Latest Odisha News

BREAKING NEWS

କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା

ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୧ହଜାର ଏବଂ ସିଜନାଲ୍ ଶ୍ରମିକ ଓ ପତ୍ର ବନ୍ଧାଳିଙ୍କ ପାଇଁ ୧୫ଶହ ଟଙ୍କା ଘୋଷଣା କରାଯାଇଛି । କେନ୍ଦୁପତ୍ର ଉପରେ ନିର୍ଭର କରୁଥିବା ରାଜ୍ୟରେ ଆଠ ଲକ୍ଷ ତୋଳାଳି ଓ କର୍ମଚାରୀ ଉପକୃତ ହେବେ । ସେମାନଙ୍କ ମଧ୍ୟରୁ ଅନେକ ଜନଜାତି ଶ୍ରେଣୀର ।

ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ ପ୍ରୟାସ ଜାରି ରଖିଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍ ଦେବାରେ ଓଡିଶା ପ୍ରଥମ ରାଜ୍ୟ । ଯାହା ଅନ୍ୟ ରାଜ୍ୟ ପାଇଁ ମଡେଲ ହୋଇଛି । ଗତ ସପ୍ତାହରେ କେନ୍ଦୁପତ୍ର ତୋଳାଳିଙ୍କ ସହିତ ତିନି ତିନି ଥର ଆଲୋଚନା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେମାନଙ୍କ ସ୍ୱାର୍ଥକୁ ଦେଖି ପ୍ୟାକେଜ୍ ଘୋଷଣା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଚରଣ ବିଧି ହଟିବା ପରେ ଏହି ଘୋଷଣା କାର୍ଯ୍ୟକାରୀ ହେବ । ସବୁ କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ । ସେମାନଙ୍କ ପିଲାଙ୍କୁ ବୃତ୍ତି ପ୍ରଦାନ କରାଯିବ । ମେଧାବୀ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ । ସର୍କଲ ଚେକର୍ସ ଓ ବାଇଣ୍ଡିଂ ଚେକର୍ସମାନଙ୍କ ଗ୍ରାଚୁଇଟି ଦେୟ ସାତଦିନରୁ ବୃଦ୍ଧି କରି ୧୫ ଦିନ କରାଯିବ । ସମସ୍ତ ତୋଳାଳିଙ୍କୁ ପରିଚୟପତ୍ର ମିଳିବ । କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ୧୮ ପ୍ରତିଶତ ଜିଏସଟି ଅଧିକ, ତେଣୁ ଏହାକୁ ଉଚ୍ଛେଦ କରିବାକୁ କେନ୍ଦ୍ରକୁ ନିବେଦନ କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

ଏପ୍ରିଲ ମାସରେ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ୧୨୦ କୋଟି ଟଙ୍କାର ବୋନସ୍ ଘୋଷଣା କରିଥିଲେ । ଏଥିରୁ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସାମୟିକ କର୍ମଚାରୀ ଲାଭବାନ୍ ହୋଇଥିଲେ । ଏହାସହିତ କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବି ରାଜ୍ୟ ସରକାର ୨୦୨୨ରେ ବୃଦ୍ଧି କରିଛନ୍ତି । ଫଳରେ ଏହି ଶିଳ୍ପ ଉପରେ ନିର୍ଭର କରୁଥିବା ସାଢେ ସାତ ଲକ୍ଷରୁ ବେଶୀ ଲୋକ ମୁଖ୍ୟତଃ ଜନଜାତି ମହିଳା ଉପକୃତ ହୋଇଥିଲେ।

Leave A Reply

Your email address will not be published.