Latest Odisha News

BREAKING NEWS

ବିଜୁବାବୁଙ୍କ ସାନପୁଅ ଆଜି ସଶକ୍ତ ନୂଆପଡ଼ା, ଲୋୟର ଇନ୍ଦ୍ର ଡ୍ୟାମ ପାର୍ଶ୍ୱରେ ସାଇନ୍ସ ପାର୍କ ଓ ମ୍ୟୁଜିୟମ୍ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନୂଆପଡ଼ା: ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ରାଜା ଏଟି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜନସଭାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିଛନ୍ତି । ନୂଆପଡ଼ା ଆସି ଖୁସିବ୍ୟକ୍ତି କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି- ’ସ୍ୱାଧୀନତା ସଂଗ୍ରାମରେ ନୂଆପଡ଼ାର ବେଶ୍ ଭୂମିକା ଥିଲା । ବିଶେଷ କରି ମାଆମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ବ୍ରିଟିଶ୍ ବିରୋଧରେ ସେମାନଙ୍କ ସଂଗ୍ରାମର ତୁଳନା ନାହିଁ । ନୂଆପଡ଼ା ବେହେରା ଗାଁର ମାଆମାନଙ୍କ ସଂଗ୍ରାମ ଆଜି ବି ସମସ୍ତଙ୍କ ପ୍ରେରଣା ଦେଉଛି । ସେହି ସଂଗ୍ରାମୀ ମାନଙ୍କୁ ମୋର ପ୍ରଣାମ ।’

Naveen Announces Science Park And Museum To Establish Outside Of Lower Indra Dam

ମୁଖ୍ୟମନ୍ତ୍ରୀ କହିଛନ୍ତି- ୨୦୨୧ରେ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛୁ । ବେହେରା ଗାଁର ମାଆମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର ମେମୋରିଆଲ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ୧୯୯୩ରେ ବିଜୁବାବୁ ନୂଆପଡ଼ାକୁ ଏକ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିଥିଲେ । ସେତେବେଳେ କିଛି ଲୋକ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା ବୋଲି ବିଜୁବାବୁଙ୍କୁ ପଚାରିଥିଲେ । ବିଜୁବାବୁ କହିଥିଲେ- ମୁଁ ଜାଣେ, ନୂଆପଡ଼ା ଓଡ଼ିଶା ମାଆର ସାନପୁଅ । ସେ ପୁଣି ଦୂରରେ ଅଛି । ସବୁ ବାପାମାଆ ଦୂରରେ ଥିବା ପିଲାମାନଙ୍କୁ ଭଲ ପାଆନ୍ତି । ମୁଁ ସେମିତି ନୂଆପଡ଼ା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉଛି ବୋଲି ବିଜୁବାବୁ କହିଥିଲେ ବୋଲି ନବୀନ କହିଛନ୍ତି ।

Naveen Announces Science Park And Museum To Establish Outside Of Lower Indra Dam

ଆଜି ନୂଆପଡ଼ାର ରୂପାନ୍ତରଣକୁ ଆପଣମାନେ ଦେଖି ପାରୁଛନ୍ତି, ଅନୁଭବ କରି ପାରୁଛନ୍ତି । ବିଜୁ ଏକ୍ସପ୍ରେସ୍ ୱେର ସବୁଠୁ ଅଧିକ ଲାଭ ପାଇଛି ନୂଆପଡ଼ା । ୬୮୦ କୋଟି ଟଙ୍କାରେ ୧୩୨ କିମି ରାସ୍ତା କେବଳ ନୂଆପଡ଼ାରେ ହେଉଛି । ନୂଆପଡ଼ାର ଜିଲ୍ଲା ହସ୍ପିଟାଲ ରାଜ୍ୟର ଅନ୍ୟ ହସ୍ପିଟାଲ ଠାରୁ କିଛି କମ୍ ନୁହେଁ । ଗତ ୧୦ ବର୍ଷ ମଧ୍ୟରେ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ବହୁତ କମିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Naveen Announces Science Park And Museum To Establish Outside Of Lower Indra Dam

ନୂଆପଡ଼ାର ପାଣିରେ ଫ୍ଲୋରାଇଡ୍ ସମସ୍ୟା ରହିଛି । ଯାହାକି ଜିଲ୍ଲାର ମୁଖ୍ୟ ସମସ୍ୟା । ଫ୍ଲୋରାଇଡ୍ ପାଣି ସ୍ୱାସ୍ଥ୍ୟ ଖରାପ କରିଥାଏ । ପାଣି ପାଇଁ ମାଆମାନଙ୍କୁ ମାଇଲ୍ ମାଇଲ୍ ବାଟ ଯିବାକୁ ପଡ଼ୁଥିଲା । ଏହା ମୋତେ ବହୁତ ଦୁଃଖ ଦେଉଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ନୂଆପଡ଼ାର ୬୫ ପ୍ରତିଶତ ଘରକୁ ଆମେ ପାଣି ପାଇପ୍ ଯୋଗେ ପାଣି ଯୋଗାଉଛୁ । ଏକ ହଜାରରୁ ଅଧିକ ଗାଁ ଫ୍ଲୋରାଇଡ୍ ସମସ୍ୟାରୁ ମୁକ୍ତ ହୋଇପାରିଛି । ଏବେ ନୂଆପଡ଼ାରେ ୧ ଲକ୍ଷ ପରିବାର ପାଇପ୍ ପାଣି ପାଉଛନ୍ତି । ୨୦୨୨ ସୁଦ୍ଧା ନୂଆପଡ଼ାର ସବୁ ପରିବାର ପାଖରେ ଶହେ ପ୍ରତିଶତ ପାଇପ୍ ପାଣି ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ୭୦୦ କୋଟି ଟଙ୍କାର ୨୦୫ଟି ପାଇପ୍ ୱାଟର ଓ ଗୋଟିଏ ମେଗା ୱାଟର ସପ୍ଲାଏ କାମ ଚାଲିଛି ।

Naveen Announces Science Park And Museum To Establish Outside Of Lower Indra Dam

ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କେବଳ ନୂଆପଡ଼ା ନୁହେଁ ସାରା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରକଳ୍ପ ପାଇଁ ଜମି ଦେଇଥିବା ସମସ୍ତଙ୍କୁ ସେମାନଙ୍କ ତ୍ୟାଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆପଡ଼ାର କୋମନା, ଖରିଆର ସହ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ଼ ବ୍ଲକର ୨୦୦ ଗାଁର ୧ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନୂଆପଡ଼ାରେ ୨୨୦ କୋଟି ଟଙ୍କାର ମେଗି ଲିଫ୍ଟ ଇରିଗେସନ୍ ପ୍ରକଳ୍ପ ଚାଲିଛି । ଆସନ୍ତା ଡିସେମ୍ବର ସୁଦ୍ଧା ସରିବ । ଏଥିରେ କୋମନା, ନୂଆପଡ଼ା, ସିନାପାଲି, ବୋଡେନ ଅଞ୍ଚଳର ୮୦ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋୟର ଇନ୍ଦ୍ର ପ୍ରୋଜେକ୍ଟ ଅଣ୍ଡର ଗ୍ରାଉଣ୍ଡ ପାଇପ୍ ପ୍ଲାଣ୍ଟ ଟେକ୍ନୋଲୋଜିରେ ହୋଇଛି । ଏହି ପ୍ରକଳ୍ପ ଜରିଆରେ ଆଉ ୭ ହଜାର ୫ ଶହ ଏକର ଜମିକୁ ପାଣି ଯୋଗାଇବା ଲାଗି ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।  ନୂଆପଡ଼ା ଜିଲ୍ଲାରେ ଜଳସେଚନ ସୁବିଧା ବଢ଼ିଛି ।

Naveen Announces Science Park And Museum To Establish Outside Of Lower Indra Dam

ଦେଢ଼ ଲକ୍ଷ ଏକର ଜମିକୁ ଜଳସେଚନ ସୁବିଧା ଥିବାବେଳେ ଧାନ ଉତ୍ପାଦନ ବଢ଼ିଛି । କପା ଚାଷ, ମକା ଚାଷ ହେଉଛି । ମରୁଡ଼ି ଅଞ୍ଚଳ ଭାବେ ପରିଗଣିତ ହେଉଥିବା ନୂଆପଡ଼ା ଆଜି ଜିରୋ ମରୁଡ଼ି ଅଞ୍ଚଳ । ନୂଆପଡ଼ା ଆଜି ବିକାଶର ନୂଆ ଇତିହାସ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋୟର ଇନ୍ଦ୍ର ଡ୍ୟାମ୍ ପାର୍ଶ୍ୱରେ ଏକ ସାଇନ୍ସ ପାର୍କ ସହ ମ୍ୟୁଜିୟମ୍ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିରେ ୩ କୋଟି ଟଙ୍କା ଖର୍ଚ୍ଚ ହେବ । ଖରିଆରର ନୂଆପଡ଼ାରେ ୨ଟି ଇନଡୋର ଷ୍ଟାଡିୟମ୍ କରାଯିବ । ଖରିଆର କଲେଜରେ ଖେଳ ବ୍ୟବସ୍ଥାର ବିକାଶ କରାଯିବ । ବିଜୁବାବୁଙ୍କ ସେହି ଦିନର ସୁନା ପିଲା ଆଜି ବଡ଼ ହୋଇଛି । ସଶକ୍ତ ନୂଆପଡ଼ା ଓଡ଼ିଶା ବିକାଶ ଯାତ୍ରାରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଥିସହ ପଢ଼ନ୍ତୁ- ନୂଆପଡ଼ା ଜିଲ୍ଲାକୁ ନବୀନଙ୍କ ଭେଟି, ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ

Leave A Reply

Your email address will not be published.