Latest Odisha News

BREAKING NEWS

‘ଭାରତୀୟ କୃଷକ ଏବେ ସାରା ବିଶ୍ୱକୁ ଖାଦ୍ୟ ଯୋଗାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି’

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରେ ‘ଅନନ୍ୟା’ ଓ ଓୟୁଏଟିର ମିଳିତ ସହଭାଗୀତାରେ ‘ଜଳବାୟୁ ଉପଯୋଗୀ କୃଷି’ ଉପରେ ଏକ ଜାତୀୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ଡ଼ଃ ଏମ୍.ଏସ୍. ସ୍ୱାମୀନାଥନ କକ୍ଷରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଛି । ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗ ଦେଇ ଜଳବାୟୁ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।

ସେ କହିଛନ୍ତି ଜଳବାୟୁ ଓ କୃଷି ଅଙ୍ଗାଙ୍ଗୀ ଭାବେ ଜଡିତ ଓ ଏହା ଉପରେ ଜୀବିକା ନିର୍ଭରଶୀଳ ହୋଇ ରହିଛି । ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଆମର କୃଷିଠୁ ଆରମ୍ଭ କରି ଜୈବବିବିଧତା ପର୍ଯ୍ୟନ୍ତ ଯଥେଷ୍ଟ କ୍ଷତିଗ୍ରସ୍ତ ହୋଇଛି । ପାଣିପାଗ ଉପଯୋଗୀ ଗାଁ ମାନଙ୍କରେ ଅଭ୍ୟୁଥାନ ହେବା ସହ ସମନ୍ୱିତ ଫସଲ ଚାଷକୁ ଆପଣେଇଲେ ପରିବର୍ତ୍ତିତ ଜଳବାୟୁକୁ ସାମ୍ନା କରିବା ସହିତ କୃଷି ଉତ୍ପାଦନ ବଢ଼ିପାରିବ ବୋଲି କୁଳପତି ପରାମର୍ଶ ଦେଇଛନ୍ତି । ପରିବର୍ତ୍ତିତ ଜଳବାୟୁର ପ୍ରଭାବରୁ ମୁକ୍ତ ହୋଇ ସୁରକ୍ଷିତ କୃଷି ଦିଗରେ ଅଗ୍ରସର ହେବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରଫେସର ରାଉଳ ଗୁରୁତ୍ୱ ଦେଇଛନ୍ତି ।

ଏହି କର୍ମଶାଳା ର ଅନ୍ୟତମ ସମ୍ମାନିତ ଅତିଥି ଭାବେ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦାନ କରି କହିଥିଲେ ଯେ, ବର୍ତ୍ତମାନ ର ପରିସ୍ଥିତିରେ ଖାଦ୍ୟ ସୁରକ୍ଷା ଏବଂ ଖାଦ୍ୟ ନିରାପତ୍ତା ପାଇଁ ଜଳବାୟୁ ସ୍ମାର୍ଟ କୃଷି ଅନିର୍ବାଯ୍ୟ । ଅନନ୍ୟା ଏବଂ ଓୟୁଏଟି ଦ୍ଵାରା ଆଗକୁ ମଧ୍ୟ ଏଭଳି ପ୍ରୟାସ ଆଗକୁ କରାଯିବ ବୋଲି ଉଦବୋଧନ ରଖିବା ସହ ଜି-20 ରେ ପ୍ରଧାନମନ୍ତ୍ରୀ ଙ୍କ ଗ୍ଲୋବାଲ ୱାର୍ମିଂ ରୁ ଗ୍ଲୋବାଲ ୱାର୍ଣ୍ଣିଂ କଥା ମଧ୍ୟ ଅଭିଭାଷଣ ରେ ରଖିଥିଲେ ।

ଏହି ଅବସରରେ ସମ୍ମାନନୀୟ ଅତିଥି ଭାବେ ଭୁବନେଶ୍ୱର ନାବାର୍ଡର ମହାପ୍ରବନ୍ଧକ ସୁଧାଂଶୁ କେ କେ ମିଶ୍ର ଯୋଗ ଦେଇଥିଲେ । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଘରେ ଘରେ ଗୋପାଳନ, ବୃକ୍ଷରୋପଣ, ଧାନ ବିକଳ୍ପ ଚାଷ ବ୍ୟବସ୍ଥା ଉପରେ ଗୁରୁତ୍ତ୍ବ ଦେବା ଉପରେ ଆଲୋଚନା କରିଥିଲେ । ଫଳ, ପନିପରିବା, ମହୁମାଛି ପାଳନ ଅଧିକ ଅମଳ ପାଇବାର ସୂତ୍ର ବୋଲି ସେ ସୂଚନା ଦେଇଥିଲେ ।

ସେହିପରି, ସୋଆ ବିଶ୍ୱବିଦ୍ୟାଳୟର ଜଳବାୟୁ ଉପଯୋଗୀ କୃଷି କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଆର.କେ ପଣ୍ଡା ଜଳବାୟୁ ପରିବର୍ତ୍ତନ ଯୋଗୁଁ କୃଷିକ୍ଷେତ୍ର ହିଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ବୋଲି ମତ ରଖିଥିଲେ । ସମନ୍ୱିତ କୃଷି ପଦ୍ଧତି ଗ୍ରହଣ କରି ପରିବର୍ତ୍ତିତ ଜଳବାୟୁର କୁପ୍ରଭାବକୁ ଦୁରେଇ ପାରିବା ବୋଲି ସେ କହିଛନ୍ତି ।

ଆପେଡାର ସାଧାରଣ ପରିଚାଳକ ଭି.କେ ବିଦ୍ୟାର୍ଥୀ କହିଛନ୍ତି, ପରିବର୍ତ୍ତିତ ଜଳବାୟୁକୁ କେବଳ କୃଷକ ଓ କୃଷି ବୈଜ୍ଞାନିକମାନେ ସମାଧାନ କରିପାରିବେ । ଭାରତୀୟ କୃଷକ ଏବେ ସାରା ବିଶ୍ୱକୁ ଖାଦ୍ୟ ଯୋଗାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି ।

ଏହି ଅବସରରେ ଡ. ଦାମୋଦର ପରିଡାଙ୍କ ରଚିତ ସାହିତ୍ୟ ଓ ମୂଲ୍ୟବୋଧ ଶିକ୍ଷା ଉପରେ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ୬ ଜଣ ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନନ୍ୟା ର ଉପଦେଷ୍ଟା ଅମରେଶ୍ବର ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରାକ୍ତନ ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନନ୍ୟା ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅବିନାଶ ମହାନ୍ତି ତଥା ସଂଯୋଜକ ଅଧିକାରୀ ଅଭିଜୀତ ଭଟ୍ଟାଚାର୍ଯ୍ୟ ଏବଂ ପ୍ରଫେସର ମହାମାୟା ପ୍ରସାଦ ନାୟକ ଏବଂ ସୁଶାନ୍ତ ସ୍ୱାଇଁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଏବଂ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.