Latest Odisha News

BREAKING NEWS

ଓଡ଼ିଶା ବିଶ୍ୱକପ ହକି: ଟାଇଟଲ୍ ଲାଗି ଫାଇନାଲରେ ନେଦରଲାଣ୍ଡ ଭେଟିବ ବେଲଜିୟମକୁ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ପୁରୁଷ ବିଶ୍ୱକପ ହକି ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪ (୨) – ୩ (୨) ଗୋଲରେ ପରାସ୍ତ କରି ନେଦରଲାଣ୍ଡ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିପାରିଛି । ଅନ୍ୟ ଏକ ସେମିଫାଇନାଲରେ ବେଲଜିୟମ ଦଳ ଇଂଲଣ୍ଡ ଦଳକୁ ୦-୬ ଗୋଲରେ ପରାସ୍ତ କରିବା ଫଳରେ ରବିବାର ଫାଇନାଲରେ ନେଦରଲାଣ୍ଡ ସହିତ ମୁକାବିଲା କରିବ ।

ଆଜି ଖେଳାଯାଇଥିବା ୨ୟ ସେମିଫାଇନାଲରେ ନେଦରଲାଣ୍ଡ ଦଳ ଅଷ୍ଟ୍ରେଲିଆ ଆଗରେ ଭାରି ପଡ଼ିଥିଲା । ସବୁଦୃଷ୍ଟିରୁ ନେଦରଲାଣ୍ଡ ଦଳ ଉନ୍ନତ ଖେଳ ପ୍ରଦର୍ଶନ କରି ବିଶ୍ୱକପର ଟାଇଟଲ୍ ଦାବିଦାର ଥିବା ଅଷ୍ଟ୍ରେଲିଆକୁ ପରାସ୍ତ କରିପାରିଛି । ଖେଳର ମାତ୍ର ୯ ମିନିଟରେ ନେଦରଲାଣ୍ଡ ଦଳ ଅଷ୍ଟ୍ରେଲିଆ ଡ଼ି ମଧ୍ୟରେ ଅତର୍କିତ ଆକ୍ରମଣ କରି ଗ୍ଲେନ ଶୁରମାନଙ୍କ ଏକ ସୁନ୍ଦର ଗୋଲ ବଳରେ ଅଗ୍ରଣୀ ଲାଭ କରିଥିଲା । ମ୍ୟାଚର ୨୦ ମିନିଟରେ ହଲାଣ୍ଡ ଦଳ ପକ୍ଷରୁ ସେଭ ଭାନ ଆସ ୨ୟ ଗୋଲ ସ୍କୋର କରି ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ । ଅଷ୍ଟ୍ରେଲିଆ ଦଳ ପକ୍ଷରୁ ମ୍ୟାଚର ୪୫ ମିନିଟ ସମୟରେ ଟିମ ହୋୟାର୍ଡ଼ ଏକ ଗୋଲ ସ୍କୋର କରି୍ଥିଲେ ମଧ୍ୟ ଦଳ ନେଦରଲାଣ୍ଡ ଠାରୁ ୨-୧ ଗୋଲରେ ଶେଷ ପର୍ଯ୍ୟନ୍ତ ପଛୁଆ ରହିଥିଲା । ତେବେ ୬୦ ମିନିଟ ସମୟରେ ଶେଷ ମୂହୁର୍ତ୍ତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଅଷ୍ଟ୍ରେିଲିଆ ପକ୍ଷରୁ ଓକେଣ୍ଟେ ଏଡି ଏକ ଚମତ୍କାର ଗୋଲ ସ୍କୋର କରିବା ଫଳରେ ମ୍ୟାଚ ଡ୍ର ହୋଇ ପେନାଲଟି ସୁଟଆଉଟର ଆବଶ୍ୟକତା ପଡ଼ିଥିଲା ।

ମ୍ୟାଚ ଶେଷ ପର୍ଯ୍ୟନ୍ତ ସ୍କୋର ୨-୨ ରହିବା ଫଳରେ ପେନାଲଟି ସୁଟଆଉଟରେ ଖେଳ ଚୂଡ଼ାନ୍ତ ହୋଇଥିଲା । ପେନାଲଟି ସୁଟଆଉଟରେ ନେଦରଲାଣ୍ଡ ୪-୩ ସ୍କୋରରେ ବିଜୟ ହାସଲ କରିପାରିଛି ।

ସେହିପରି ୧ମ ସେମିଫାଇନାଲରେ ଇଂଲଣ୍ଡକୁ ଶକ୍ତିଶଳୀ ବେଲଜିୟମ ୦-୬ ଗୋଲରେ ପରାସ୍ତ କରି ବିଶ୍ୱକପ ହକି ଫାଇନାଲକୁ ଉନ୍ନୀତ ହୋଇଛି । ହଲାଣ୍ଡ ପକ୍ଷରୁ ଆଲେକଜାଣ୍ଡାର ହେଣ୍ଡରିକ୍ସ ୨ଟି ଗୋଲ ସ୍କୋର କରିଥିଲେ ।

ଆଜି କଳିଙ୍ଗ ଷ୍ଟାଡ଼ିୟମରେ ୨ଟି ସେମିଫାଇନାଲ ଖେଳର ଦର୍ଶକମାନେ ଭରପୁର ମଜା ଉଠାଇଥିଲେ । ଏହି ୨ଟି ସେମିଫାଇନାଲ ମ୍ୟାଚ ଦେଖିବାକୁ ସମ୍ପୂର୍ଣ୍ଣ ଷ୍ଟାଡ଼ିୟମ ଭରପୁର ରହିଥିଲା । ଆଜି ଏହି ମ୍ୟାଚ ଦେଖିବାକୁ ଆସିଥିବା ଅଧିକାଂଶ ଦର୍ଶକ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆକର୍ଷଣୀୟ ବିଶ୍ୱକପ ବାଲୁକା କଳାକୁ ବୁଲି ଦେଖିଥିଲେ । ଅଧିକାଂଶ ଦର୍ଶକ ବିଶ୍ୱକପ ମ୍ୟାଚକୁ ନେଇ ହୋଇଥିବା ଏହି ବାଲୁକା କଳାକୁ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ । ଅନେକ ଯୁବ ଦର୍ଶକ ଏହି ବାଲୁକା କଳା ନିକଟରେ ସେଲଫି ନେଉଥିବା ଦେଖା ଯାଇଥିଲା ।

ବିଶ୍ୱକପ ହକି ଟାଇଟଲ୍ ନିମନ୍ତେ ଫାଇନାଲ ମ୍ୟାଚ ରବିବାର ସନ୍ଧ୍ୟା ୭ଟା ସମୟରେ ନେଦରଲାଣ୍ଡ ଏବଂ ବେଲଜିୟମ ମଧ୍ୟରେ ମୁକାବିଲା ହେବ ।

Leave A Reply

Your email address will not be published.