Latest Odisha News

BREAKING NEWS

ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ପଡିଛି ନିଅ । ମୁଖ୍ୟମନ୍ତ୍ରୀ ଏହି ଷ୍ଟାଡିଅମର ଶୁଭ ପକାଇ ଏହାକୁ ମହାନ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ କରିଛନ୍ତି । ଆଜି ରାଉରକେଲାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିବା ଉଦ୍ଦେଶ୍ୟରେ କହିଛନ୍ତି ରାଉରକେଲାକୁ ଆସି ମୁଁ ଖୁସି । ରାଉରକେଲାକୁ ଆସିଲେ ବିଜୁ ବାବୁଙ୍କ କଥା ମନେପଡେ । ଷ୍ଟିଲପ୍ଲାଣ୍ଟ, ଏନଆଇଟି ସବୁ ବିଜୁବାବୁଙ୍କ ସୃଷ୍ଟି । ରାଉରକେଲାରେ ଓଡିଶାର ଶିଳ୍ପ ବିକାଶର ମୂଳଦୂଆ ପଡିଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁବାବୁ ଥିଲେ ଓଡିଶାର ଶିଳ୍ପ ବିକାଶର ମାଧ୍ୟମ । ରାଉରକେଲା ଆଶାର ସହର । ଓଡିଶାର ପ୍ରଥମ ଶିଳ୍ପ ସହର ହେଉଛି ରାଉରକେଲା । ଓଡିଶା ନୁହେଁ ପାଖ ରାଜ୍ୟର ଲୋକେ ମଧ୍ୟ ଜୀବୀକା ପାଇଁ ରାଉରକେଲା ଆସନ୍ତି । ସୁନ୍ଦରଗଡ଼ ଜିଲ୍ଲା ସହ ସାରା ଓଡ଼ିଶାର ବିକାଶରେ ରାଉରକେଲାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ୨୦୦୦ ମସିହା ପରଠୁ ରାଉରକେଲା ବିକାଶର ସ୍ବାଦ ଚାଖିଛି । ସ୍ମାର୍ଟସିଟି ଟ୍ୟାଗ୍ ପାଇବାରେ ରାଉରକେଲା ସଫଳ ।

ସୁନ୍ଦରଗଡ଼ର ପରିଚୟ ହେଉଛି ହକି । ହକିର ଅନ୍ତୁଡିଶାଳ ହେଉଛି ସୁନ୍ଦରଗଡ଼ । ହକି ଖେଳାଳିମାନେ କେବଳ ଓଡିଶା ନୁହେଁ ଦେଶର ଗୌରବ । ଦେଶ ପାଇଁ ସେମାନେ ସୁନାମ ଆଣିଛନ୍ତି । ସୁନ୍ଦରଗଡ଼ର ମାଟି, ପାଣି ପବନ ସବୁଥିରେ ଅଛି ହକିର ପ୍ରାଣ । ଆଜି ସୁନ୍ଦରଗଡ଼ ହକି ପାଇଁ ବିଶ୍ବସ୍ତରରେ ସ୍ଥାନ ପାଇଛି ଓଡିଶା । ବେଲଜିୟମ, ଅଷ୍ଟ୍ରେଲିଆ ଓ ମାଲେସିଆ ପରି ଦେଶଙ୍କୁ ପଛରେ ପକାଇ ଆମ ଦେଶ ୨୦୨୩ ପୁରୁଷ ବିଶ୍ବ କପ୍‌ ହକି ଆୟୋଜନ କରିବାକୁ ବଛା ଯାଇଛି । ଓଡିଶା ହେଉଛି ଭାରତୀୟ ହକିର ମୁଖ୍ୟ ପ୍ରଯୋଜକ । ୨୦୧୮ର ହକି ବିଶ୍ବକପ୍ ସଫଳ ଆୟୋଜନ ପରେ ହକି ଫେଡେରେସନ ଓଡ଼ିଶାରେ ପୁଣି ହକି ବିଶ୍ବକପ କରିବାକୁ ପ୍ରସ୍ତାବ ଦେଇଥିଲା । ତେଣୁ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍ ପାଇଁ ଚିନ୍ତା କରାଯାଇଛି । ତେବେ ଖୁସିର କଥା, ରାଉରକେଲା ପୁରୁଷ ହକି ବିଶ୍ବ କପର ଭେନ୍ୟୁ ଭାବେ ବଛା ଯାଇଛି । ସୁନ୍ଦରଗଡ଼ ହକି ପ୍ରେମୀଙ୍କ ପାଇଁ ଏହା ସବୁଠାରୁ ବଡ଼ ଉପହାର । ୨୦୨୩ ହକି ବିଶ୍ବ କପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଉରକେଲାରେ ବିଶ୍ବସ୍ତରୀୟ ହକି ଷ୍ଟାଡିଅମ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ରାଉରକେଲାର ଏହି ବିରାଟ ସମାବେଶରେ ସାମିଲ ହୋଇଥିଲେ ମିଶନ ଶକ୍ତିର ମା’ । ବିକାଶର ସାରଥୀ ହେଉଛନ୍ତି ସେମାନେ । ଜୟନ୍ତୀ ଏକ୍କାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେକ୍ ଇନ୍ କନକ୍ଲେଭରେ ଜୟନ୍ତୀଙ୍କ କାମ ଓଡିଶାକୁ ଗର୍ବିତ କରାଇଛି । ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ବ ଦିଆଯାଇଛି । ଶିକ୍ଷା ଆଜି ତାଙ୍କୁ ବିକାଶ ସହ ଯୋଡିପାରିଛି । ସେମାନଙ୍କ ଭାଷା ଓ ସଂସ୍କୃତି ସ୍ବତନ୍ତ୍ର ।

ସୁନ୍ଦରଗଡ଼ବାସୀଙ୍କ ସହଯୋଗ ପାଇଁ ଏ ବିକାଶ ସମ୍ଭବ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଆଗକୁ ମଧ୍ୟ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ନବୀନ ।

Leave A Reply

Your email address will not be published.