Latest Odisha News

BREAKING NEWS

ହକି ବିଶ୍ୱକପ ଖେଳିଥିବା ଓଡିଆ ତାରକା

ଭୁବନେଶ୍ୱର: ହକି ବିଶ୍ୱକପ ବିଗୁଲର ସ୍ୱର ଶୁଭିଲାଣି । ଆଉ ହକିରେ ବିଭୋର ଓଡିଆ କ୍ରୀଡାପ୍ରେମୀ ନିଜକୁ ଏହି ମେଗା ଇଭେଂଟ ପାଇଁ ପ୍ରସ୍ତୁତ କରି ସାରିଲେଣି । ଦ୍ୱିତୀୟ ଥର ପାଇଁ ଓଡିଶାରେ ହକି ବିଶ୍ୱକପ ଆୟୋଜିତ ହେଉଛି । ଆଉ ଭାରତୀୟ ହକିରେ ଓଡିଶା ଖେଳାଳିଙ୍କ ଯୋଗଦାନ କେବେ ହେଲେ ଉଣା ହୋଇ ନାହିଁ । ମାଇକେଲ କିଣ୍ଡୋ ଓଡିଶା ହକି ପ୍ରଥମ ପ୍ରବାଦ ପୁରୁଷ ଥିଲେ । ସେ ଓଡିଶାର ହୋଇ ନ ଥିଲେ ମଧ୍ୟ ସୁନ୍ଦରଗଡରୁ ଏକାଧିକ ହକି ଖେଳାଳିଙ୍କୁ ଖୋଜି ବାହାର କରିଥିଲେ । ୧୯୭୧, ୭୩ ଓ ୭୫ ପଦକ ବିଜେତା ଭାରତୀୟ ଦଳର ସେ ସଦସ୍ୟ ଥିଲେ । ତେବେ ଓଡିଶାର ପ୍ରଥମ ଆନ୍ତର୍ଜାତୀୟ ହକି ଖେଳାଳି ସାଜିଥିଲେ ପିଟର ତିର୍କୀ । ୧୯୮୨ରେ ମାଲେସିଆରେ ଆୟୋଜିତ ଜୁନିୟର ହକି ବିଶ୍ୱକପରେ ସେ ଭାରତ ପକ୍ଷରୁ ସୁଯୋଗ ପାଇଥିଲେ ।

ଏହା ପରେ ସାମ୍ନା ଆସିଥିଲେ ଭାରତୀୟ ହକିର ମହାନ ଖେଳାଳି ତଥା ପଦ୍ମଶ୍ରୀ ଦିଲୀପ ତିର୍କୀ । ବିଶ୍ୱକପ ସମେତ ୪୧୨ ଆନ୍ତର୍ଜାତୀୟ ମ୍ୟାଚ ଖେଳି ଓଡିଶାକୁ ଗୌରବାନ୍ୱିତ କରିଥିଲେ । ୨୦୦୬ରେ ସେ ଭାରତୀୟ ବିଶ୍ୱକପ ଦଳର ନେତୃତ୍ୱ ମଧ୍ୟ ନେଇଥିଲେ । ୧୯୮୮, ୨୦୦୨ ଓ ୨୦୦୬ ବିଶ୍ୱକପରେ ମଧ୍ୟ ସେ ଖେଳିଥିଲେ । ୧୯୯୮ରେ ଆନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରିଥିଲେ ଲାଜରୁସ ବାର୍ଲା । ଚମତ୍କାର ପ୍ରଦର୍ଶନ ଯୋଗୁ ସେହି ବର୍ଷ ସେ ବିଶ୍ୱକପରେ ଖେଳିବାକୁ ସୁଯୋଗ ପାଇଥିଲେ । ଏହା ବ୍ୟତୀତ ୨୦୦୨ ବିଶ୍ୱକପରେ ମଧ୍ୟ ସେ ଖେଳିଥିଲେ । ୧୯୯୮ ଏସୀୟ ସ୍ୱର୍ଣ୍ଣ ବିଜେତା ଦଳର ସେ ସ୍ଥାନ ପାଇଥିଲେ । ପଦ୍ମଶ୍ରୀ ଇଗ୍ନେଶ ତିର୍କୀ ମଧ୍ୟ ଭାରତ ପକ୍ଷରୁ ୨୫୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳିଛନ୍ତି । ୨୦୦୨ ଓ ୦୬ ବିଶ୍ୱକପରେ ଖେଳିବା ବ୍ୟତୀତ ୨୦୦୨, ୨୦୦୩ ଓ ୨୦୦୭ ପଦକ ବିଜେତା ଏସୀୟ ଟିମର ସଦସ୍ୟ ଥିଲେ । ଇଗ୍ନେସଙ୍କ ଭାଇ ପ୍ରବୋଧ ତିର୍କୀ ମଧ୍ୟ ୧୫୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳିଛନ୍ତି ।

୨୦୦୬ ବିଶ୍ୱକପରେ ଦୁଇ ଭାଇ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ୨୦୦୭ ଓ ୨୦୧୦ ଏସିଆ କପ ପଦକ ବିଜେତା ଭାରତୀୟ ଦଳ ପକ୍ଷରୁ ସେ ଖେଳିଥିଲେ । ଏହି ତାଲିକାରେ ଆଉ ଜଣେ ମହାନ ଖେଳାଳି ସାମିଲ, ସେ ହେଉଛନ୍ତି ବୀରେନ୍ଦ୍ର ଲାକ୍ରା । ସେ ୨୦୦ରୁ ଅଧିକ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଦଳର ସଦସ୍ୟ ତାଙ୍କ ସ୍ମରଣୀୟ କରିଦେଇଛି । ୨୦୧୪ ଓ ୧୮ ଏସିଆ କପ ପଦକ ବିଜେତ ଟିମର ସେ ଅଂଶବିଶେଷ ଥିଲେ ।

ଏଥର ବିଶ୍ୱକପରେ ଭାରତୀୟ ଦଳର ଉପ ଅଧିନାୟକ ସାଜିଥିବା ଅମିତ ରୋହିଦାସ ଓଡିଶାର ସମ୍ମାନକୁ ଆହୁରି ବଢେଇ ଦେଇଛନ୍ତି । ସେ ୧୧୩ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୨୦୧୮ ବିଶ୍ୱକପରେ ସେ ପଦାର୍ପଣ କରିଥିଲେ । ଯୁବ ଡିଫେଣ୍ଡର ନୀଲମ ସଞ୍ଜୀବ ଖେସ ଏଥର ବିଶ୍ୱକପ ଦଳରେ ସ୍ଥାନ ପାଇଛନ୍ତି । ୩୪ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ସଞ୍ଜୀବ ୧୮ ବର୍ଷରୁ କମ ଏସିଆ କପ ଦଳରେ ଭାରତର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.