Latest Odisha News

ବିଜେପି ସଂସଦୀୟ ବୋର୍ଡରୁ ଗଡକରୀ, ଶିରରାଜ ଆଉଟ୍; ଯୋଗୀ, ଧର୍ମେନ୍ଦ୍ର ?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ବୁଧବାର ଏହାର ନୂଆ ସଂସଦୀୟ ବୋର୍ଡ ଏବଂ ନିର୍ବାଚନ କମିଟି ଗଠନ କରିଛି। ବିଜେପିର ଏହି ସଂସଦୀୟ ବୋର୍ଡରେ ମୋଟ୍ ୧୧ ଜଣ ନେତାଙ୍କୁ ସ୍ଥାନ ଦିଆଯାଇଛି। ଏହା ସହିତ ସଂସଦୀୟ ବୋର୍ଡରେ ବିଜେପିର ତିନି ନୂଆ ଚେହେରା ମଧ୍ୟ ସାମିଲ କରାଯାଇଛି। ଏହା ସହିତ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ସଂସଦୀୟ ବୋର୍ଡରୁ ହଟାଇ ଦିଆଯାଇଛି। ପ୍ରଥମ ଥର ପାଇଁ ଜଣେ ଶିଖ୍ ନେତା ଇକବାଲ ସିଂ ଲାଲପୁରାଙ୍କୁ ସଂସଦୀୟ ବୋର୍ଡରେ ସ୍ଥାନ ପାଇଛନ୍ତି।

ଜେପି ନଡ୍ଡା ବିଜେପି ସଂସଦୀୟ ବୋର୍ଡର ଅଧ୍ୟକ୍ଷ। ବିଜେପିର ସଂସଦୀୟ ବୋର୍ଡରେ ସ୍ଥାନ ପାଇଥିବା ତିନିଜଣଙ୍କ ମଧ୍ୟରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା, କେ ଲକ୍ଷ୍ମଣ ଏବଂ ସର୍ବାନନ୍ଦ ସୋନୋୱାଲ ରହିଛନ୍ତି। ଏମାନଙ୍କ ବ୍ୟତୀତ ବିଜେପି ସଭାପତି ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, ଇକବାଲ ସିଂ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜଟିଆ ଏବଂ ବି.ଏଲ୍ ସନ୍ତୋଷଙ୍କୁ ନୂଆ ସଂସଦୀୟ ବୋର୍ଡରେ ଅନ୍ତର୍ଭୁକ୍ତ କରାଯାଇଛି। ସଂସଦୀୟ ବୋର୍ଡର ସଚିବ ଭାବେ ବି.ଏ. ସନ୍ତୋଷଙ୍କୁ ନିଯୁକ୍ତି ଦିଆଯାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୀର୍ଘ ଦିନ ଧରି ବିଜେପି ସଂସଦୀୟ ବୋର୍ଡରେ ତିନୋଟି ପଦ ଖାଲିଥିଲା ଜେଟଲା, ସୁଷମା ସ୍ୱରାଜଙ୍କ ଦେହାନ୍ତ ପରେ। ୟୁପି ନିର୍ବାଚନରେ ଯୋଗୀ ଆଦିତ୍ୟନାଥ ବିଜୟୀ ହେବା ପରେ ସେ ସଂସଦୀୟ ବୋର୍ଡରେ ସାମିଲ ହେବେ ବୋଲି କୁହାଯାଉଥିଲା। କାରଣ ସେ ମୋଦୀଙ୍କ ଉତ୍ତରାଧିକାରୀ ବୋଲି ଗେରୁଆ ଶିବିରରେ ଚର୍ଚ୍ଚା ହୁଏ। ସେହିପରି ମୋଦୀ-ଶାହଙ୍କ ଖାସ୍ ତଥା ଅନୁଗତ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସଂସଦୀୟ ବୋର୍ଡରେ ସାମିଲ ହେବେ ବୋଲି କୁହାଯାଉଥିଲା। ୟୁପି ନିର୍ବାଚନ ଏବଂ ନନ୍ଦିଗ୍ରାମରେ ମମତାଙ୍କୁ ହରାଇବାର ପୁରସ୍କାର ଦେବାକୁ ଯାଇ ଧର୍ମେନ୍ଦ୍ରଙ୍କୁ ମୋଦୀ-ଶାହ ପୁରସ୍କାର ଦେବେ ବୋଲି କୁହାଯାଉଥିଲା।

ସଂସଦୀୟ ବୋର୍ଡ ବ୍ୟତୀତ ବିଜେପି ଏକ ନିର୍ବାଚନ କମିଟି ମଧ୍ୟ ଗଠନ କରିଛି। ଏଥିରେ ୧୫ ଜଣ ନେତାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ଅଧ୍ୟକ୍ଷ ରହିଛନ୍ତି ଜେପି ନଡ୍ଡା। ଏହା ବ୍ୟତୀତ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜନାଥ ସିଂ, ଅମିତ ଶାହା, ବିଏସ ୟେଦ୍ୟୁରପ୍ପା, ସର୍ବାନନ୍ଦ ସୋନୋୱାଲ, କେ ଲକ୍ଷ୍ମଣ, ଇକବାଲ ସିଂ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜାଟିଆ, ଭୁପେନ୍ଦ୍ର ଯାଦବ, ଦେବେନ୍ଦ୍ର ଫଡନାଭିସ୍, ଓମ୍ ମାଥୁର, ରହିଛନ୍ତି। ବିଜେପିର ନୂଆ ସଂସଦୀୟ ବୋର୍ଡ ସାଂଗଠନିକ ଶକ୍ତି ଏବଂ ବିବିଧତା ଉପରେ ଗୁରୁତ୍ୱାରୋପ କରିଛି ବୋଲି କୁହାଯାଉଛି।

Leave A Reply

Your email address will not be published.