Latest Odisha News

BREAKING NEWS

ସାହସୀ ସାମ୍ବାଦିକ ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି, ବିଭିନ୍ନ ମହଲରେ ଶୋକ

ଭୁବନେଶ୍ୱର: ଆଉ ନାହାନ୍ତି ଯୁବ ସାମ୍ବାଦିକ ତଥା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ । କଟକ ମୁଣ୍ଡଳିରେ ହୋଇଥିବା ବୋଟ୍ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଯାଇଛି । ମହାନଦୀରେ କଟକ ମୁଣ୍ଡଳି ବ୍ୟାରେଜ୍‌ରେ ଆଜି ଏକ ଦନ୍ତା ହାତୀ ଫସି ଯାଇଛି। ତାକୁ ଉଦ୍ଧାର କରିବା ପାଇଁ ଅପରେସନ୍ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାର ରିପୋର୍ଟିଂ କରିବାକୁ ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ସେଠାକୁ ଯାଇଥିଲେ ।

ଆଉ ହାତୀ ପାଖାପାଖି ବୋଟ୍‌ଟି ପହଞ୍ଚିବା ପରେ ହଠାତ୍ ନିୟନ୍ତ୍ରଣ ହରାଇ ସେଠାରେ ଓଲଟି ପଡ଼ିଥିଲା । ବୋଟ୍‌ଟି ଓଲଟି ପଡ଼ିବା ପରେ ଦୀର୍ଘ ସମୟ ଧରି ଅରିନ୍ଦମ ପାଣି ଭିତରେ ସଂଘର୍ଷ କରିଥିଲେ । ଶେଷରେ ତାଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଦଇବ କିଛି ଅଲଗା ଲେଖି ରଖିଥିଲା। କଟକ ବଡ଼ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ପ୍ରାୟ ୧୫ ବର୍ଷର ସାମ୍ବାଦିକତା ଜୀବନ । ଅରିନ୍ଦମ ଥିଲେ ଖୁବ୍ ସାହସୀ । ଢେଙ୍କାନାଳ ସ୍ଥିତ ଆଇଆଇଏମ୍‌ସିରୁ ସାମ୍ବାଦିକତା ପାଠ୍ୟକ୍ରମ ପରେ ସେ ଦୈନିକ ଖବର କାଗଜ ‘ଧରିତ୍ରୀ’ରୁ କ୍ରାଇମ୍ ରିପୋର୍ଟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ । କ୍ରାଇମ୍ ରିପୋର୍ଟର ଭାବେ ତାଙ୍କ ପାଖରେ ବହୁତ ତଥ୍ୟ ରହୁଥିଲା । ପରେ ସେ ଓଟିଭିକୁ ଆସିଥିଲେ । ପ୍ରାୟ ୧୦ ବର୍ଷ ଧରି ସେ ଓଟିଭିରେ ବିଭିନ୍ନ ବିଟ୍‌ରେ ରିପୋର୍ଟିଂ କରିଛନ୍ତି । ଖାଲି ଏତିକି ନୁହେଁ ବିଭିନ୍ନ ପ୍ରସଙ୍ଗରେ ଗ୍ରାଉଣ୍ଡ ରିପୋର୍ଟିଂ କରିବାରେ ସେ ଖୁବ୍ ମାହିର ଥିଲେ । ଆଜିଠୁ ଟିଭି ପରଦାରେ ଆଉ ଦେଖିବାକୁ ମିଳିବେନି ଅରିନ୍ଦମ୍ । ସାମ୍ବାଦିକତା ଜଗତ ପାଇଁ ମଧ୍ୟ ଏକ ବଡ଼ କ୍ଷତି, ଯାହା ସର୍ବଦା ଅପୂରଣୀୟ ହୋଇ ରହିବ । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ଲେଖିଛନ୍ତି, ଓଟିଭିର ଯୁବ ସାମ୍ବାଦିକ ତଥା ମୋର ବନ୍ଧୁ ଅରିନ୍ଦମ ଦାସଙ୍କ ଏକ ଅଭାବନୀୟ ଘଟଣାରେ ଅକାଳ ବିୟୋଗ ଖବର ଶୁଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ । ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଅରିନ୍ଦମଙ୍କ ସହ ବହୁ ଥର ଦେଖା ସାକ୍ଷାତ ହୋଇଛି । ବିଭିନ୍ନ ସମୟରେ ଦୁଃସାହାସିକ ରିପୋର୍ଟିଂ କରି ସେ ଓଡ଼ିଆ ଗଣମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ। ତାଙ୍କର ଅକାଳ ବିୟୋଗ ଓଡ଼ିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ ଶୂନ୍ୟସ୍ଥାନ ତିଆରି କରିଛି। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ।

ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ତାଙ୍କ ମୃତ୍ୟୁ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଟ୍ୱିଟ୍ କରି ଲେଖିଛନ୍ତି, ଅପରେସନ ଗଜରାଜ ସମୟରେ ଓଡ଼୍ରାଫ ବୋଟ ଦୁର୍ଘଟଣାରେ ନିଜର ଜୀବନ ଉତ୍ସର୍ଗ କରିଥିବା ଗଣମାଧ୍ୟମ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଖବର ଶୁଣି ଦୁଃଖିତ । ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରୁଅଛି। ପରିବାରଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ହାତୀ ଉଦ୍ଧାର ଘଟଣାର ରିପୋର୍ଟ କରିବା ସମୟରେ ଓଡ୍ରାଫ୍ ବୋଟ୍ ଦୁର୍ଘଟଣାରେ ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ସାବଧାନତା ସତ୍ତ୍ୱେ ତାଙ୍କ ଜୀବନ ଚାଲିଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଅରିନ୍ଦମଙ୍କ ଅକାଳ ମୃତ୍ୟୁ ହୋଇଛି । ଏବେବି ଓଡ୍ରାଫ୍ ଟିମର ଅନ୍ୟ ଜଣେ ସଦସ୍ୟ ନିଖୋଜ ଅଛନ୍ତି । ନିଖୋଜ ମୁର୍ମୁଙ୍କୁ ଓଡ୍ରାଫ୍ ସହ ଏନଡିଆରଏଫ୍ ଟିମ୍ ଖୋଜାଖୋଜି କରୁଛନ୍ତି ।

Leave A Reply

Your email address will not be published.