Latest Odisha News

BREAKING NEWS

କେନ୍ଦୁଝରରେ ୭ ଆହତ ସ୍କୁଲ ଛାତ୍ରଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଏନଏଚଆରସିଙ୍କ ନିର୍ଦ୍ଦେଶ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଅର୍ଜୁନବିଲ୍ଲା ପ୍ରାଥମିକ ବିଦ୍ୟାଳୟରେ ଛାତ ଭୁଶୁଡ଼ି ଆହତ ହୋଇଥିବା ୭ ଜଣ ଛାତ୍ରଛାତ୍ରୀଙ୍କୁ କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଛାତ୍ରଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ।

୨୦୨୩ ସେପ୍ଟେମ୍ବର ମାସରେ କ୍ଲାସରୁମ୍ ଛାତରୁ ଏକ ପ୍ଲାଷ୍ଟର ସ୍ଲାବ୍ ଶ୍ରେଣୀଗୃହରେ ବସିଥିବା ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବାରୁ ଜଣେ ପୁଅ ଓ ୬ ଜଣ ଛାତ୍ରୀ ଆହତ ହୋଇଥିଲେ। ପ୍ରଧାନଶିକ୍ଷୟିତ୍ରୀ ପୂର୍ବରୁ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ନିକଟରେ ଜରାଜୀର୍ଣ୍ଣ କୋଠା ସମ୍ପର୍କରେ ଚିନ୍ତା ପ୍ରକଟ କରିଥିଲେ। ବିଇଓଙ୍କ ନିଷ୍କ୍ରିୟତା ଯୋଗୁଁ ସ୍ଥାନୀୟ ପଞ୍ଚାୟତ ଅଧିକାରୀଙ୍କ ସହାୟତାରେ ମରାମତି ମଧ୍ୟ ଆରମ୍ଭ କରିଥିଲେ। ମରାମତି ସମୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅନୁସନ୍ଧାନରୁ ଜଣାପଡ଼ିଥିଲା, ଯାହା ଫଳରେ ଭୁଶୁଡ଼ି ପଡ଼ିଥିଲା।

ସୂଚନା ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନ ଓ ଏନ୍ଏଚ୍ଆରସିର ନିଜସ୍ୱ ତଦନ୍ତକୁ ଭିତ୍ତି କରି କମିଶନ ମରାମତି କାର୍ଯ୍ୟରେ ଅବହେଳା ପାଇଁ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କୁ ଦାୟୀ କରିଛନ୍ତି। କେନ୍ଦୁଝର ଏସପିଙ୍କ ରିପୋର୍ଟରେ ଜେଇଙ୍କ ସମ୍ପୃକ୍ତିକୁ ନିଶ୍ଚିତ କରାଯିବା ସହ ୨୦ ବର୍ଷ ଧରି ମରାମତି ପାଇଁ ଧାର୍ଯ୍ୟ ହୋଇଥିବା କୋଠାର ଗୁରୁତର ଅବସ୍ଥା ଉପରେ କୁହାଯାଇଛି। ଫଳରେ ଜେଇଙ୍କୁ ବଦଳି କରାଯିବା ସହ କର୍ତ୍ତବ୍ୟରେ ଅବହେଳା ପାଇଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜେଇଙ୍କଠାରୁ ୭୦ ହଜାର ଟଙ୍କା କ୍ଷତିପୂରଣ ରାଶି ଆଦାୟ କରି ୪ ସପ୍ତାହ ମଧ୍ୟରେ ପୈଠ ପ୍ରମାଣ ଦାଖଲ କରିବାକୁ ଏନ୍ଏଚ୍ଆରସି ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ଓଡ଼ିଶାରେ ସ୍କୁଲ ଭିତ୍ତିଭୂମିର ସୁରକ୍ଷା ଏବଂ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

Leave A Reply

Your email address will not be published.