା । ଧରପଗଡରେ ସମସ୍ତ ଅଭିଯୁକ୍ତ ପୋଲିସ ହାତରେ ଧରାପଡିଥିଲେ । ସେମାନଙ୍କଠାରୁ ଜବତ ହୋଇଥିଲା ୧.୪ କୋଟି ଟଙ୍କା ମୂଲ୍ୟର ୭୦୦ ଗ୍ରାମର ନିଷିଦ୍ଧ ମେଫଡ୍ରୋନ୍ ଡ୍ରଗ୍ସ ।

ଅଧିକ ତଦନ୍ତରେ ଜଣାପଡିଛି ଗିରଫ ବିଦେଶୀ ନାଗିରକଙ୍କ ଅନେକ ସାଥୀ ଏହି କାରବାରରେ ସାମିଲ ଅଛନ୍ତି । ଟୁରିଷ୍ଟ ଓ ଷ୍ଟୁଡେଣ୍ଟ ଭିଜାରେ ଭାରତରେ ରହି ଡ୍ରଗ୍ସ କାରବାର ଚଳାଇଥାନ୍ତି । ଖାସ କରି ନାଲାସୋପାରା, ଭସାଇ ଓ ଭିରାର୍ ଅଂଚଳରେ ଏମାନଙ୍କ ବ୍ୟବସାୟ ଚାଲିଥିବା ଜଣାପଡିଛି । ତେବେ ତଦନ୍ତରେ ବିଳମ୍ବ କରିବା ପାଇଁ ଗିରଫ ୨ ବିଦେଶୀ ନାଗରିକ ହିନ୍ଦୀ ଜାଣିଥିଲେ ସୁଦ୍ଧା ମୁହଁ ଖୋଲୁନାହାନ୍ତି ।

Leave A Reply

Your email address will not be published.