Latest Odisha News

BREAKING NEWS

ଓଡିଶା ରଣଜୀ ଟିମ ପାଇଁ ନକଆଉଟ ପ୍ରବେଶ ହୋଇଯିବ କି ସ୍ୱପ୍ନ

ଭୁବନେଶ୍ୱର: ଓଡିଶାରେ ଅନେକ ପ୍ରତିଭାବାନ କ୍ରିକେଟର ଥିଲେ ମଧ୍ୟ ରଣଜୀ ଟ୍ରଫିରେ ସେମାନଙ୍କ ପ୍ରଦର୍ଶନ କ୍ରୀଡାପ୍ରେମୀଙ୍କୁ ନିରାଶ କରୁଛି । ୨୦୧୯ ପରଠାରୁ ଓଡିଶା ରଣଜୀ ଟ୍ରଫିର ନକଆଉଟରେ ପ୍ରବେଶ କରିପାରି ନାହିଁ । ଆଗକୁ ଏହା କଣ କ୍ରୀଡାପ୍ରେମୀଙ୍କ ପାଇଁ ସ୍ୱପ୍ନ ସଦୃଶ ହୋଇଯିବ କି ? ଘରୋଇ ପରିବେଶରେ ୩୫୦ରୁ ଊର୍ଦ୍ଧ୍ୱ ରନ ପିଛା କରୁଥିବା ସର୍ଭିସେସ ଟିମ ବିପକ୍ଷରେ ଦଳର ପ୍ରଦର୍ଶନ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବ୍ୟାଟିଂ, ବୋଲିଂ ସବୁଥିରେ ଓଡିଶା ଖେଳାଳିଙ୍କ ପ୍ରଦର୍ଶନରେ ସ୍ଥିରତା ନ ଥିଲା । ଗ୍ରୁପ ପର୍ଯ୍ୟାୟରେ ଓଡିଶା ଷଷ୍ଠ ସ୍ଥାନରେ ରହି ଅଭିଯାନ ଶେଷ କରିଛି ।

ସନ୍ଦୀପ ପଟ୍ଟନାୟକ ୬ଟି ମ୍ୟାଚରୁ ୪୩୫ ରନ କରି ଅନ୍ୟମାନଙ୍କ ତୁଳନାରେ ଭଲ ପ୍ରଦର୍ଶନ କରିଛନ୍ତି । ଏଥିରେ ଗୋଟିଏ ଶତକ ମଧ୍ୟ ରହିଛି । ସିନିୟର ଖେଳାଳି ଗୋବିନ୍ଦ ପୋଦ୍ଦାର ୧୧ ଇନିଂସରେ ୩୬୫ ଓ ଆଶୀର୍ବାଦ ସ୍ୱାଇଁ ୩୪୨ ରନ କରିଛନ୍ତି । ସନ୍ଦୀପ ଆମର ଟପ ସ୍କୋରର ହୋଇଥିବା ବେଳେ ସେ କିନ୍ତୁ ରଣଜୀରେ ଓଭରାଲ ୪୫ତମ ସ୍ଥାନରେ ରହିଛନ୍ତି । ଗୋବିନ୍ଦ ୮୩ ଓ ଆଶୀର୍ବାଦ ୮୯ତମ ସ୍ଥାନରେ ରହିଛନ୍ତି । ମଧ୍ୟପ୍ରଦେଶର ଶୁଭମ ଶର୍ମା (୯୪୩), ହାଇଦ୍ରାବାଦର ତନ୍ମୟ ଅଗ୍ରୱାଲ(୯୩୪) ଓ ଛତିଶଗଡର ଆୟୂଷ ପାଣ୍ଡେ ୭୪୪ ରନ ସଂଗ୍ରହ କରିଛି । ଏମାନଙ୍କ ପ୍ରଦର୍ଶନ ବିଚାରକୁ ନେଲେ ଆମ ବ୍ୟାଟ୍ସମ୍ୟାନ ବହୁତ ପଛରେ ପଡିଥିବା ଭଳି ଅନୂଭବ ହେଉଛି । ସେହିପରି ବୋଲିଂରେ ସୁମିତ ଶର୍ମା(୧୭), ଗୋବିନ୍ଦ( ୧୩) ଓ ସୁନୀଲ ରାଉଳ ୧୧ ୱିକେଟ ନେଇଛନ୍ତି ।

ଜାତୀୟ ତାଲିକାରେ ସୁମିତଙ୍କ ସ୍ଥାନ ୬୩ ରହିଛି । ଅପରପକ୍ଷରେ ଅନ୍ୟ ଟିମଗୁଡିକ ମଧ୍ୟରେ ବିଦର୍ଭା ହର୍ଷ ଦୁବେ (୫୫) ଓ ଜମ୍ମୁ ଏବଂ କଶ୍ମୀରର ଆକିବ ନକଭୀ ୩୮ ୱିକେଟ ହାସଲ କରିଛନ୍ତି । ବିଦର୍ଭ ଓ ଜମ୍ମୁ ଏବଂ କଶ୍ମୀରର ଖେଳାଳିମାନଙ୍କ ସଫଳତା ଆମଠାରୁ ଆଗରେ ରହିଛି । ଦଳଗତ ପ୍ରଦର୍ଶନରେ ଓଡିଶା ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହିଁ । ତେବେ ଏଥିପାଇଁ ଦାୟୀ କିଏ ? ଚୟନ କମିଟି ହାତମୁଠାରେ ଥିବା ଖେଳାଳିଙ୍କ ବେଶ ଅଦଳବଦଳ କରିଛନ୍ତି । ମାତ୍ର ସେଭଳି ଫାଇଦା କିଛି ହୋଇନି । ଦକ୍ଷ ଯୁବ ଖେଳାଳିଙ୍କୁ ବାଛିବାରେ ଚୟନ କମିଟି ଝୁଂଟି ପଡୁଛି କି ? ଆଗକୁ ନାମ ଅପେକ୍ଷା ଚୟନ କମିଟି ଖେଳାଳିଙ୍କ ଫର୍ମ ଏବଂ ଫିଟନେସ ଉପରେ ଧ୍ୟାନ ଦେବ ବୋଲି ଆଶା କରାଯାଉଛି ।

Comments are closed.