Latest Odisha News

BREAKING NEWS

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା: ବିଜୟ

ରୋଷ ଘରେ ଚୁଲି ଭାଙ୍ଗିବା ଏବଂ ଐତିହ୍ୟ ପ୍ରକଳ୍ପର କାମକୁ ନେଇ ମଧ୍ୟ ସରକାରକୁ ଘେରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରସଙ୍ଗରେ ଛନ୍ଦି ହୋଇଯାଇଛନ୍ତି ସରକାର । ଗୋଟିଏ ପଟେ ଐତିହ୍ୟ କରିଡର ନାଁରେ ଚାଲିଥିବା ଖନନ କାର୍ଯ୍ୟ, ରୋଷ ଶାଳର ଚୁଲି ଭାଙ୍ଗିବା ଏବଂ ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତିରେ ଆଇନ୍ ଉଲ୍ଲଂଘନ ହୋଇଥିବା କହି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ସୋମବାର ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତିରେ ସରକାର ସୁପ୍ରିମକୋର୍ଟଙ୍କ ନିୟମକୁ ଉଲ୍ଲଂଘନ କରିଛନ୍ତି। ସୁପ୍ରିମକୋର୍ଟ ନଭେମ୍ବର ୪, ୨୦୧୯ରେ ଏକ ନିର୍ଦ୍ଦେଶରେ କହିଥିଲେ,ମନ୍ଦିରର ଯିଏ ମୁଖ୍ୟ ପ୍ରଶାସକ ହେବେ ସେ ଫୁଲ ଟାଇମ୍ କାର୍ଯ୍ୟ ଭାର ନେବେ । କାହାକୁ ଅତିରିକ୍ତ ଦାୟିତ୍ୱ ଦେଇହେବନି । କିନ୍ତୁ ନବ ନିଯୁକ୍ତ ବୀର ବିକ୍ରମ ଯାଦବ ଖାଦ୍ୟ ଓ ଯୋଗାଣ ବିଭାଗର ମୁଖ୍ୟ ସଚିବ ଥିବା ବେଳେ ଶ୍ରୀମନ୍ଦିର ଦାୟିତ୍ୱ କିପରି ଦିଆଗଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ସେହିପରି ବିକ୍ରମଙ୍କ ପାଖରେ ଆହୁରି ୪ଟି ବିଭାଗ ରହିଛି । ତେଣୁ ନିଯୁକ୍ତି ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରାଯାଇଛି ବୋଲି ବିଜୟ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ପ୍ରସଙ୍ଗରେ ସମୀକ୍ଷା କରି ବିହିତ ପଦକ୍ଷେପ ନେବା ଦରକାର । ଆରଡିସି ସ୍ତରର ଅଫିସର ମୁଖ୍ୟ ପ୍ରଶାସକ ଭାବେ ଦାୟୀତ୍ୱରେ ରହିବା କଥା ବୋଲି ସେ କହିଛନ୍ତି।

ସେହିପରି ଶ୍ରୀମନ୍ଦିରର ରୋଷଶାଳରେ ଦେଖାଦେଇଥିବା ଅଘଟଣକୁ ନେଇ ବର୍ଷିଛନ୍ତି ବିଜୟ । ରୋଷ ଘରେ ଚୁଲା ଭାଙ୍ଗିବା ମନ୍ଦିର ଭିତରେ ଥିବା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କିପରି ଦୁର୍ବୃତ୍ତ ରୋଷ ଘରେ ପଶି ଚୁଲି ଭାଙ୍ଗିଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ମନ୍ଦିର ଓ ଜିଲ୍ଲା ପ୍ରଶାସନ ତିନି ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲା । ତା ସତ୍ୱେ ବି ଏଭଳି ଘଟଣା ଘଟିଲା । ସେଥିପାଇଁ ଜିଲ୍ଲା ଓ ମନ୍ଦିର ପ୍ରଶାସନ ଦାୟୀ । ତାଙ୍କ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ କହିଛନ୍ତି। ଜଣେ ଏସପି ରାଙ୍କର ଅଫିସର ସୁରକ୍ଷା ଦାୟିତ୍ୱରେ ଏହା ରହିବା କଥା । କିନ୍ତୁ କେହି ନାହାନ୍ତି ଏବଂ ଘଟଣା ଦିନ ମଧ୍ୟ ସୁରକ୍ଷା ଅଧିକାରୀ କେହି ନଥିଲେ ବୋଲି ସେ କହିଛନ୍ତି।

ସେହିପରି ଐତିହ୍ୟ କରିଡରର ଚତୁପାର୍ଶ୍ୱରେ ଚାଲିଥିବା ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏହି ବିଜେପି ନେତା । ସଂସଦରେ ଏହି ପ୍ରସଙ୍ଗ ଉଠିବା ପରେ ମଧ୍ୟ ଏଏସଆଇ ଓ ଏନଏମଏ ଚୁପ ବସିଛନ୍ତି । ତେଣୁ ଏହା ଉଭୟଙ୍କର ଚରମ ଅବହେଳା । ଏଏସଆଇ କୌଣସି ଏକ୍ସପର୍ଟ ଟିମ ନପଠାଇ ମଧ୍ୟ ଭୁଲ କରୁଛନ୍ତି । ଏଏସଆଇ ଓ ଏନଏମଏ ତୁରନ୍ତ ତୁରନ୍ତ ଟିମ୍ ପଠାନ୍ତୁ। ଗାତ ଖୋଳିବା ସ୍ଥାନରେ ଏବେ ଟ୍ରକରେ ବାଲି ଆଣି ଭର୍ତ୍ତି କରାଯାଉଛି । ଏପରି କରି ବେଆଇନ କାମକୁ ବନ୍ଦ କରିବାକୁ ପ୍ରୟାସ ହେଉଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.