Latest Odisha News

BREAKING NEWS

ଅଭିଜିତ ଆୟାର ମିତ୍ରଙ୍କୁ କ୍ଷମା କରିଦେଲେ ଓଡ଼ିଶା ବିଧାନସଭା ଗୃହକମିଟି

ଅଭିଜିତ ଆୟାର ମିତ୍ରଙ୍କୁ କ୍ଷମା କରିଦେଲେ ଓଡ଼ିଶା ବିଧାନସଭା ଗୃହକମିଟି
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର, ଓଡ଼ିଶା ରାଜ୍ୟ, ଓଡ଼ିଶାର ବିଧାୟକ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ସାମ୍ବାଦିକଙ୍କୁ ନେଇ ସୋସିଆଲ୍ ମିଡ଼ିଆରେ ଅଶାଳୀନ ମନ୍ତବ୍ୟ ଦେଇ ଓଡ଼ିଶା ପୋଲିସ ଦ୍ୱାରା ଗିରଫ ହୋଇଥିବା ରିସର୍ଚ୍ଚ ସ୍କଲାର୍ ଅଭିଜିତ ଆୟାର ମିତ୍ରଙ୍କୁ ଶନିବାର ଦିନ ଓଡ଼ିଶା ବିଧାନସଭା ଗୃହ କମିଟି କ୍ଷମା କରିଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଓଡିଶା ବିଧାନସଭା ଗୃହ କମିଟିର ଅଧ୍ୟକ୍ଷ ତଥା ବିରୋଧି ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବାଚସ୍ପତିଙ୍କ ନିର୍ଦ୍ଦେଶକ୍ରମେ ସେ ଅଭିଜିତଙ୍କୁ ଗତକାଲି ଏସମ୍ପର୍କିତ ରିପୋର୍ଟ ପ୍ରଦାନ କରିଛନ୍ତି ।

“ ଅଭିଜିତ ଦେଇଥିବା ତାଙ୍କର ଅଶାଳୀନ ମନ୍ତବ୍ୟ ଲାଗି ପୂର୍ବରୁ ପୂର୍ବରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିସାରିଛନ୍ତି, ସେଥିଲାଗି ତାଙ୍କୁ ଗୃହ କମିଟି କ୍ଷମା କରିଦେଲା । ଆଜି ଏହି ରିପୋର୍ଟଟିକୁ ବିଧାନସଭାରେ ଉପସ୍ଥାପନ କରାଯାଇଥିଲା ଏବଂ ବିଧାନସଭା ସର୍ବସମ୍ମତ ଭାବେ ତାଙ୍କୁ କ୍ଷମା କରିଦେବାକୁ ନିଷ୍ପତ୍ତି ନେଇଥିଲେ,”ବୋଲି କହିଛନ୍ତି ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ।

ସେ ସୂଚନାଦେଇ ଆହୁରି ମଧ୍ୟ କହିଛନ୍ତି, ଗୃହ କମିଟି ଓଡ଼ିଶା ସମ୍ପର୍କରେ ଭଲଭାବେ ଅବଗତ ହେବାକୁ ପରାମର୍ଶ କରିଛନ୍ତି, ଏଥିସହିତ ଅଭିଜିତଙ୍କୁ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ସମ୍ପର୍କିତ ପୁସ୍ତକ ଦେବାକୁ ଗୃହ କମିଟି ସ୍ଥିର କରିଛି । ଅଭିଜିତଙ୍କୁ ଓଡ଼ିଶାର କଳା, ଭାସ୍କର୍ଯ୍ୟ, ପରମ୍ପରା ଓ ସଂସ୍କୃତି ସମ୍ପର୍କୀତ ପୁସ୍ତକ ତୁରନ୍ତ ପ୍ରଦାନ କରିବାକୁ ଓଡ଼ିଶା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଗୃହ କମିଟି ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି । ଗୃହକମିଟି ତାଙ୍କୁ କ୍ଷମା କରିଦେବା ପରେ ଗତ ଅକ୍ଟୋବର ୨୩ରୁ ଓଡ଼ିଶା ପୋଲିସ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲରେ ରହିଥିବା ଅଭିଜିତ ଆୟାର ମିତ୍ର ଏବେ ମୁକ୍ତ ହେବେ ।

ଏହି ଘଟଣାକୁ ନେଇ ନିଷ୍ପତ୍ତି ନେବାକୁ ଗତ ସେପ୍ଟେମ୍ବର ୨୦ ତାରିଖରେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଆବାହକତ୍ୱରେ ଏକ ସର୍ବଦଳୀୟ ବୈଠକ ବସିଥିଲା । ଏହି ବୈଠକରେ ଏକ ଗୃହ କମିଟି ଗଠନ କରିବାକୁ ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା ।

ଗୃହ କମିଟି ବୈଠକରେ ବିଧାନସଭା ଶୀତାକାଳୀନ ଅଧିବେଶସନର ପ୍ରଥମ ଦିନରେ ଅଭିଜିତଙ୍କ ସମ୍ପର୍କରେ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିଷ୍ପତି ହୋଇଥିଲା ।

ଋିସର୍ଚ୍ଚ ସ୍କଲାର ଅଭିଜିତ ଆୟାର ମିତ୍ର ଅକ୍ଟୋବର ୨୩ ତାରିଖ ଦିନ ଗୃହ କମିଟି ଆଗରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିଥିଲେ । ଗୃହ କମିଟିରେ ହାଜର ହେବା ପରେ ସେହିଦିନ ସହିଦନଗର ପୋଲିସ ତାଙ୍କୁ ଗିରଫ କରିଥିଲା ଏବଂ ସେହିଦିନ ହିଁ ଏସଡ଼ିଜିଏମ କୋର୍ଟରେ ହାଜର ହୋଇଥିଲେ ଅଭିଜିତ । କୋର୍ଟରେ ତାଙ୍କର ଜାମିନ ଆବେଦନକୁ ଅଗ୍ରାହ୍ୟ କରିବା ଫଳରେ ପୋଲିସ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦେଇଥିଲେ ।

Leave A Reply

Your email address will not be published.