ଓଡିଶାର ସବୁଠୁ ବ୍ୟୟବହୁଳ ସିନେମା ହେବ ‘ଲ୍ୟାଣ୍ଡଫଲ୍’
୧୦ କୋଟି ଟଙ୍କା ବ୍ୟୟରେ ହେବ ବିଶାଳ ସେଟ୍, ଆନିମେସନ ଓ ଭିଜୁଆଲ ଇଫେକ୍ଟସର ଉପଯୋଗ
ଭୁବନେଶ୍ଵର: ‘ଦମନ’ ସଫଳତା ପରେ ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ପିକ୍ସେଲ ମୁଭିଜ ନିବେଦିତ ତଥା ପ୍ରଭାତ କୁମାର ପ୍ରଧାନଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ସିନେମାର ଶୀର୍ଷକ ରହିଛି ‘ଲ୍ୟାଣ୍ଡଫଲ୍’। ପରଦାରେ ୯୯ ମହାବାତ୍ୟା ଠାରୁ ଫାଇଲିନ ଯାଏଁ ଝଡ଼ର କରାଳ ରୂପ ଦେଖିବେ ଦର୍ଶକ।
ଭୁବନେଶ୍ୱରର ହୋଟେଲ ଦି ନିଉ ମ୍ୟାରିୟନଠାରେ ଆୟୋଜିତ ଏକ ଭବ୍ୟ ଓ ଆଡମ୍ବରପୂର୍ଣ୍ଣ ଉତ୍ସବରେ ଏହାର ଶୀର୍ଷକ ଘୋଷଣା ହୋଇଥିଲା। ଏହି ଅବସରରେ ଡିଜି ଅଗ୍ନିଶମ ବିଭାଗ ସୁଧାଂଶୁ ଷଡ଼ଙ୍ଗୀ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଦିଗରେ ଅଗ୍ନିଶମ ବିଭାଗର ତତ୍ପରତା ସମ୍ପର୍କରେ ଅଭିଜ୍ଞତା ରଖିଥିଲେ। ଏଥିରେ କୁଜଙ୍ଗର ତତ୍କାଳୀନ ତହସିଲଦାର ସୁରଜିତ ଦାସ, ଅତିରିକ୍ତ ତହସିଲଦାର ନୃସିଂହ ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ଫିଲ୍ମର ଟାଇଟଲ, ଲୋଗୋ ଓ ପୋଷ୍ଟର ଉନ୍ମୋଚନ କରିବା ସହ ସେ ସମୟର ଅନୁଭୂତି ବଖାଣିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, ଡିଓପି ପ୍ରତାପ ରାଉତ ଏବଂ ଅନ୍ୟାନ୍ୟ କଳାକାର ଓ ଟେକ୍ନିସିଆନଙ୍କ ସମେତ ଇଣ୍ଡଷ୍ଟ୍ରିର ବହୁ ନାମୀଦାମୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଲୋକପ୍ରିୟ ତାରକା ସବ୍ୟସାଚୀ ମିଶ୍ର ଅଭିନୟ କରିଛନ୍ତି। ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଅଭିନେତ୍ରୀ ଦିବ୍ୟାସ୍ନାତା। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଜାତୀୟ ପୁରସ୍କାର ପ୍ରାପ୍ତ ତଥା ଖ୍ୟାତିସମ୍ପନ୍ନ ନିର୍ଦ୍ଦେଶକ ଯୋଡି ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ। ବିଭିନ୍ନ ଦିଗ ଓ ଦୃଷ୍ଟିକୋଣରୁ ‘ଲ୍ୟାଣ୍ଡଫଲ୍’ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଚିତ୍ର ହେବ। କାରଣ ଏହା ବିରାଟ କାନଭାସ ଉପରେ ନିର୍ମିତ ହେବାକୁ ଯାଉଛି। କେବଳ ସେତିକି ନୁହେଁ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର କ୍ଷେତ୍ରରେ ‘ବାହୁବଳୀ’ ଯେପରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା ଆନିମେଶନ ଦିଗରେ ଓଡ଼ିଆ ସିନେମାକୁ ଏହା ସେପରି ଏକ ନୂଆ ପରିଚୟ ଦେବ ବୋଲି କହିଛନ୍ତି ପ୍ରଯୋଜକ ପ୍ରଭାତ କୁମାର ପ୍ରଧାନ।
ଏହା ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମିତ ହେବ। ଅଭିନେତା ସବ୍ୟସାଚୀ ସବୁବେଳେ ନୂଆ ଓ ମୌଳିକ ଓଡ଼ିଆ କାହାଣୀର ସନ୍ଧାନରେ ଥାନ୍ତି। ଆଉ ସବ୍ୟଙ୍କ ସହ ଦେବୀ ଓ ବିଶାଲଙ୍କ ସହଭାଗିତା ଏହି ଚଳଚ୍ଚିତ୍ରକୁ ଏକ ପ୍ରତିନିଧି ଶ୍ରେଣୀୟ ଚଳଚ୍ଚିତ୍ରର ମାନ୍ୟତା ଦେବାକୁ ନିଶ୍ଚିତ ପ୍ରୟାସ କରିବ।ମହାବାତ୍ୟାକୁ ନେଇ ପ୍ରତ୍ୟେକ ଓଡ଼ିଆଙ୍କର କିଛି ନା କିଛି ତିକ୍ତ ଓ ହୃଦୟଥରା ଅନୁଭୂତି ରହିଛି। ମନରେ ଏକ ଗଭୀର କ୍ଷତ ରହିଛି। ପରଦା ଉପରେ ଝଡର ସେଇ କରାଳ ରୂପ ଦେଖିବ ଓଡିଶା। ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଏହା ସବୁଠୁ ବ୍ୟୟ ବହୁଳ ସିନେମା ହେବ ବୋଲି ନିର୍ଦ୍ଦେଶକ ଯୋଡି ମତବ୍ୟକ୍ତ କରିଛନ୍ତି। ଚଳଚ୍ଚିତ୍ରଟି ଶୀଘ୍ର ଫ୍ଲୋରକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.