Latest Odisha News

BREAKING NEWS

ବିଫଳତାର ଶବ୍ଦ ବିଜ୍ଞାନରେ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କହିଛନ୍ତି, ବିଫଳତାର ଶବ୍ଦ ବିଜ୍ଞାନରେ ନାହିଁ । ବିଭିନ୍ନ କାରଣ ଯୋଗୁଁ ଇସ୍ରୋ ଭାରତକୁ ଭବିଷ୍ୟତରେ ଅନେକ ଖୁସି ଆଣିଦେଇ ଭାରତୀୟଙ୍କ ମୁଖରେ ଅନେକ ହସ ଫୁଟାଇପାରିବ ବୋଲି କହିଛନ୍ତି ମୋଦୀ ।

ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥାନ ପକ୍ଷରୁ ଚାନ୍ଦ୍ରାୟଣ-୨ ଅଭିଯାନରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ସେକେଣ୍ଡ ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ କରିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁ ଇସ୍ରୋ କାର୍ଯ୍ୟାଳୟଠାରେ ବୈଜ୍ଞାନିକମାନଙ୍କୁ ଉଦବୋଧନ ଦେଇ ଆଶ୍ୱାସନା ଦେଇଛନ୍ତି ।

ଇସ୍ରୋର ବରିଷ୍ଠ ବୈଜ୍ଞାନିକମାନଙ୍କ ସହିତ ଆଲୋଚନା ସମୟରେ ସେ କହିଛନ୍ତି ଯେ, ଆଗାମୀ ଦିନମାନଙ୍କରେ ଏକ ନୂଆ ଦିଗବଳୟରେ ନୂଆ ସକାଳ ଆସୁଛି । ଉଦ୍ୟମ ଓ ଗବେଷଣାକୁ ନେଇ ହିଁ ବିଜ୍ଞାନ, ତେଣୁ ବିଜ୍ଞାନରେ ଅସଫଳତା ବୋଲି କିଛି ନାହିଁ ।

ଇସ୍ରୋ ବୈଜ୍ଞାନିକମାନଙ୍କ କଠିନ ପରିଶ୍ରମ ତଥା ନିରବଚ୍ଛିନ୍ନ ଉଦ୍ୟମକୁ ଦୃଷ୍ଟିରେ ରଖି ମୋଦୀ କହିଛନ୍ତିି ଆମେ ଯେଉଁ ଉଦ୍ୟମ କରିଥିଲୁ ସେଥିରେ ବହୁମାତ୍ରାରେ ସଫଳ ହୋଇଛୁ । ଆମ ଟିମର କଠିନ ପରିଶ୍ରମ ଏବଂ ଉଦ୍ୟମ ପ୍ରକୃତରେ ପ୍ରଶଂସନୀୟ । ଆଜିର ଶିକ୍ଷାରୁ ହିଁ ଆମକୁ ଦୃଢ ଓ ଶକ୍ତିଶାଳୀ କରିବାରେ ସହାୟକ ହୋଇପାରିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚାନ୍ଦ୍ରାୟଣ -୨ ଚନ୍ଦ୍ର ଅଭିଯାନରେ ଶୁକ୍ରବାର ରାତି ୧:୫୫ ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଥିବା ବିକ୍ରମ ଲ୍ୟାଣ୍ଡର୍ ଯୋଗାଯୋଗ ବିଚ୍ଛିନ୍ନ କରିଥିଲା ।

ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟ କାର୍ଯ୍ୟାଳୟଠାରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୭୦ ଜଣ ଛାତ୍ରଛାତ୍ରୀଙ୍କ ସହିତ ଏହି ଦୃଶ୍ୟକୁ ଦେଖିଥିଲେ ।

Leave A Reply

Your email address will not be published.