Latest Odisha News

BREAKING NEWS

ନୂଆ ସଂସଦ ଭବନ ଉଦଘାଟନ, ବିଜେଡି ସୁପ୍ରିମୋଙ୍କ ନିରବତା ଓ ଭର୍ତ୍ତୃହରିଙ୍କ ଫଟୋ ବଢ଼ାଇଲା ଚର୍ଚ୍ଚା

ଭୁବନେଶ୍ୱର: ନୂଆ ସଂସଦ ଭବନ ଉଦଘାଟନ ଅବସରରେ ଯଦିଓ ବିଜେଡି ଯୋଗ ଦେଇଛି ବୋଲି କହିଛି କିନ୍ତୁ ଏହାକୁ ନେଇ ଦଳ ଆନ୍ତରିକ ଭାବେ କେତେ ଖୁସି ଅଛି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? କାରଣ ଉଦଘାଟନୀ ଉତ୍ସବରେ ବିଜେଡି ସାଂସଦ ଯୋଗ ଦେଇଥିଲେ ବୋଲି ଦଳ କହିଛି। କିନ୍ତୁ ଯେଉଁ ସାଂସଦ ଯୋଗ ଦେଇଥିଲେ ସେ ନୂଆ ସଂସଦ ଭବନକୁ ନେଇ କୌଣସି ମତ ରଖିନାହାନ୍ତି କି ଦଳର ସୁପ୍ରିମୋ କୌଣସି ବାର୍ତ୍ତା ଜାରି ନକରିବା ଏକ ଭିନ୍ନ ଦିଗକୁ ଇସାରା କରିଛି। ସେହିପରି କଟକର ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଫଟୋ ପୋଜ୍ ମଧ୍ଯ ପୁୁରୁଣା ରାଜନୈତିକ ଚର୍ଚ୍ଚାର ପୁନରାବୃତିକୁ ସୁଯୋଗ ଦେଇଛି।

ସଂସଦ ଭବନ, ଯେଉଁଠି ଦଳ ମତ ନିର୍ବିଶେଷରେ ଦେଶର ସମସ୍ତ ସାଂସଦ ନିଜ ନିଜ ରାଜ୍ୟର ସ୍ଥାନୀୟ ସମସ୍ୟାକୁ ଉପସ୍ଥାପନ କରନ୍ତି। ଯାହାକୁ ନେଇ ସରକାର କୌଣସି ଚୂଡାନ୍ତ ନିଷ୍ଚତ୍ତି ନିଅନ୍ତି। ଏହିଠାରେ ଯୋଜନା ପ୍ରଣୟନ ଠାରୁ ଆରମ୍ଭ ହୋଇ ଗରିବଙ୍କ କଲ୍ୟାଣର କଥା ହେଉ ଅବା ସାମାଜିକ ସଂସ୍କାରର ମୂଳ ଦୁଆ ପଡେ। ଏହା ଦଳ ମତ ନିର୍ବିଶେଷରେ ସମସ୍ତ ନେତାଙ୍କର ଅବା ୧୪୦ କୋଟି ଦେଶବାସୀଙ୍କ ଗଣତନ୍ତ୍ରର ମନ୍ଦିର ବୋଲି କୁହାଯାଏ।

ଏହି ଉଦଘାଟନ ଅବସରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବା ସହ ନିଜ ନିଜ ବାର୍ତ୍ତା ଜାରି କରିଛନ୍ତି । କିନ୍ତୁ ଦିଲ୍ଲୀରେ ବିଜେପି ସହ ସୁସମ୍ପର୍କ ରଖୁଥିବା ବିଜେଡି ଏ ବାବଦରେ ନିରବ ରହିବା ଅନେକ କିଛି ଇଙ୍ଗିତ କରିଛି। ନୂଆ ସଂସଦ ଭବନ ଉଦଘାଟନ ଅବସରରେ ବିଜେଡିର ସାଂସଦ ଯୋଗ ଦେଇଥିବା କୁହାଯାଉଛି। କିନ୍ତୁ ଟିଭି ପରଦାରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ଛାଡ଼ି ଦେଲେ ଆଉ କେହି ଉପସ୍ଥିତ ଥିବା ଦେଖିବାକୁ ମିଳିନଥିଲା। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟରେ ଭର୍ତ୍ତୃହରିଙ୍କ ଫଟୋ ଦେଖାଯିବା ରାଜନୈତିକ ଖୋରାକ ଯୋଗାଇଛି।

ଯଦିଓ ବିଜେଡି ନୂଆ ସଂସଦ ଭବନ ଉଦଘାଟନରେ ସାମିଲ ହୋଇଛି ବୋଲି କହିଛି କିନ୍ତୁ ଯେତେବେଳେ ଅନେକ ଅଣ ବିଜେପି ନେତା ନୂଆ ସଂସଦ ଭବନକୁ ନେଇ ଟ୍ବିଟ୍ କରିବା ସହ ଅନେକ କିଛି ଶୁଭେଚ୍ଛା ଜଣାଉଛନ୍ତି ସେହି ସମୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦୁଟିଏ ବି କିଛି ନକହିବା କେନ୍ଦ୍ରର ଶାସକ ଦଳ ବିରୋଧରେ ପୂର୍ବ ଭଳ ସୁସମ୍ପର୍କ ଆଉ ନାହିଁ ବୋଲି ଇଙ୍ଗିତ ଦେଉଛି।

କହିରଖୁଛୁ ଗତକାଲି ବସିଥିବା ନୀତି ଆୟୋଗ ବୈଠକରେ ମଧ୍ୟ ନବୀନ ପଟ୍ଟନାୟକ ଯୋଗ ଦେଇନଥିଲେ। ଯାହାକୁ ନେଇ ସାରା ଦେଶରେ ଗୋଟିଏ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି ଯେତେବେଳେ କି ଅଣ ବିଜେପି ନେତା ଏକାଠି ହୋଇ ଏକ ମହାମେଣ୍ଟ ଗଢ଼ିବାକୁ ଯୋଜନା କରୁଛନ୍ତି।

ସେହିପରି ସସ୍ମିତ ପାତ୍ର ନିଜେ ଉଦଘାଟନୀ ଉତ୍ସବରେ ସାମିଲ ହୋଇଥିଲେ କିନ୍ତୁ ବିଭିନ୍ନ ସମୟରେ ଟ୍ବିଟ୍ କରି ନିଜର ଆଭିମୁଖ୍ୟ ରଖୁଥିବା ଏହି ସାଂସଦ ଟ୍ବିଟ୍ ନକରିବା କିମ୍ବା ନିଜର ଭିଡିଓ ଜାରି ନକରିବା ଦଳର ରଣନୀତି ଅନୁଯାୟୀ ସେ କାର୍ଯ୍ୟ ସମ୍ପାଦନ କରୁଥିବା ବୁଝାଯାଉଛି।

ସେପଟେ ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏକାଠି ଫଟୋ ଉଠାଇବା ଚର୍ଚ୍ଚା ଘଟଣା ପୁଣିଥରେ ସେଇ ଚର୍ଚ୍ଚାକୁ ଉଜ୍ଜୀବିତ କରିଛି ଯାହାକୁ ନେଇ କୁଆଡେ ବିଜେପି ଭିତରେ ଭିତରେ ଖୁସି ଥିବା ବେଳେ ବିଜେଡି ଦଳର ଏହି ବରିଷ୍ଠ ସାଂସଦଙ୍କୁ ନେଇ ନାଖୁସ ଅଛି।

କାରଣ ଦଳରେ କୋଣଠେସା ହୋଇ ରହିଥିବା ଭର୍ତ୍ତୃହରି ମହତାବ କୁଆଡେ ଏବେ ବିଜେପି ଆଡକୁ ଅଧିକ ଢଳିଛନ୍ତି। ବିଜେଡି ଯୁବ ବାହିନୀକୁ ନେଇ ଆଗକୁ ବଢିବାକୁ ଚିନ୍ତା କରୁଥିବା ବେଳେ ଭର୍ତ୍ତୃହରି କୁଆଡେ ଆଗକୁ ଟିକେଟ୍ ନପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଆଉ ଅନ୍ତିମ ନିର୍ବାଚନରେ ଲୋକସଭା ଆସନରେ ଦ୍ବିତୀୟ ସ୍ଥାନରେ ଥିବା ବିଜେପି ଚଳିତଥର ନିର୍ବାଚନ ପରୀକ୍ଷାରେ ପ୍ରଥମ ହେବାକୁ ଗୋଟି ଚଳାଉଥିବା ଚର୍ଚ୍ଚା ହେଉଛି।

କଟକର ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଜଣେ ପୁରୁଖା ରାଜନେତା। ଯେଉଁ ସମୟରେ ଦଳ ନୂଆ ସଂସଦ ଭବନକୁ ନେଇ ଦଳର ସୁପ୍ରିମୋ ନରିବ ରହିଛନ୍ତି ସେହି ସମୟରେ ସେ କେନ୍ଦ୍ରମନ୍ତ୍ରୀଙ୍କ ସହ ଫଟୋ ଉଠାଇ ଦଳର ଆଭିମୁଖ୍ୟ ବିରୋଧରେ ପଦକ୍ଷେପ ନେଇଛନ୍ତି କି?

Leave A Reply

Your email address will not be published.