Latest Odisha News

BREAKING NEWS

Odisha Delimitation: ବଦଳିବ ଓଡିଶାର ମାନଚିତ୍ର! କେଉଁ ଜିଲ୍ଲାକୁ ମିଳିବ ନୂଆ ସାଂସଦ? ୨୨୦ରୁ ୨୨୧ ହୋଇପାରେ ବିଧାନସଭା ସିଟ୍!

ଭୁବନେଶ୍ୱର: ଓଡ଼ିଶାର ରାଜନୈତିକ ଚିତ୍ର ବଦଳାଇ ଦେଇପାରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନୂଆ ସୀମା ନିର୍ଦ୍ଧାରଣ ବିଲ୍ ବା ଡିଲିମିଟେସନ୍ ବିଲ୍। ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବଢ଼ାଇବା ସହ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗୁ କରିବାକୁ ଏଥିରେ ପ୍ରସ୍ତାବ ରହିଛି। ଏହା ଲାଗୁ ହେଲେ ଓଡ଼ିଶାରେ କେବଳ ଆସନ ସଂଖ୍ୟା ବଢ଼ିବ ନାହିଁ, ବରଂ ନିର୍ବାଚନମଣ୍ଡଳୀର ଭୌଗୋଳିକ ସୀମା ମଧ୍ୟ ବଦଳିପାରେ। ତେବେ କେଉଁ ଜିଲ୍ଲାର ରାଜନୈତିକ ଗୁରୁତ୍ୱ ବଢ଼ିବ? ଆସନ୍ତୁ ଜାଣିବା ପୂରା ଚିତ୍ର।

ବର୍ତ୍ତମାନ ଓଡ଼ିଶାରେ ୨୧ଟି ଲୋକସଭା ଆସନ ରହିଛି। ପ୍ରସ୍ତାବ ଅନୁସାରେ ପ୍ରତ୍ୟେକ ରାଜ୍ୟର ଲୋକସଭା ଆସନ ୫୦ ପ୍ରତିଶତ ବଢ଼ିବ। ଏହି ହିସାବରେ ଓଡ଼ିଶାର ଆସନ ୩୧.୫ ହେଉଛି। ତେଣୁ ନୂଆ ଆସନ ସଂଖ୍ୟା ୩୧ ନା ୩୨ ହେବ, ତାହା ଚୂଡ଼ାନ୍ତ ନିୟମ ଓ ସୀମା ନିର୍ଦ୍ଧାରଣ କମିଶନଙ୍କ ନିଷ୍ପତ୍ତି ପରେ ସ୍ପଷ୍ଟ ହେବ। ସେହିପରି ଓଡ଼ିଶା ବିଧାନସଭାରେ ବର୍ତ୍ତମାନ ୧୪୭ଟି ଆସନ ରହିଛି। ୫୦ ପ୍ରତିଶତ ବୃଦ୍ଧି ହେଲେ ଏହା ୨୨୦.୫ ହେବ। ଯାହାକୁ ନେଇ ୨୨୦ରୁ ୨୨୧ଟି ଆସନ ହେବା ନେଇ ଆକଳନ ପ୍ରକାଶ ପାଇଛି। ଅର୍ଥାତ୍ ରାଜ୍ୟରେ ପ୍ରାୟ ୭୩ରୁ ୭୪ଟି ନୂଆ ବିଧାନସଭା ଆସନ ଯୋଡ଼ି ହୋଇପାରେ।

କେଉଁ ଜିଲ୍ଲାରେ କେତେ ବଢ଼ିବ ଆସନ?

ତେବେ ପ୍ରଥମେ ଦକ୍ଷିଣ ଓଡ଼ିଶାରୁ ଆରମ୍ଭ କରିବା। କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ନେଇ ବର୍ତ୍ତମାନ ୨ଟି ଲୋକସଭା ଆସନ ରହିଛି। ନୂଆ ଆକଳନ ଅନୁସାରେ ଏଠାରେ ଆଉ ଗୋଟିଏ ଲୋକସଭା ଆସନ ବଢ଼ିପାରେ। କୋରାପୁଟର ବିଧାନସଭା ଆସନ ୫ରୁ ୭ କିମ୍ବା ୮, ରାୟଗଡ଼ାର ୪ରୁ ୬, ନବରଙ୍ଗପୁରର ୪ରୁ ୬ ଏବଂ ମାଲକାନଗିରିର ୨ରୁ ୩ ହୋଇପାରେ। ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସବୁଠୁ ଅଧିକ ୧୩ଟି ବିଧାନସଭା ଆସନ ରହିଛି। ଏହା ବଢ଼ି ୨୦ ହୋଇପାରେ। ଗଜପତିର ଆସନ ୨ରୁ ବଢ଼ି ୩ ହେବାର ଆକଳନ ରହିଛି। ଏହି ଦୁଇ ଜିଲ୍ଲାକୁ ନେଇ ଆଉ ଏକ ନୂଆ ଲୋକସଭା କ୍ଷେତ୍ର ଗଠନ ହୋଇପାରେ ବୋଲି ଆକଳନ କରାଯାଉଛି । ସେହିପରି ପଶ୍ଚିମ ଓଡ଼ିଶାରେ ବରଗଡ଼ର ବିଧାନସଭା ଆସନ ୭ କିମ୍ବା ତା’ଠାରୁ ଅଧିକ, ଝାରସୁଗୁଡ଼ାର ୩ ଏବଂ ସୁନ୍ଦରଗଡ଼ର ୧୦ ହୋଇପାରେ। ଏହି ଅଞ୍ଚଳରେ ଥିବା ୨ଟି ଲୋକସଭା ଆସନ ବଢ଼ି ୩ ହେବାର ସମ୍ଭାବନା ରହିଛି। ସମ୍ବଲପୁରର ବିଧାନସଭା ଆସନ ୪ରୁ ୬ ହୋଇପାରେ। ସମ୍ବଲପୁର ଓ ଦେବଗଡ଼କୁ ନେଇ ଗୋଟିଏ ଲୋକସଭା କ୍ଷେତ୍ର ଗଠନର ସମ୍ଭାବନା ରହିଛି। କେନ୍ଦୁଝରରେ ବିଧାନସଭା ଆସନ ୯ ଏବଂ ମୟୂରଭଞ୍ଜରେ ୧୩ରୁ ଅଧିକ ହୋଇପାରେ। ଏହି ଅଞ୍ଚଳରେ ନୂଆ ଲୋକସଭା କ୍ଷେତ୍ର ସୃଷ୍ଟି ହେବାର ମଧ୍ୟ ଆକଳନ ରହିଛି। ଉତ୍ତର ଓଡ଼ିଶାରେ ବାଲେଶ୍ୱରର ବିଧାନସଭା ଆସନ ୮ରୁ ୧୨ ଏବଂ ଭଦ୍ରକର ୫ରୁ ୭ ହୋଇପାରେ। ଉଭୟ ଜିଲ୍ଲାର ଆସନ ପୁନର୍ଗଠନ ହେଲେ ଆଉ ଗୋଟିଏ ନୂଆ ଲୋକସଭା କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। କଟକରେ ବର୍ତ୍ତମାନ ୯ଟି ବିଧାନସଭା ଆସନ ଥିବାବେଳେ ଏହା ୧୩ କିମ୍ବା ତା’ଠାରୁ ଅଧିକ ହୋଇପାରେ। କେନ୍ଦ୍ରାପଡ଼ାର ଆସନ ୭ କିମ୍ବା ଅଧିକ ଏବଂ ଜଗତସିଂହପୁରର ୬ ହୋଇପାରେ। ଏହି ତିନି ଜିଲ୍ଲାର ଆସନକୁ ନେଇ ଆଉ ଗୋଟିଏ ନୂଆ ଲୋକସଭା କ୍ଷେତ୍ର ସୃଷ୍ଟି ହେବାର ଆକଳନ ମଧ୍ୟ ରହିଛି। ଯାଜପୁରର ବିଧାନସଭା ଆସନ ୭ରୁ ବଢ଼ି ୧୦ କିମ୍ବା ୧୧ ହୋଇପାରେ। ଢେଙ୍କାନାଳର ୪ରୁ ୬ ଏବଂ ଅନୁଗୁଳର ୫ରୁ ୭ ହେବାର ସମ୍ଭାବନା ରହିଛି। ଏହି ଆସନ ବୃଦ୍ଧି ଫଳରେ ନୂଆ ଲୋକସଭା କ୍ଷେତ୍ର ଗଠନର ବାଟ ଖୋଲିପାରେ।

ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇପାରେ। ପୁରୀର ଆସନ ୬ରୁ ୯, ଖୋର୍ଦ୍ଧାର ୮ରୁ ୧୨ ଏବଂ ନୟାଗଡ଼ର ୪ରୁ ୬ ହେବାର ଆକଳନ କରାଯାଉଛି। ଏହି ତିନି ଜିଲ୍ଲାରେ ମୋଟ ୨୭ଟି ବିଧାନସଭା କ୍ଷେତ୍ର ହୋଇପାରେ। ବର୍ତ୍ତମାନର ୨ଟି ଲୋକସଭା ଆସନ ବଢ଼ି ୩ ହେବାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ କଳାହାଣ୍ଡିର ବିଧାନସଭା ଆସନ ୭ରୁ ଅଧିକ, ନୂଆପଡ଼ାର ୩, ବଲାଙ୍ଗୀରର ୭ରୁ ୮ ଏବଂ ସୋନପୁରର ୨ରୁ ୩ ହୋଇପାରେ। ଏହି ଚାରି ଜିଲ୍ଲାର ଆସନ ସଂଖ୍ୟା ୧୪ରୁ ବଢ଼ି ପ୍ରାୟ ୨୧ ହୋଇପାରେ। ଏହି ଅଞ୍ଚଳର ୨ଟି ଲୋକସଭା ଆସନ ବଢ଼ି ୩ ହେବାର ଆକଳନ ରହିଛି। ସେହିପରି କନ୍ଧମାଳରେ ୪ରୁ ୫ ଏବଂ ବୌଦ୍ଧରେ ୩ଟି ବିଧାନସଭା ଆସନ ହୋଇପାରେ।

ମହିଳା ଓ SC-ST ଆସନରେ ବି ବଡ଼ ପରିବର୍ତ୍ତନ!

ଆସନ ବୃଦ୍ଧି ସହ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ ହେଲେ ୩୧ଟି ଲୋକସଭା ଆସନ ମଧ୍ୟରୁ ପ୍ରାୟ ୧୦ଟି ଏବଂ ୨୨୦ଟି ବିଧାନସଭା ଆସନ ମଧ୍ୟରୁ ପ୍ରାୟ ୭୩ଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇପାରେ। SC-ST ବର୍ଗଙ୍କ ପାଇଁ ମଧ୍ୟ ଜନସଂଖ୍ୟା ଅନୁପାତ ଅନୁସାରେ ଆସନ ସଂରକ୍ଷଣ ପୁନଃନିର୍ଦ୍ଧାରଣ ହେବ।

ଓଡ଼ିଶାର ରାଜନୀତିରେ କାହାର ବଢ଼ିବ ପ୍ରଭାବ?

ନୂଆ ସୀମା ନିର୍ଦ୍ଧାରଣ ହେଲେ ବିଜେପି, ବିଜେଡି ଓ କଂଗ୍ରେସ ସମେତ ସବୁ ଦଳକୁ ନିଜ ନିର୍ବାଚନୀ ରଣନୀତି ବଦଳାଇବାକୁ ପଡ଼ିପାରେ। ନୂଆ ନିର୍ବାଚନମଣ୍ଡଳୀ ଗଠନ ହେଲେ ଅନେକ ନେତାଙ୍କ ରାଜନୈତିକ ଭାଗ୍ୟ ମଧ୍ୟ ବଦଳିଯିବ। ଅଧିକ ସାଂସଦ ଓ ବିଧାୟକ ମିଳିବା ଓଡ଼ିଶାର ସ୍ୱରକୁ ଜାତୀୟ ରାଜନୀତିରେ ଅଧିକ ଶକ୍ତିଶାଳୀ କରିପାରେ। ଅନ୍ୟପଟେ ନିର୍ବାଚନମଣ୍ଡଳୀ ପୁନର୍ଗଠନକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ନୂଆ ଲଢ଼େଇ ଆରମ୍ଭ ହୋଇପାରେ।

ତେବେ ଏହି ବିଲକୁ ନେଇ ପୂର୍ବରୁ ନବୀନ ପଟ୍ଟନାୟକ ଜନସଂଖ୍ୟା ଆଧାରରେ ଡିଲିମିଟେସନ୍ ହେଲେ ଓଡ଼ିଶାର ଜାତୀୟ ରାଜନୀତିରେ ଗୁରୁତ୍ୱ କମିପାରେ ବୋଲି ଆଶଙ୍କା ପ୍ରକାଶ କରିଥିଲେ। କିନ୍ତୁ ନୂଆ ପ୍ରସ୍ତାବରେ ସବୁ ରାଜ୍ୟର ଆସନ ୫୦ ପ୍ରତିଶତ ବୃଦ୍ଧି କରିବା କଥା ଆସିବା ପରେ ବିଜେଡିର ଆଭିମୁଖ୍ୟକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଦଳ ଏବେ ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନାହିଁ। ନବୀନ ପଟ୍ଟନାୟକ ବିଲ୍‌ର ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଦଳର ନେତାମାନେ କହିଛନ୍ତି। ସେପଟେ କଂଗ୍ରେସ ଓଡ଼ିଶାର ପ୍ରତିନିଧିତ୍ୱ ଅନୁପାତ କମିବା ଆଶଙ୍କା ପ୍ରକାଶ କରିଛି।

ତେବେ ନଭେମ୍ବର ୩୦ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ଆଗତ ହେବାକୁ ଯାଉଛି। କ୍ୟାବିନେଟ୍ ଏହାକୁ ଅନୁମୋଦନ କରିଛି। ତେବେ କେବଳ କ୍ୟାବିନେଟ୍ ଅନୁମୋଦନ ମାନେ ଆଇନ ଲାଗୁ ହୋଇଗଲା ନୁହେଁ। ସଂସଦରେ ଆବଶ୍ୟକ ସମର୍ଥନ, ଆଇନଗତ ପ୍ରକ୍ରିୟା ଏବଂ ସୀମା ନିର୍ଦ୍ଧାରଣ କମିଶନଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ପରେ ହିଁ ନୂଆ ନିର୍ବାଚନମଣ୍ଡଳୀ ଲାଗୁ ହେବ। ସରକାରଙ୍କ ଲକ୍ଷ୍ୟ ୨୦୨୯ ନିର୍ବାଚନରେ ମହିଳା ସଂରକ୍ଷଣ ଲାଗୁ କରିବା। ଯାହାପରେ ଏବେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.