Latest Odisha News

BREAKING NEWS

ପିଆଜ ଚାଷକୁ ପ୍ରୋତ୍ସାହନ, ଦର ବୃଦ୍ଧି ରୋକିବାକୁ ୫ ଜିଲ୍ଲାରେ ଗୋଦାମ ପାଇଁ ସରକାରଙ୍କ ଯୋଜନା

ଭୁବନେଶ୍ୱର: ଓଡ଼ିଶାରେ ପିଆଜ ଚାଷ କମ୍ ପରିମାଣରେ କରାଯାଉଥିବା ବେଳେ ଅନ୍ୟ ରାଜ୍ୟରୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ପିଆଜର ଦର ବୃଦ୍ଧି ଖାଉଟିଙ୍କ ପାଇଁ ବିଭିନ୍ନ ସମୟରେ ଚିନ୍ତାର କାରଣ ପାଲଟୁଛି । ଏସବୁ ସମସ୍ୟାକୁ ଦେଖି ସରକାର ରାଜ୍ୟର ୫ଟି ଜିଲ୍ଲାରେ ଗୋଦାମ ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଓଡ଼ିଶା ରାଜ୍ୟ କୃଷି ବାଣିଜ୍ୟ ବୋର୍ଡର ସାଧାରଣ ପରିଚାଳକ ଧରିତ୍ରୀ ମିଶ୍ରଙ୍କ ସୂଚନା ଅନୁସାରେ, ସରକାର ୧୩ଟି ନୂଆ ପିଆଜ ଗୋଦାମ କରିବାକୁ ପ୍ରସ୍ତାବ ଦେଇଛନ୍ତି । କଳାହାଣ୍ଡି, ବରଗଡ଼, ନୂଆପଡ଼ା, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ପିଆଜ ଗୋଦାମ ହେବ ।

କଳାହାଣ୍ଡି ଜିଲ୍ଲାର କୋକସରା, ଜୁନାଗଡ଼, ବରଗୁଡ଼ା, ବରଦା, ଏମ୍.ରାମପୁର, ଭବାନୀପାଟଣା ଓ କେସିଙ୍ଗାରେ ପିଆଜ ଗୋଦାମ ହେବ । ସେହିଭଳି ବରଗଡ଼ ଜିଲ୍ଲାର ଭଟଲି ଓ ପଦ୍ମପୁର, ନୂଆପଡ଼ାର କୋମନା, ଅନୁଗୁଳର ଲୁହାମୁଣ୍ଡା ଏବଂ ବୌଦ୍ଧର ୨ଟି ସ୍ଥାନରେ ତିଆରି ହେବ ପିଆଜ ଗୋଦାମ ।

ଏସବୁ ଗୋଦାମରେ ପାଖାପାଖି ୬ ହଜାର ପିଆଜକୁ ମହଜୁଦ୍ କରି ରଖାଯାଇ ପାରିବ । ଯେଉଁଥିରେ ୭.୫୧ କୋଟି ଖର୍ଚ୍ଚ ହେବ । ଏବେ ସରକାରଙ୍କ ପାଖରେ ଅନୁଗୁଳ ଓ ବଲାଙ୍ଗିରରେ ଗୋଟିଏ ଲେଖାଏ ପିଆଜ ଗୋଦାମ ରହିଛି ।

କୃଷି ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ୧୨ ଲକ୍ଷ ଟନ୍ ପିଆଜର ଆବଶ୍ୟକତା ରହିଥିବା ବେଳେ ୪ ଲକ୍ଷ ଟନ୍ ଉତ୍ପାଦନ ହେଉଛି । ଯାହାକି ଆବଶ୍ୟକତାର ୩୩ ପ୍ରତିଶତ । ଅଧିକ ପିଆଜ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ରାଜ୍ୟରୁ ଆମଦାନୀ କରାଯାଉଛି ।

ବିଗତ ୪ ବର୍ଷ ହେଲା ଭୁବନେଶ୍ୱର ବଜାରକୁ ଓଡ଼ିଶା ପିଆଜ ଆସୁ ନାହିଁ । ନାସିକ ବ୍ୟବସାୟୀ ଓଡ଼ିଶା ବଜାରରେ ପିଆଜ ଦର ନିୟନ୍ତ୍ରଣ କରୁଥିବା କହିଛନ୍ତି ଆଇଗିଣିଆ ରିଟେଲ୍ ଟ୍ରେଡର୍ସ ଆସୋସିଏସନର ସମ୍ପାଦକ । ତେବେ ରାଜ୍ୟରେ ଆବଶ୍ୟକ ପରିମାଣରେ ଗୋଦାମ ଓ ଶୀତଳଭଣ୍ଡାର ନଥିବାରୁ ଏ ସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.