Latest Odisha News

ବଜେଟକୁ ନବୀନଙ୍କ ସମାଲୋଚନା; ରାଜ୍ୟ ବିକାଶରେ ଫେଲ୍ ମାରିଛି ଡବଲ ଇଞ୍ଜିନ ସରକାର

ଭୁବନେଶ୍ୱର: ସୋମବାର ବିଧାନସଭାରେ ୨୦୨୫-୨୬ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋଟ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ରହିଛି ଚଳିତ ବଜେଟ୍ । ରାଜ୍ୟ ବଜେଟ୍‌ ଆସିବା ପରେ ପ୍ରତିକ୍ରିୟା ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ନବୀନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ବିକାଶରେ ଡବଲ ଇଞ୍ଜିନ ସରକାର ଫେଲ ମାରିଛି । ଡବଲ ଇଞ୍ଜିନ ସରକାର ବିପରୀତ ଦିଗରେ ଗତି କରୁଛି । ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ହ୍ରାସ ପାଇଛି । ଆଉ ଏହି ସରକାରରେ ଦୁର୍ବଳ ହୋଇଛି ଅର୍ଥନୀତି ।
ସାଧାରଣ ଲୋକେ ଦରବୃଦ୍ଧିରେ ହନ୍ତସନ୍ତ ହେଉଛନ୍ତି । ବେରୋଜଗାରୀ ବୃଦ୍ଧି ପାଉଛି । ମିଶନ ଶକ୍ତି ମହିଳାମାନେ ଦୁର୍ଦ୍ଦିନରେ ଅଛନ୍ତି । ମିଶନ ଶକ୍ତିରେ କାମ ପାଉ ନାହାନ୍ତି । ଗତ ବଜେଟର ଅନେକ ଅନୁଦାନ ଏଯାଏଁ ଖର୍ଚ୍ଚ ହୋଇନି । ଶିଳ୍ପ ବିକାଶ ସହ ଅର୍ଥନୀତି ଖସୁଛି । ଅର୍ଥ ଖର୍ଚ୍ଚ କରି ନ ପାରିଲେ ବଜେଟ୍ ଅର୍ଥହୀନ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।

ନବୀନ ପୁଣି କହିଛନ୍ତି, ଅତ୍ୟାବଶକୀୟ ସାମଗ୍ରୀର ଦରଦାମ ସମସ୍ତଙ୍କୁ ପ୍ରଭାବିତ କରୁଛି । ଚାଷୀ ହଇରାଣ ହେଉଛନ୍ତି । ରିଭର୍ସ ଗିଅରରେ ସରକାର ଚାଲଛି । ବଜେଟରେ ଏତେ ଟଙ୍କା ଘୋଷଣା କରିବା ବଡ଼ କଥା ନୁହେଁ । ଏହା କାର୍ଯ୍ୟକାରୀ କରିବା ଦରକାର । ଯାହା ରାଜ୍ୟର ବିକାଶରେ କାମ ଆସିବ । ଏହି ବଜେଟ୍‌ ଯେଉଁ କାମ ପଇଁ ବ୍ୟୟ ବରାଦ ହୋଇଛି ସେଥିପାଇଁ ଖର୍ଚ୍ଚ ହେବା ଦରକାର । ଆମେ ଏହା ଉପରେ ଆମର ନଜର ରହିବ ବୋଲି ବିରୋଧୀ ଦଳ ନେତା କହିଛନ୍ତି ।

Comments are closed.