Latest Odisha News

ଅଡିଓ ଭାଇରାଲ ମାମଲା: ତଦନ୍ତରେ ସହଯୋଗ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କୋଭିହ ଯୋଦ୍ଧାଙ୍କ ସମ୍ପର୍କରେ ବିଭ୍ରାନ୍ତିକରଣ ଅଡିଓ ଭାଇରାଲ ମାମଲାକୁ ନେଇ ବିବାଦ ବଢ଼ିବାରେ ଲାଗିଛି।  ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି। ସଂପୃକ୍ତ ଟିଭି ଚାନେଲରେ କାର୍ଯ୍ୟରତ ୩ ଜଣ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଆଜି ଏହି ମାମଲାର ଶୁଣାଣି କରି ସେମାନଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ। ୩ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ ।

ଏହି ମାମଲାରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସମ୍ପୃକ୍ତ ଟିଭି ଚାନେଲ୍‌କୁ ନୋଟିସ୍‌ ଜାରି କରାଯିବା ସହ  ଭୁବନେଶ୍ୱର ଡିସିପିଙ୍କୁ ଘଟଣା ସମ୍ପର୍କରେ  ଅବଗତ କରାଯାଇ ଭାଇରାଲ ଅଡିଓରେ ମିଥ୍ୟା ତଥ୍ୟ ରହିଛି ବୋଲି ଅଭିଯୋଗ ହୋଇଛି। ଏ ନେଇ ଗିରଫଦାରୀ ଆଶଙ୍କାରେ ଘରୋଇ ଚାନେଲରେ କାର୍ଯ୍ୟରତ ତିନିଜଣ କର୍ମଚାରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଉକ୍ତ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ ଆବେଦନକାରୀ ଥାନାକୁ ଯାଇ ପୁଲିସକୁ ତଦନ୍ତରେ ସହଯୋଗ କରନ୍ତୁ, ସେମାନଙ୍କୁ ଗିରଫ କରାଯିବ ନାହିଁ।

ଅନ୍ତରୀଣ ସୁରକ୍ଷା ନେଇ ହାଇକୋର୍ଟ କହିଛନ୍ତି ଯେ ସିଆରପିସି ଧାରା ୧୬୦ ଅଧିନରେ ନୋଟିସ ଆସିଥିବାରୁ ଆବେଦନକାରୀ ତଦନ୍ତକାରୀ ଅଧିକାରୀଙ୍କୁ ଆଇନରେ ବ୍ୟବସ୍ଥା ଅନୁସାରେ ସହଯୋଗ କରନ୍ତୁ, ସେମାନଙ୍କର ଗିରଫଦାରୀ ହେବ ନାହିଁ। ଇତିମଧ୍ୟରେ ଏହି ଭାଇରାଲ ଅଡିଓରେ ଯେଉଁ ଦୁଇଜଣ ବ୍ୟକ୍ତି ଲକ୍ଷ୍ମୀକାନ୍ତ ବେହେରା ଏବଂ ବିଶ୍ବଜିତ ମହାନ୍ତିଙ୍କ ବାର୍ତ୍ତାଳାପ ରହିଛି ସେମାନେ ଗିରଫ ହୋଇ ଜାମିନରେ ମୁକୁଳି ସାରିଛନ୍ତି।

Leave A Reply

Your email address will not be published.