Latest Odisha News

BREAKING NEWS

ନବ ଦାସ ହତ୍ୟା ଚାର୍ଜସିଟକୁ ନେଇ ନାଖୁସ୍ ତାରା, କହିଲେ ‘ବଡ଼ବଡ଼ିଆ ସାମିଲ୍ ଥିବାରୁ ତଦନ୍ତ ବାଟବଣା’

ଭୁବନେଶ୍ୱର: ନବୀନ ଖୁସି ଥିବେ ମୁଁ ନୁହଁ । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ଏମିତି ଢ଼ଙ୍ଗରେ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ରବିବାର ଚାର୍ଜସିଟ୍ ଉପରେ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ବାହିନୀପତି କହିଛନ୍ତି, କ୍ରାଇମବ୍ରାଞ୍ଚ ଦାଖଲ୍ କରିଥିବା ଚାର୍ଜସିଟ୍ ଗ୍ରହଣୀୟ ନୁହେଁ ।

କ୍ରାଇମବ୍ରାଞ୍ଚର ତଦନ୍ତ ଶୈଳୀକୁ ନା ପସନ୍ଦ କରିବା ସହ ତାରା କହିଛନ୍ତି, ହୁଏତ ଚାର୍ଜସିଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ଥିବେ, ମୁଁ କିନ୍ତୁ ଆଦୌ ଖୁସି ନୁହେଁ । ଶୁକ୍ରବାର କ୍ରାଇମବ୍ରାଞ୍ଚ ଦେଇଥିବା ଚାର୍ଜସିଟ୍ ଗ୍ରହଣୀୟ ନୁହେଁ । ଏତେବଡ଼ ହାଇପ୍ରୋଫାଇଲ୍ ହତ୍ୟା କାହିଁକି ହେଲା ? ଷଡ଼ଯନ୍ତ୍ର କିଏ କରିଥିଲା ? ଚାର୍ଜସିଟରେ କିଛି ନାହିଁ ।

ଯଦି ଏଏସ୍ଆଇ ଗୋପାଳ ବ୍ୟକ୍ତିଗତ ଶତ୍ରୁତା ଲାଗି ନବଙ୍କୁ ହତ୍ୟା କରିଛି । ତାହେଲେ ସେ ବ୍ୟକ୍ତିଗତ ଶତ୍ରୁତାର କାରଣ କଣ ? ସେନେଇ ବି ଚାର୍ଜସିଟରେ କ୍ରାଇମବ୍ରାଞ୍ଚ କିଛି ବି ଉଲ୍ଲେଖ କରି ନାହିଁ । ନବ ଦାସ ଜଣେ ଜଣାଶୁଣା ନେତା ଥିଲେ, କୌଣସି ଅପରାଧୀ ନଥିଲେ । କାହିଁକି ଜଣେ ରାଗି ଯାଇ ଦିନ ଦ୍ୱିପ୍ରହରରେ ତାଙ୍କୁ ହତ୍ୟା କଲା ।

ନବ ଓ ଗୋପାଳଙ୍କ ମଧ୍ୟରେ କଣ ଘଟିଥିଲା ସେ କଥା ବି ଚାର୍ଜସିଟରେ ଉଲ୍ଲେଖ ନାହିଁ । ତାରା ଏହାକୁ ଯୋଜନାବଦ୍ଧ ହତ୍ୟା କହିବା ସହ ଏହା ପଛରେ ଗଭୀର ଷଡ଼ଯନ୍ତ୍ର ହୋଇଥିବା କହିଛନ୍ତି । ଯାହାକି ଚାର୍ଜସିଟରେ ନାହିଁ । ଏସ୍ଆଇଟି ତଦନ୍ତ କରିବାକୁ କଂଗ୍ରେସ ପୁଣି ଥରେ ଦାବି କରିଛି ।

ସୂଚନା ଯୋଗ୍ୟ, ନବ ଦାସଙ୍କ ହତ୍ୟାକୁ ପ୍ରାୟ ୪ ମାସ ପୂରିଥିବା ବେଳେ ଶୁକ୍ରବାର କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ ଝାରସୁଗୁ଼ଡ଼ା ଜେଏମଏଫସି କୋର୍ଟରେ ଦାଖଲ କରିଥିଲା । ଗୋପାଳ ଦାସ ବିରୋଧରେ ଦାଖଲ ଚାର୍ଜସିଟରେ ବ୍ୟକ୍ତିଗତ ରାଗରୁ ଗୋପାଳ, ନବଙ୍କୁ ମାରିଥିବା ଉଲ୍ଲେଖ ଥିଲା ।

Leave A Reply

Your email address will not be published.