Latest Odisha News

BREAKING NEWS

ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର, ରାଜ୍ୟର ୩୪ଟି ନୂଆ ଏନଏସି ଗଠନ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ରାଜ୍ୟ ବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଉପହାର । ଗଠନ ହେଲା ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ । ଏହାସହ ଚାରିଟି ଜିଲ୍ଲାର ପାଞ୍ଚଟି ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । 5T ଅଧ୍ୟକ୍ଷଙ୍କ  ଶ୍ରୀ  କାର୍ତ୍ତିକ  ପାଣ୍ଡିଆନ୍  ଙ୍କ  ବିଭିନ୍ନ ଜିଲ୍ଲା  ଗସ୍ତ  ଅବସରରେ ଜନସାଧାରଣ ଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୁରଭଞ୍ଜର କରଞ୍ଜିଆ, ବଲାଙ୍ଗିରର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସିକୁ ମୁନିସିପାଲିଟି କୁ ଉନ୍ନୀତ କରାଯାଇଛି । ସେହିପରି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ହେଲା, ଅନୁଗୋଳ ଜିଲ୍ଲାର ପାଲଲହଡା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡା, ବଲାଙ୍ଗିର ଜିଲ୍ଲାର ବେଲପଡା ଓ ସଂଇତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡା ଜିଲ୍ଲାର ସିନାପାଲି, ରାୟଗଡ ଜିଲ୍ଲାର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ ଓ କୁକୁଡାଖଣ୍ଡି, ନୟାଗଡ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି, ମୟୁରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ।

ସୂଚନାଯୋଗ୍ୟ ଯେ ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.