Latest Odisha News

BREAKING NEWS

ଗାଁରୁ ବଲିଉଡ ଯାତ୍ରା

ଯାଜପୁର : ଗାଁ ଷ୍ଟୁଡିଓରେ ବିବାହ ବ୍ରତର ଭିଜୁଆଲ ଏଡିଟିଂ କରୁଥିଲେ ,ଏବେ ସୁପର ଷ୍ଟାରଙ୍କ ସୁପର ବଜେଟ ଫିଲ୍ମରେ କାମ କରୁଛନ୍ତି  ।

ଯାଜପୁର ଜିଲ୍ଲା ଏକ ଛୋଟ  ଗାଁର ସାଧାରଣ ଭିଡିଓ ଏଡିଟରରୁ , ବଲିଉଡ୍ ଭଳି ବଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସାମିଲ ହେବାର ଯାତ୍ରା   । ଆମେ କହୁଛୁ  ଏପରି ଜଣେ ଓଡିଆ ଯୁବକର ସଫଳତାର କାହାଣି , ଯିଏ ଗାଁ ଷ୍ଟୁଡିଓରେ ବିବାହ ବ୍ରତର ଭିଜୁଆଲ ଏଡିଟିଂ କରୁଥିଲେ  ଆଉ ଆଜି ବଲିଉଡ୍ ଇଣ୍ଡଷ୍ଟ୍ରୀରେ ବଡ ଫିଲ୍ମରେ କାମ କରୁଛନ୍ତି।

ଏବେ ସମସ୍ତଙ୍କ ମନକୁ ଛୂଇଁଥିବା ଏବଂ ନିକଟରେ ବଡ ପରଦାରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ବ୍ରହ୍ମାସ୍ତ୍ରରେ କାମ କରିବାର ସୁଯୋଗ ପାଇଥିବାରୁ ସେ ବେଶ୍ ଆନନ୍ଦିତ। ପରିବାରରେ ଏବଂ ଅନ୍ୟ ସମସ୍ତଙ୍କ ମନରେ ମଧ୍ଯ ଦେଖାଦେଇଛି ଖୁସିର ବାତାବରଣ। ସେହି ପ୍ରତିଭାବାନ ଯୁବକ ଜଣକ ହେଉଛନ୍ତି ଯାଜପୁର ବରୀ ବ୍ଲକ ବାଲିଆ-ହରିପୁର ଅଞ୍ଚଳର ସୁବ୍ରତ ପାଢୀ। ତାଙ୍କୁ ନେଇ ଦେଖନ୍ତୁ ଓଡିଶା ସମ୍ବାଦରେ ଏଇ ସ୍ବତନ୍ତ୍ର ରିପୋର୍ଟ। ଦକ୍ଷିଣୀ ଫିଲ୍ମ ହେଉ କି ବଲିଉଡ୍ କିମ୍ବା ହଲିଉଡ୍‌, ସବୁଥିରେ କିଛି ଅସାଧାରଣ ଚିତ୍ର ଦେଖିବାକୁ ମିଳେ। ଯେଉଁଥିପାଇଁ ଫିଲ୍ମ ଗୁଡ଼ିକୁ ଦେଖିବାରେ କିଛି ନିଆରା ଅନୁଭୂତି ରହିଥାଏ। ଏବେ ସବୁଠାରୁ ଚର୍ଚ୍ଚାରେ ଥିବା ହାଇ ବଜେଟ ଚର୍ଚ୍ଚିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’  ଫିଲ୍ମ ହଲରେ ରିଲିଜ ହେଇଯାଇଛି  । ଧର୍ମା ପ୍ରଡକ୍ସନର ଏହି ଫିଲ୍ମରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ଲିଡ୍‌ ରେ ଦେଖିବାରୁ ମିଳିଛି । ଏହି ଫିଲ୍ମରେ ନାଗୀନ ଫେମ ମୌନି ରୟଙ୍କୁ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ । ବିଗ ବି ଅମିତାଭ ବଚ୍ଚନ ଓ ଅନ୍ୟ ବଡ ବଡ ଷ୍ଟାରଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିଛି  ।  ବର୍ତ୍ତମାନ ସମସ୍ତଙ୍କ ମନ‌କୁ ଛୁଇଁଥିବା ବ୍ରହ୍ମାସ୍ତ୍ର ଫିଲ୍ମର ଚିତ୍ରକୁ ସୁନ୍ଦର ଭାବେ ସଜାଇବାରେ ଯାଜପୁରର ପୁଅ ସୁବ୍ରତଙ୍କ ହାତ ରହିଛି। ନିକଟରେ ବଡ ପରଦାରେ ରିଲିଜ ହୋଇଥିବା ବହ୍ମାସ୍ତ୍ର ଫିଲ୍ମରେ ଜବରଦସ୍ତ ଭିଏଫଏକ୍ସ ରହିଛି।

ହରିପୁର ଗାଁର ପିତା ଶରତ ଚନ୍ଦ୍ର ପାଢ଼ୀ ଓ ମାତା କାବେରୀ ପାଢ଼ୀଙ୍କ ପୁଅ ହେଉଛନ୍ତି ସୁବ୍ରତ କୁମାର ପାଢ଼ୀ। କଲେଜ ପାଠପଢ଼ା ପରେ ଗାଁ ନିକଟରେ ଥିବା ଏକ ଷ୍ଟୁଡିଓରୁ କ୍ୟାମେରା କାମ ଆରମ୍ଭ କରିଥିଲେ। ଛୋଟ ବେଳରୁ ବାହାଘର, ବ୍ରତଘର ଆଦି ଭିଡିଓ ଏଡିଟିଂରେ ରୁଚି ରଖିଥିଲେ ସୁବ୍ରତ। ପରେ ଭୁବନେଶ୍ବରର ଜୀକା ସ୍କୁଲରେ ଭିଏଫଏକ୍ସ ପାଠ୍ୟକ୍ରମରେ ନାମ ଲେଖାଇଥିଲେ।   ୧ବର୍ଷର ପାଠପଢ଼ା ପରେ  ପ୍ରଥମ କରି କଣ୍ଟିଲୋ ଫିଲ୍ମସରେ କାମ ଆରମ୍ଭ କରିଥିଲେ। ଏହାପରେ ବାଇଜୁସ୍ ଏଜୁକେସନାଲ ଆପରେ କାର୍ଟୁନ କମ୍ପୋଜିଟର ଭାବେ ମଧ୍ଯ କାମ କରିବାର ସୁଯୋଗ ପାଇଥିଲେ। ଭିଏଫଏକ୍ସ କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବାକୁ ଥିବାରୁ ମୁମ୍ବାଇରେ ଥିବା ରି-ଡିଫାଇନ ନାମକ ବଲିଉଡ ଓ ହଲିଉଡ ପାଇଁ କାମ କରୁଥିବା ସଂସ୍ଥାରେ ଯୋଗଦେଲେ। ସେହିଠାରୁ ହିଁ ଜୀବନ ସଫଳତମ ଯାତ୍ରା ଆରମ୍ଭ କରିଛନ୍ତି। ଏବେ ସେ ବହ୍ମାସ୍ତ୍ରରେ ନିଜ ହାତର ଯାଦୁଗରୀ ଦେଖାଇବା ସହ ଦର୍ଶକଙ୍କ ମନକୁ ଛୁଇଁପାରିଛନ୍ତି। ପ୍ରଥମଥର ପାଇଁ ବଲିଉଡରେ ଏପରି ଭିଜୁଆଲ ଇଫେକ୍ଟ କରାଯାଇଥିବା ସୁବ୍ରତ କହିଛନ୍ତି।ଏଥିପାଇଁ ବେଳେବେଳେ ୧୦ ଘଣ୍ଟା ମଧ୍ୟ ପରିଶ୍ରମ କରିବାକୁ ପଡିଛି। ପୂର୍ବରୁ ସୁବ୍ରତ ବିଘ୍ନହର୍ତା ଗଣେଶ, ତେନାଲି ରାମା, ସ୍ବରାଜ ସିରିଏଲ ସହ ପ୍ରଥମ ଚଳିଚ୍ଚିତ୍ର ଷ୍ଟେଟ ଅଫ୍ ସିଜରେ ଭିଜୁଆଲ ଇଫେକ୍ଟରେ ନିଜର ପ୍ରତିଭାକୁ ପ୍ରମାଣିତ କରିଥିଲେ। ଆଗକୁ ଆହୁରି ବଲିଉଡ୍‌ ଓ ହଲିଉଡ ଚଳଚ୍ଚିତ୍ରରେ କାମ କରି ନିଜକୁ ଭିଏଫଏକ୍ସ କ୍ଷେତ୍ରରେ ପ୍ରତିଷ୍ଠିତ କରିବାକୁ ସୁବ୍ରତ ଆଶା ରଖିଥିବା ବେଳେ ତାଙ୍କ ସଫଳତା ପାଇଁ ପରିବାର, ସାଙ୍ଗସାଥୀ ଓ ସହଯୋଗୀ ବେଶ ଖୁସି ଅଛନ୍ତି। ସେପଟେ ବର୍ତ୍ତମାନର ଯୁବପିଢ଼ି ଏହି କ୍ଷେତ୍ର‌ରେ ନିଜର କ୍ୟାରିୟର କରି ମଧ୍ୟ ନିଜକୁ ପ୍ରତିଷ୍ଠିତ କରିପାରିବେ ବୋଲି ସେ କହିଛନ୍ତି।

 

 

 

Leave A Reply

Your email address will not be published.