Latest Odisha News

ବଢିଲା ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା, ୨୫ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର: ସର୍ଭିସ ପ୍ରୋଭାଇଡର ଏଜେନ୍ସି ଦ୍ଵାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି। ଏହି କର୍ମଚାରୀ ମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ଘୋଷଣା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣୀ ବ୍ୟବସ୍ଥା ତଥା ଠିକ୍‌ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ବିଷୟ ଅନ୍ତର୍ଭୁକ୍ତ।

ସୂଚନାଯୋଗ୍ୟ ଯେ ଏହି ଆଉଟସୋର୍ସିଂ କର୍ମଚାରୀ ମାନେ ସେମାନଙ୍କର ବିଭିନ୍ନ ଅସୁବିଧା ସଂପର୍କରେ ୫-ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଜଣାଇଥିଲେ । ସେହି ସମସ୍ତ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିମ୍ନୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେମାନଙ୍କ ମାସିକ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି । ଏଥିସହ ସେମାନେ ଯେପରି ମାସ ଶେଷକୁ ସେମାନଙ୍କର ପାରିଶ୍ରମିକ ଠିକ୍‌ ସମୟରେ ପାଇପାରିବେ, ଏହା ସୁନିଶ୍ଚିତ କରିବା ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଉଟସୋର୍ସିଂ କର୍ମଚାରୀ ଓ ସର୍ଭିସ ପ୍ରୋଭାଇଡର ଏଜେନ୍ସି ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଓଡିଶା ରାଜ୍ୟ ଆଉଟସୋର୍ସିଂ କର୍ମଚାରୀ (OMBUDSMAN) ଗଠନ ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଅଭିଜ୍ଞତା ଥିବା କାର୍ମଚାରୀ ମାନଙ୍କୁ ଅଧିକ ପାରିଶ୍ରମିକ ମିଳିବା ସହ ପ୍ରତି ପାଞ୍ଚ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକ ହଜାର ଟଙ୍କା ମିଳିବ। ଏଥିସହ ମହିଳା କର୍ମଚାରୀମାନେ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମର ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ବ ଛୁଟି ନେଇପାରିବେ । ଆଉଟସୋର୍ସିଂ କର୍ମଚାରୀ ତଥା ସେବା ପ୍ରଦାନକାରୀ ସଂସ୍ଥାଙ୍କର ଅଭିଯୋଗ ଶୁଣାଣୀ ପାଇଁ ପ୍ରତି ବିଭାଗରେ ଜଣେ ନୋଡାଲ ଅଫିସର ରହିବେ । ସେମାନଙ୍କର ଅଭିଯୋଗ ଦାଖଲର ସରଳୀକରଣ ପାଇଁ GA&PG Department, CMGI ଜରିଆରେ ଏକ Software Application ବିକଶିତ କରାଯିବ। ଯେଉଁଥିରେ କି ଉଭୟ କର୍ମଚାରୀ ଓ ଏଜେନ୍‌ସି ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ ।

ଯେଉଁ ଆଉଟସୋର୍ସିଂ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି, ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ। ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସବୁ ବିଭାଗ ସେବା ପ୍ରଦାନକାରୀ ସଂସ୍ଥା ମାନଙ୍କ ସହିତ ସପ୍ଲିମେଣ୍ଟାରୀ ଚୁକ୍ତି କରିବେ ।

Leave A Reply

Your email address will not be published.