Latest Odisha News

BREAKING NEWS

ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ରାଗିଂର ପ୍ରମାଣ ମିଳିନି, ତଦନ୍ତ ଚାଲିଛି: ଅତିରିକ୍ତ ଡିସିପି

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ଝିଅକୁ ନ୍ୟାୟ ଦାବିରେ କଲେଜ ସମ୍ମୁଖରେ ଆନ୍ଦୋଳନ କରୁଥିବା ମା’ ବିଦ୍ୟୁତପ୍ରଭା ମହାନ୍ତିଙ୍କୁ ସୋମବାର ପୁଲିସ ବଳପୂର୍ବକ ଉଠାଇ ନେଇଛି। ଆଜି ରୁଚିକାଙ୍କ ଦଶାହ କର୍ମ ଥିଲା। ତାଙ୍କ ମା’ ଏହି କଲେଜ ସାମ୍ନାରେ ସମସ୍ତ କର୍ମ କରିବେ ବୋଲି କହିଥିଲେ। ମୃତକଙ୍କ ସ୍ମୃତିରେ ପୂଜାର୍ଚ୍ଚନା କରିବା ପାଇଁ ଆନ୍ଦୋଳନକାରୀ କଲେଜ ଗେଟ୍ ବାହାରେ ପହଞ୍ଚିବା ପରେ ପୁଲିସ ସେମାନଙ୍କୁ ସେଠାରୁ ବଳପୂର୍ବକ ଉଠାଇ ନେଇଥିଲା।

ପ୍ରଥମେ କମିଶନରେଟ ପୋଲିସର ଏକ ଟିମ୍ ଆସି ରୁଚିକାଙ୍କ ମା’ଙ୍କୁ ସମର୍ଥନ କରି ଉପସ୍ଥିତ ଥିବା ଲୋକଙ୍କୁ ସେଠାରୁ ଖାଲି କରିଥିଲା। ପରେ ଆଜି ମଧ୍ୟାହ୍ନରେ ପୁଲିସ ତମ୍ବୁରେ ତିଆରି ହୋଇଥିବା ଏକ ଅସ୍ଥାୟୀ ଘରକୁ ଭଙ୍ଗାରୁଜା କରିଥିଲା।

ରୁଚିକାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ରୁଚିକାଙ୍କ ମା’ଙ୍କ ସମେତ କିଛି କଲେଜ ଛାତ୍ରୀ ଓ କିଛି ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ସପ୍ତାହରେ ଅଧିକ ସମୟ ଧରି କଲେଜ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ଉପସ୍ଥିତିରେ ପୁଲିସ ରୁଚିକାଙ୍କ ମା’ଙ୍କୁ ଜୋରଜବରଦସ୍ତ ସେଠାରୁ ଉଠାଇ ନେଇଥିଲା । ବିଦ୍ୟୁତପ୍ରଭା ପୁଲିସର ଏପରି କାର୍ଯ୍ୟକୁ ବିରୋଧ କରିଥିଲେ। ଏବଂ ତାଙ୍କ ଝିଅର ମୃତ୍ୟୁ ପାଇଁ ଯିଏ ଦାୟୀ ତାକୁ ଚିହ୍ନଟ କରାଯାଉ ବୋଲି ସେ ଦାବି କରିଥିଲେ। ଯଦି ତାଙ୍କ ଝିଅକୁ ନ୍ୟାୟ ନମିଳେ ତେବେ ସେ ଚରମ ପଦକ୍ଷେପ ନେବେ ବୋଲି ଚେତାବନୀ ଦେଇଛନ୍ତି।  କିନ୍ତୁ ପୋଲିସ ତାଙ୍କ କଥାକୁ ଖାତିର ନକରି ତାଙ୍କୁ ସେହି ସ୍ଥାନରୁ ଉଠାଇନେଇ ପୋଲିସ ଭ୍ୟାନକୁ ନେଇଥିଲା।

ତେବେ ଅତିରିକ୍ତ ଡିସିପି କହିଛନ୍ତି, ତଦନ୍ତ ଚାଲିଛି ହେଲେ ରାଗିଂ ହୋଇଥିବା ନେଇ କୌଣସି ଠୋସ୍ ପ୍ରମାଣ ମିଳିନି । ହଷ୍ଟେଲରେ ଥିବା ଅନ୍ତେବାସୀଙ୍କୁ ଜେରା ଚାଲିଛି।

ଉଲ୍ଲେଖଯୋଗ୍ୟ, ଯୁକ୍ତ 3 ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତି ରାଗିଂ ଅଭିଯୋଗ ଆଣି ଫାଶୀ ଲଗାଇ ପ୍ରାଣ ହରାଇଛନ୍ତି। ଏଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ସେ ଏକ ଚିଠି ଲେଖି ଛାଡ଼ି ଯାଇଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ତାଙ୍କର ତିନି ଜଣ ସିନିୟର ତାଙ୍କୁ କ୍ରମାଗତ ଭାବେ ରାଗିଂ ଓ ନିର୍ଯାତନା ଦେଉଥିଲେ। ସେ ଏହାଦ୍ୱାରା ଅତିଷ୍ଠ ହୋଇପଡ଼ିଥିଲେ। ସେ ଲେଖିଥିବା ଚିଠିରେ ତାଙ୍କ ମୃତ୍ୟୁ ପାଇଁ ତିନି ସିନିୟର ଛାତ୍ରୀଙ୍କୁ ଦାୟୀ କରିଥିଲେ।

ଆତ୍ମହତ୍ୟା ପୂର୍ବରୁ ସକାଳେ ସେ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ। ରାଗିଂ ନେଇ ପରିବାରର ଅନ୍ୟ ଲୋକଙ୍କୁ କହିଥିଲେ। ହେଲେ ଯେଉଁମାନେ ରାଗିଂ କରୁଥିଲେ ସେମାନଙ୍କ ନାଁ ସେ କହିନଥିଲେ ବୋଲି ରୁଚିକାଙ୍କ ପରିବାର ଲୋକେ କହିଛନ୍ତି। ଯାହାକି ମାମଲାକୁ ଜଟିଳ କରିଛି।

Leave A Reply

Your email address will not be published.